No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ଭୁବନେଶ୍ୱର :- ଜାତୀୟ ହସ୍ତତନ୍ତ ମେଳାର ସପ୍ତମ ଦିବସ । ମେଳାର ଷଷ୍ଠ ଓ ସପ୍ତମ ଦିବସ ଥିଲା ଶନିବାର ଓ ରବିବାର । ଏହି ଦୁଇ ଦିନ ଛୁଟିଦିନ ଥିବାରୁ ଏହି ମେଳାରେ ଗ୍ରାହକଙ୍କ ଭିଡ଼ ଅଭୂତ ପୂର୍ବ ଭାବେ ଜମିଥିଲା । ଭିଡ଼ ସାଙ୍ଗକୁ ବ୍ୟବସାୟ ମଧ୍ୟ ବେଶ୍ ବଢ଼ିଚାଲିଛି । ଜାନୁଆରୀ ୨୦ ତାରିଖ ଉଦ୍ଘାଟନ ଦିବସ ଠାରୁ ୨୫ ତାରିଖ ସୁଦ୍ଧା ଏହି ମେଳାରେ ଏକ କୋଟିରୁ ଊର୍ଦ୍ଧ ବ୍ୟବସାୟ ହୋଇଛି । କେବଳ ‘ ବୟନିକା’ ପ୍ରଥମ ଛଅ ଦିନରେ ୩୦ ଲକ୍ଷ ଟଙ୍କାର ବ୍ୟବସାୟ କରିଛି । ଓଡ଼ିଶା ସମେତ ଏହି ମେଳାରେ ୧୬ଟି ରାଜ୍ୟର ହସ୍ତତନ୍ତ ସମିତି ଓ ଅନୁଷ୍ଠାନ ମାନେ ଯୋଗଦାନ କରିଛନ୍ତି ।
ଓଡ଼ିଶାର ବାନ୍ଧବସ୍ତ୍ର, ବମକାଇ, କୋଟପାଡ଼୍ ଓ ଟସର ବସ୍ତ୍ର ସମସ୍ତଙ୍କୁ ଆକୃଷ୍ଟ କରୁଛି । ଓଡ଼ିଶା ବ୍ୟତୀତ ତାମିଲନାଡ଼ୁର କାଞ୍ଜିବରମ୍ ସିଲକ୍ ଶାଢ଼ି, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ପୁଚମପଲ୍ଲୀ ବାନ୍ଧ, ମଧ୍ୟ ପ୍ରଦେଶର ଚନ୍ଦେରୀ ଓ ମାହେଶ୍ୱରୀ, ରାଜସ୍ଥାନର ବନ୍ଧନି ଶାଢ଼ି, ପଶ୍ଚିମବଙ୍ଗର ଟାଙ୍ଗାଇଲ ଓ ଜାମ୍ଦାନୀ, ଦିଲ୍ଲୀ, ହରିଆନା ଓ ପଞ୍ଜାବର ବିଛଣା ଚାଦର, କଞ୍ଚଳ ଓ କୁସନ୍କଭର, କର୍ଣ୍ଣାଟକର ଅତି ସୂକ୍ଷ୍ମ ସିଲକ୍ ଶାଢ଼ି, ବନାରସ୍ର ‘ବ୍ରୋକେଡ଼’ ଶାଢ଼ି ଆଦି ଗ୍ରାହକଙ୍କ ମନକୁ ବାନ୍ଧି ରଖିଛି । ମେଳା ମଧ୍ୟରେ ଥିବା ‘ଥିମ୍ ପାଭିଲିଅନ୍’ ଭିତରେ ହସ୍ତତନ୍ତ ବୁଣା କାର୍ଯ୍ୟ ଓ ପ୍ରିଣ୍ଟିଂ କଳା ‘ବୁଣାକାର ସେବା କେନ୍ଦ୍ର’, ଭୁବନେଶ୍ୱର ଦ୍ୱାରା ପ୍ରଦର୍ଶନ କରାଯାଉଛି ।
ଏହା ମେଳାର ଆକର୍ଷଣର କେନ୍ଦ୍ରବିନ୍ଦୁ । ଏଥିରେ ଓଡ଼ିଶାର ପଞ୍ଜୀକୃତ ୯ଟି ଯାକ ‘ଭୌଗୋଳିକ ସୂଚକ (ଜିଆଇ)’ ଉତ୍ପାଦକୁ ପ୍ରଦର୍ଶିତ କରାଯାଇଛି । ମେଳାରେ ‘ରେଡ୍ ଏଫ୍ଏମ୍’ ଦ୍ୱାରା ଏକ ଲାଇଭ୍ ଟେଲିକାଷ୍ଟର ବ୍ୟବସ୍ଥା କରାଯାଇଛି । ମେଳା ମଧ୍ୟରେ ଲାଗିଥିବା ଏଲ୍ଇଡି ସ୍କି୍ରନ୍ରେ ପ୍ରଦର୍ଶିତ ବୟନିକାର ପ୍ରମୋ ଫିଲ୍ମ ଓ ଓଡ଼ିଶାର ବିଭିନ୍ନ ମୁଖ୍ୟ ଉତ୍ପାଦର ପ୍ରସ୍ତୁତି ପ୍ରଣାଳୀ ଗ୍ରାହକଙ୍କ ମନକୁ ବିମୋହିତ କରୁଛି । ମେଳାରେ ଭାଗ ନେଇଥିବା ସମସ୍ତ ଅଂଶଗ୍ରହଣକାରୀ ମେଳାରେ ଭଲ ବ୍ୟବସାୟ ହେଉଥିବା ଯୋଗୁଁ ଅତ୍ୟନ୍ତ ଖୁସି । ଆଶା ଏହି ମେଳା ହଜାର ହଜାର ବୁଣାକାରଙ୍କ ଜୀବନ ଓ ଜୀବିକାକୁ ବହୁମାତ୍ରାରେ ଉତ୍ସାହିତ କରିବ ।
No Result
View All Result