ମାହାଙ୍ଗା (ଓଡିଶା ତାଜା ନିଉଜ) 26.1.2020 : ଜିଲ୍ଲା ନିଶ୍ଚିନ୍ତକୋଇଲି ଅଂଚଳର ଘଟଣା, ପ୍ରତିଶୋଧ ନେବାକୁ ଯୋଜନା କାର୍ଯ୍ୟ ଚେନାଇରେ ଯାଇ ରହିଲା ପ୍ରେମିକ, ଦୀର୍ଘ ବର୍ଷର ପ୍ରେମ ଫାଟ ଓ ପ୍ରେମ ପ୍ରତାରଣାରେ ପରିଣତ ହେବା ପରେ ତାହା କିପରି ହତ୍ୟାର ରୂପ ନେଇଛି ତାହା କରୁଣ ଚିତ୍ର ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଦେଖିବାକୁ ମିଳିଛି । ଚେନ୍ନାଇରେ ଯୋଜନାବଦ୍ଧ ଭାବେ ପ୍ରେମିକ ତା’ର ପ୍ରେମିକାକୁ ହତ୍ୟା କରି ଫେରାର ହୋଇଯିବା ଘଟଣା ସାମ୍ନାକୁ ଆସିବାପରେ ଏଠାରେ ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଅଭିଯୁକ୍ତ ପ୍ରେମିକକୁ ବାନ୍ଧିବାପାଇଁ ଚେନ୍ନାଇ ପୁଲିସ ଦୁଇ ଦିନ ହେଲା ଆସି ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଡେରା ପକାଇଛି । ସୂଚନା ଅନୁଯାଇ ନିଶ୍ଚିନ୍ତକୋଇଲି ଥାନା ବଡ଼କ୍ଷୀର ଗ୍ରାମର ଦିଲ୍ଲିପ କୁମାର ଗାହାଣଙ୍କ ଏକମାତ୍ର ଝିଅ କରିନା ପ୍ରିୟଦର୍ଶିନୀ (୨୧ବର୍ଷ)ତାମିଲନାଡ଼ୁର ଚେନ୍ନାଇ ଠାରେ ଏକ ଘରୋଇ ଅଟୋ ମୋବାଇଲ କମ୍ପାନୀରେ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ । କରିନା ଡିପ୍ଲୋମା ପାସ୍ କରିବା ପରେ ଚେନ୍ନାଇ ଠାରେ ଥିବା ରୟାଲ ଏନଫିଲଡ଼ କମ୍ପାନୀରେ ଅଟୋ ମୋବାଇଲ ଇଂଜିନିୟର ରୂପେ ଚାକିରି କରୁଥିଲେ । କରିନା ସେଠାରେ ଅନ୍ୟ ଜଣେ ବାନ୍ଧବୀଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ । ଗାଁ ସ୍କୁଲରେ ପଢିବା ବେଳଠାରୁ କରିନା ସ୍ଥାନୀୟ ଗୋପପୁର ଗ୍ରାମର ଶିବପ୍ରସାଦ ସାହୁଙ୍କ ପୁଅ ମାନସ ସାହୁଙ୍କୁ ଭଲ ପାଇଆସୁଥିଲେ ।କରିନା ଓଡ଼ିଶାରେ ପଢିବା ପର୍ଯ୍ୟନ୍ତ ଦୁଇ ଜଣକ ମଧ୍ୟରେ ସୁସମ୍ପର୍କ ଥିଲା, କିନ୍ତୁ କରିନା ଚେନ୍ନାଇକୁ ଚାକିରି କରିବା ପାଇଁ ଚାଲିଯିବାପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଉଭୟଙ୍କ ପ୍ରେମ ସମ୍ପର୍କ ମଧ୍ୟରେ ଲକ୍ଷ୍ମଣ ରେଖା ପଡିଲା, ଏପରିକି ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ତାଙ୍କ ଦୀର୍ଘ ଦିନର ପ୍ରେମ ସମ୍ପର୍କରେ ଭଟ୍ଟା ପଡ଼ିଯାଇଥିଲା । ଦୀର୍ଘ ଦିନର ପ୍ରେମ ପ୍ରତାରଣାରେ ପରିଣତ ହେବା ପରେ ପ୍ରେମିକ ମାନସ ପ୍ରତିଶୋଧ ପରାୟଣ ହୋଇ ଯୋଜନା କରିଲା, ।
ଏପରିକି କିଛି ଦିନ ହେଲା ମାନସ ଗାଁ ଛାଡି ଚେନ୍ନାଇ ପଳାଇଥିଲା । ସେଠାରେ ରହୁଥିବା ନିଶ୍ଚିନ୍ତକୋଇଲି ଅଞ୍ଚଳର କେତେକ ପରିଚିତ ଯୁବକଙ୍କ ସହ ପାଖରେ ଯାଇ ରହିଥିଲା । ପ୍ରତିଶୋଧ ର ନିଆଁରେ ଜଳିଜଳି ସୁଯୋଗ ଅପେକ୍ଷାରେ ରହିଥିଲା ପ୍ରେମିକ ମାନସ, ଗତ ୨୧ତାରିଖ ଦିନ ସାଙ୍ଗମାନଙ୍କ ଠାରୁ ଏକ ସାଇକେଲ ଆଣି କରିନା ରହୁଥିବା ବାସଭବନକୁ ଯାଇଥିଲା ମାନସ । ଏକୁଟିଆ ଥିବାର ସୁଯୋଗ ନେଇ କରିନାଙ୍କୁ ଯୋଜନାବଦ୍ଧ ଭାବେ ମାନସ ହତ୍ୟା କରିବା ପରେ ମୃତଦେହକୁ ବାଥରୁମ୍ ଭିତରେ ପକାଇ ସେଠାରୁ ଚମ୍ପଟ ମାରିଥିଲା । ତେବେ କରିନାଙ୍କ ସହ ରହୁଥିବା ସହଯୋଗୀ ବାନ୍ଧବୀ ଜଣକ ଅଫିସ୍ରୁ କାମ ସାରି ଫେରିବା ପରେ କରିନା ମରି ପଡ଼ିଥିବାର ଦେଖି ସାଙ୍ଗେ ସାଙ୍ଗେ ଏ ସମ୍ପର୍କରେ ଚେନ୍ନାଇ ପୁଲିସକୁ ଖବର ଦେଇଥିଲେ । ଚେନ୍ନାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିବା ସହ କରିନାର ପରିବାରକୁ ଖବର ଦେଇଥିଲେ । ତେବେ କରିନାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କର ପିତା ଦିଲ୍ଲୀପ ଥାନାରେ ଅଭିଯୋଗ କରିବା ପରେ ପୁଲିସ କରିନାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । କରିନାଙ୍କ ଶବକୁ ପୈତୃକ ଗ୍ରାମକୁ ଅଣାଯାଇ ଦାହ କରାଯାଇଥିଲା । ଅପରପକ୍ଷରେ ସିସି ଟିଭି ଫୁଟେଜ୍ରେ ମାନସର ଫଟୋ ରହିଥିବାର ଚେନ୍ନାଇ ପୁଲିସ କରିନାଙ୍କ ପରିବାରକୁ ସୂଚନା ପ୍ରଦାନ କରିଥିବାର ଜଣାଯାଇଛି । ପ୍ରେମିକ ମାନସ ଫେରାର ହୋଇଯାଇଥିବାରୁ ତାକୁ ଗିରଫ କରିବାକୁ ଦୁଇ ଦିନ ହେଲା ଚେନ୍ନାଇ ପୁଲିସ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଘୂରି ବୁଲୁଥିବା ଜଣାଯାଇଛି । ପୁଲିସ ମାନସର ମୋବାଇଲକୁ ଟ୍ରାକ କରି ଖୁବ ଶୀଘ୍ର ତାକୁ ଗିରଫ କରିବ ବୋଲି କହିଛି । ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ ଙ୍କ ରିପୋର୍ଟ