ଓଡିଶା ତାଜା ନ୍ୟୁଜ୍ (୧୪ ଜାନୁଆରୀ ଗୁରୁବାର )ଭୁବନେଶ୍ୱର :- ବିକାନବେରା , ମସ୍କୋ , ମିନିଆ ପଲିସି , ଟରୋଣ୍ଟୋ , ଲଣ୍ଡନ , ମାଞ୍ଚେଷ୍ଟର , ଦୁବାଇ , ନାଇରୋବି , ନୂଆଦିଲ୍ଲୀ , କଟକ ବିଶ୍ୱଭରି ଓଡ଼ିଆ ଓ ଓଡ଼ିଶାପ୍ରେମୀ ମାନଙ୍କୁ ଏକତ୍ରିତ କରି ବିଶ୍ୱ ଓଡ଼ିଶା ସମାଜ ଗଠନ କରାଯାଇଛି । ବିଭିନ୍ନ ଦେଶର ଓଡ଼ିଆ ସମାଜର କର୍ମକର୍ତ୍ତା, ପ୍ରମୁଖ ପ୍ରବାସୀ ଓଡ଼ିଆ, ଓଡ଼ିଶା କେନ୍ଦ୍ରୀକ ସାମାଜିକ ଓ ସାଂସ୍କୃତିକ ସଂସ୍ଥା ଗୁଡ଼ିକର ପ୍ରତିନିଧି ମାନେ ଏହି ଛାମୁଆ ସଂଗଠନରେ ସାମିଲ ହୋଇଛନ୍ତି । ପ୍ରବାସୀ ଓଡ଼ିଆମାନଙ୍କର ଏହି ସର୍ବବୃହତ ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତ୍ତି ସୂର୍ଯ୍ୟନାରାୟଣ ପାତ୍ର ମନୋନୀତ ହୋଇଛନ୍ତି । ପୃଷ୍ଠପୋଷକ ଭାବେ ଆମେରିକାରେ ଅବସ୍ଥାପିତ ବିଶିଷ୍ଟ ବୈଜ୍ଞାନିକ ଶୀତିକଣ୍ଠ ଦାଶଙ୍କୁ ଚୟନ କରାଯାଇଛି । କେନିଆର ସୁନାମଧନ୍ୟ ସଂସଦ ସଦସ୍ୟ ଡଃ ସ୍ୱରୁପ ମିଶ୍ର ବିଶ୍ୱ ଓଡ଼ିଶା ସମାଜର ମୁଖ୍ୟ ଉପଦେଷ୍ଟା ହେବେ । ଆମେରିକାର ପ୍ରସିଦ୍ଧ ବୈଷୟିକ ପରାମର୍ଶଦାତା ଧୀରେନ୍ଦ୍ର କର ଏହି ଆନ୍ତର୍ଜାତିକ ମଞ୍ଚର ଅନ୍ୟତମ ଉପଦେଷ୍ଟା ରହିବେ । ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ନିର୍ଦେଶିକା ତଥା ପ୍ରକ୍ଷାତ ସମାଜସେବୀ ଡଃ ଅରୁନ୍ଧତୀ ଦେବୀ ବିଓଏସର ପ୍ରତିଷ୍ଠାତା ହେବାର ମାନ୍ୟତା ଲାଭ କରିଥିବା ଅନ୍ଲାଇନ୍ ଦ୍ୱାରା ଆୟୋଜିତ ଏକ ଆନ୍ତର୍ଜାତିକ ବୈଠକରେ ଘୋଷଣା କରାଯାଇଛି । ବରିଷ୍ଠ ସାମ୍ବାଦିକ ଏବଂ ବନ୍ଦେ ଉତ୍କଳ ଫାଉଣ୍ଡେସନର ଅଧ୍ୟକ୍ଷ କିଶୋର ଦ୍ୱିବେଦୀଙ୍କର ପୌରହିତ୍ୟରେ ଅନୁଷ୍ଠିତ ଏହି ଭର୍ଚ୍ଚୁଆଲ ସଭାରେ ବିଶ୍ୱ ଓଡ଼ିଶା ସମାଜ ଗଠନର ମୂଳ ଲକ୍ଷ, ଏହାର ପ୍ରକୃତ ଆଭିମୁଖ୍ୟ, ଭବିଷ୍ୟତ ଯୋଜନା ଓ ଓଡ଼ିଶାର ନବନିର୍ମାଣରେ ବିଓସର ଭୂମିକା ସମ୍ପର୍କରେ ବିସ୍ତୃତ ରୁପରେଖ ଚୂଡ଼ାନ୍ତ କରାଯାଇଛି ।
ବିଶେଷ କରି ଏହି ସଂସ୍ଥା ପ୍ରବାସରେ ରହୁଥିବା ଓଡ଼ିଆମାନଙ୍କର ଏକ ଡାଟାବେସ୍ ପ୍ରସ୍ତୁତ କରିବା, ଏକ ଓଡ଼ିଶା-ଶ୍ରେଷ୍ଠ ଓଡ଼ିଶା ଧ୍ୱନୀକୁ ବିଶ୍ୱ ଦରବାରରେ ପ୍ରତିପାଦିତ ଓ ପ୍ରମାଣିତ କରିବା, ବ୍ରାଣ୍ଡ ଓଡ଼ିଶାର ମହନୀୟତାକୁ ଦେଶବିଦେଶରେ ପ୍ରଚାର, ପ୍ରସାର ଏବଂ ଲୋକପ୍ରିୟ କରିବା, ପ୍ରବାସୀ ଓଡ଼ିଆମାନଙ୍କର ସ୍ୱାର୍ଥ ରକ୍ଷା ଓ ସମୂହ କଲ୍ୟାଣ ଉଦ୍ଦେଶ୍ୟରେ ରାଜ୍ୟସରକାରରେ ଏକ ଏନ୍.ଆର୍.ଓ ମନ୍ତ୍ରଣାଳୟ ଆରମ୍ଭ କରିବା ଏବଂ ସର୍ବୋପରି ୨୦୩୬ ମସିହାରେ ଆମର ମାତୃପ୍ରଦେଶର ଭାଷାଭିତ୍ତିକ ରାଜ୍ୟଗଠନର ଶହେବର୍ଷ ପୂର୍ତ୍ତି ଅବସରରେ ଏହାର ହୃତଗୌରବ, ସୁପ୍ତ ସୌରଭ ଓ ଲୁପ୍ତ ବୈଭବକୁ ଫେରିପାଇ ସ୍ୱର୍ଣ୍ଣାଭ ଓଡ଼ିଶାର ରୁପ ଗ୍ରହଣ କରିବାର ସ୍ୱପ୍ନକୁ ସାକାର କରିବା ପାଇଁ ଦୂରଦୃଷ୍ଟି ସମ୍ପନ୍ନ ଖସଡ଼ା ପ୍ରସ୍ତୁତ କରିବା ସକାଶେ ଏହି ଶୀର୍ଷ ସମ୍ମିଳନୀରେ ସଂଘବଦ୍ଧ ପ୍ରତିବଦ୍ଧତା ପ୍ରକାଶ କରାଯାଇଛି । ଅଷ୍ଟ୍ରେଲିଆ ଓଡ଼ିଆ ସଂଘର ସଭାପତି ଡଃ. ନଳିନୀ ପତି, ୟୁ.କେ. ଓଡ଼ିଆ ସମାଜର ସାଧାରଣ ସମ୍ପାଦକ ଶିବ ରଞ୍ଜନ ବିଶ୍ୱାଳ ଏବଂ ୟୁ.ଏ.ଇ ଓଡ଼ିଶା ସମାଜର ସାଧାରଣ ସମ୍ପାଦକ ପ୍ରୀତିଶ ରଞ୍ଜନ ବିଶ୍ୱାଳ ଏକ ପାୱାରପଏଣ୍ଟ; ଉପସ୍ଥାପନ ଜରିଆରେ ବିଶ୍ୱ ଓଡ଼ିଶା ସମାଜର ଉଦ୍ଭବର ଉଦ୍ଦେଶ୍ୟ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଖୁବ୍ ପ୍ରାଞ୍ଜଳଭାବେ ସୂଚନା ପ୍ରଦାନ କରିଥିଲେ । ୱେବ୍ ସମାବେଶକୁ ସମ୍ବୋଧନ କରି ବାଚସ୍ପତି ଡଃ ପାତ୍ର, ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ପାଇଁ ଜଳସେଚନ, ଶିଳ୍ପ, ବାଣିଜ୍ୟ, ପର୍ଯ୍ୟଟନ ଓ ଆଇଟି କ୍ଷେତ୍ରରେ ବ୍ୟାପକ ବିକାଶର ଆବଶ୍ୟକତା ରହିଥିବା ଦର୍ଶାଇଥିଲେ ।