ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ – ପିଏସ୍‌ଓଙ୍କୁ ମାଡ଼ ମାରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର ) କେନ୍ଦୁଝର :-  କେନ୍ଦୁଝର ସହରର କାଶୀପୁର ନିକଟରେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ଏପରି ଘଟଣା ଘଟିଛି । କିଛି ଅସାମାଜିକ ଯୁବକ ଗାଡ଼ି ଉପରେ ଚଢ଼ି ଉତ୍ପାତ କରିଛନ୍ତି । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଶ୍ରୀ ପଟ୍ଟନାୟକଙ୍କ ପିଏସ୍‌ଓଙ୍କୁ ମାଡ଼ ମାରିଛନ୍ତି । ଏନେଇ ଶ୍ରୀ ପଟ୍ଟନାୟକଙ୍କ ପିଏସ୍‌ଓ ରାଜେଶ ସିଂହ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା‌ ଅନୁସାରେ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ତାଙ୍କ ପିଏସ୍‌ଓ ରାଜେଶ ସିଂହ ଏକ ଗାଡ଼ିରେ ଯାଉଥିବା ବେଳେ କାଶୀପୁରଠାରେ ସଂଜୟ ମହାନ୍ତିଙ୍କ ସମେତ କିଛି ଅସାମାଜିକ ଯୁବକ ଏକ ବୋ‌ଲେରୋରେ ଆସି ଗାଡ଼ି ଅଟକାଇଥିଲେ । କାହିଁକି ଗାଡ଼ିକୁ ଓଭରଟେକ୍‌ କଲ ବୋଲି ପ୍ରଶ୍ନ କରିବା ସହ ଗାଳିଗୁଲଜ କରିଥିଲେ। ପିଏସ୍‌ଓ ଶ୍ରୀ ସିଂହ ପ୍ରତିବାଦ କରିବାରୁ ତାଙ୍କ ତଣ୍ଟି ଚିପିଦେବା ସହ ମାଡ଼ ମାରିଥିଲେ । ଏପରିକି ସମ୍ପୃକ୍ତ ଯୁବକମାନେ ଗାଡ଼ି ଉପରେ ଚଢ଼ିଯାଇ ହଙ୍ଗାମା କରିଥିଲେ । ଖବର ପାଇ କିଛି କଂଗ୍ରେସ କର୍ମୀ ଘଟଣାସ୍ଥଳରେ ପହଞ୍ଚିବାରୁ ସମ୍ପୃକ୍ତ ଯୁବକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ।

ତେବେ ଏହି ଘଟଣାର ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ସଭାପତି ସୁନେଶ ଧୀରଙ୍କ ନେତୃତୃରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବାରୁ ପୋଲିସ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ । ଏଥିସହ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦୁଝର ଭଳି ଶାନ୍ତିପ୍ରିୟ ସହରରେ ଅସମାଜିକ ଯୁବକମାନେ ରାସ୍ତାରେ ଏଭଳି ଉତ୍ପାତ କରିବା ଉଦ୍‌ବେଗର ବିଷୟ ବୋଲି ସେ କହିଛନ୍ତି ।

ଏନେଇ ଶ୍ରୀ ପଟ୍ଟନାୟକଙ୍କ ପିଏସ୍‌ଓ ଶ୍ରୀ ସିଂହ କେନ୍ଦୁଝର ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି । ପୋଲିସ କେସ୍‌ ନମ୍ବର ୨୯/୨୧ ଦଫା ୩୪୧, ୨୯୪, ୩୨୩, ୩୦୭, ୪୨୭, ୫୦୬ ଓ ୩୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଟାଉନ୍‌ଥାନା ଆଇଆଇସି ପ୍ରମୋଦିନୀ ସାହୁ ପ୍ରତିକ୍ରିୟାରେ କହିଛନ୍ତି, ‘ମାମଲା ରୁଜୁ ହୋଇଛି । ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ।’