
ଭୁବନେଶ୍ୱର (ଓଡିଶା ତାଜା ନିଉଜ) କୋରାପୁଟ ଭବନ 2020 ରିପୋର୍ଟ – ସୋନାଲି :- ଭୁବନେଶ୍ୱର, ରାଜ୍ୟ ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟରତ ଗାଁସାଥୀ (ମେଟ୍) ମାନଙ୍କର ଏକମାତ୍ର ଟ୍ରେଡ଼ ୟୁନିୟନ ‘ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ଶାଖା ତରଫରୁ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ନିକଟସ୍ଥ କୋରାପୁଟ ଭବନ ପରିସରେ ତିନିଦିନିଆ ସାଂଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଚଳିତମାସ ୨୨ ତାରିଖ ସକାଳ ୮ ଘଟିକାରୁ ଆରମ୍ଭ ହୋଇଥିବା ଉକ୍ତ କର୍ମଶାଳାରେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକରୁ ଆସିଥିବା ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ୱ ପ୍ରମୁଖ ଗାଁସାଥୀ (ମେଟ୍) ସଂଗଠକ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ତୃତୀୟ ଦିବସରେ ସଂଘ ତାର ବାର୍ଷିକ ଉତ୍ସବ ତଥା ସଂଗଠନର ଆଦର୍ଶ ପରମପୂଜ୍ୟ ନେତାଜୀ ସୁବାଷ ବୋଷଙ୍କ ଜନ୍ମ ଜୟନ୍ତୀ ପାଳନ କରିଥିଲା ।

ଏହି ଅବସରରେ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ, ନଗର ଉନୟନ ଓ ଆଇନ୍ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଯୋଗ ଦେଇଥିଲେ । ଠିକ୍ ସେହିପରି ମୁଖ୍ୟବକ୍ତା ଭାବରେ ରାଜ୍ୟ ବିହନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ମହୋଦୟ ଯୋଗଦାନ କରିଥିଲେ । ସମସ୍ତ ଅତିଥିମାନେ ସଂଘର ବାକି ଥିବା ଦାବିକୁ ପୂରଣ କରିବା ଲାଗି ସରକାରୀସ୍ତରରେ ସଠିକ୍ ଉଦ୍ୟମ କରିବା ପାଇଁ ପ୍ରତିଶ୍ରୁତି ଦେବା ସହିତ ପୂଜ୍ୟ ନେତାଜୀଙ୍କ ବୀରତ୍ୱ ଓ ପରାକାଷ୍ଠା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ ।

ଏଠାରେ ପ୍ରକାଶଯୋଗ୍ୟ ଯେ, ରାଜ୍ୟ ପଞ୍ଚାୟତିରାଜ ବିଭାଗରେ ସ୍ଥାୟୀ ନିଯୁକ୍ତି ଓ ମାସିକ ୬୦୦୦ ଟଙ୍କା ପ୍ରୋତ୍ସାହନ ପ୍ରାପ୍ତି ଲାଗି ସଂଘ ବିଗତ ୧୨ ବର୍ଷ ଧରି ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଛି ବୋଲି ସଂଘ ତରଫରୁ ପ୍ରକାଶ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସଭାପତି ସୌଭାଗ୍ୟ ମିଶ୍ର, ଲକ୍ଷ୍ମୀଧର ମହାନ୍ତି, ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ, ରବିନ୍ଦ୍ରନାଥ ଗୌଡ଼, ଚରଣ ନାୟକ, ପରାମାନନ୍ଦ ମାଝୀ, ହରି ମାଡ଼କାମୀ, ଶଙ୍କର୍ଷଣ ପଲାଇ, ଅରବିନ୍ଦ ପଟେଲ, ବିନୋଦ ସାହୁ, କୁଳମଣି ମେଣ୍ଟା, ଲକ୍ଷ୍ମୀ ନାରାୟଣ ପାଢୀ, ମହାଦେବ ମାଝୀ, ମଙ୍ଗଳସାଇ ଭତ୍ରା, ସୁଶିଳା ନାୟକ, କରୁଣାକର ନାୟକ ଓ ଅନ୍ୟାନ୍ୟ ସଂଗଠକମାନେ ଉପସ୍ଥିତ ଥିଲେ ।












