ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 27.1.2020 :- କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏବେ ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ଭୁବନେଶ୍ୱରରେ ବହୁ ସଂଖ୍ୟାରେ କୁକୁଡ଼ା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଭଳି ଚାଞ୍ଚଲ୍ୟକର ଖବର ମିଳିଛି । ସୂଚନା ଅନୁସାରେ, ଗତ ଦୁଇଦିନ ହେଲା ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧିନସ୍ଥ ଫାର୍ମରେ କୁକୁଡ଼ାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ଫଳରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବାର୍ଡ ଫ୍ଲୁ ଆଶଙ୍କା କରି କୁକୁଡ଼ାଙ୍କ ରକ୍ତ ନମୁନା ଭୋପାଳସ୍ଥିତ ଟେଷ୍ଟିଂ ଲ୍ୟାବକୁ ପଠାଇଥିଲେ । ଆଜି ଭୋପାଳ ଟେଷ୍ଟିଂ ଲ୍ୟାବରୁ ରିପୋର୍ଟ ପିଜିଟିଭ୍ ଆସିବା ପରେ କୁକୁଡା ବାର୍ଡ ଫ୍ଲୁ ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛ ।
ଏହାପରେ ବାର୍ଡ ଫ୍ଲୁ ନେଇ ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିବା ପରେ ଆସନ୍ତାକାଲିଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ । ଏଥିସହ ବାର୍ଡ ଫ୍ଲୁ ରିପୋର୍ଟ ପିଜିଟିଭ୍ ଆସିଥିବା ସୂଚନା ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି ଓୟୁଏଟି ପାଥୋଲୋଜି ମୁଖ୍ୟ ସୁରେଶ ପଣ୍ଡା ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଯଥାସମ୍ଭବ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ବାର୍ଡ ଫ୍ଲୁ ହୋଇଥିବା ନେଇ କେନ୍ଦ୍ର ପକ୍ଷରୁ ବିଧିବଦ୍ଧ ଭାବେ ଅବଗତ ବି କରାଯାଇଛି । ଓୟୁଏଟି ଠାରୁ ୧କିମି ପରିବ୍ୟାପ୍ତ ଅଞ୍ଚଳରେ କୁକୁଡ଼ା ମାରିବାକୁ ପଦକ୍ଷେପ ନିଆଯାଇଛ । ଓୟୁଏଟି ଫାର୍ମରେ ଶହସ୍ରାଧିକ କୁକୁଡ଼ା ରହିଥିବା ସୂଚନା ମିଳିଛ । ରାଜ୍ୟରେ କରୋନା ଭୂତାଣୁ ପରେ ବାର୍ଡ ଫ୍ଲୁ ଆତଙ୍କ ଲୋକମାନଙ୍କ ମନରେ କୋକୁଆ ଭୟ ଖେଳାଇ ଦେଇଛି ।