No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଡିସେମ୍ବର , ଗୁରୁବାର )ଭୁବନେଶ୍ୱର :- ମୂଳ ପୁରୀ ବାସିନ୍ଦା ପ୍ରବାସୀ ଓଡି଼ଆ କୁନା ଦାଶଙ୍କୁ ଜାପାନର ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ଜାପାନର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି । ଜାପାନ ସହ ଅନ୍ୟ ଦେଶମାନଙ୍କ ମଧ୍ୟରେ ବନ୍ଧୁତ୍ୱ ଓ ସୁସମ୍ପର୍କ ସ୍ଥାପନର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ବ୍ୟକ୍ତି ଏବଂ ଗୋଷ୍ଠୀମାନଙ୍କୁ ଜାପାନ ସରକାରଙ୍କ ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଜାପାନ ଓ ଭାରତ ଦୁଇ ଦେଶ ମଧ୍ୟରେ ଶିକ୍ଷା, ସଂସ୍କୃତି, କଳା, ବାଣିଜ୍ୟ ଏବଂ ସାମାଜିକ ସମ୍ପର୍କ ପ୍ରଚାର ପ୍ରସାରକୁ ପ୍ରୋତ୍ସାହିତ କରିବାରେ ଶ୍ରୀ ଦାଶଙ୍କ ଦୀର୍ଘ ୩୦ ବର୍ଷର ଅବଦାନ ପାଇଁ ଜାପାନ ସରକାର ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ସମ୍ମାନ ଜନକ ପୁରସ୍କାର ପାଇବାରେ ସେ ହେଉଛନ୍ତି ଓଡି଼ଶାର ସର୍ବପ୍ରଥମ ଓ ଏକମାତ୍ର ବ୍ୟକ୍ତି, ଯାହାକି ଓଡି଼ଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ ।
ଏହି ବିରଳ ନାଗରିକ ପୁରସ୍କାରରେ ସମ୍ବର୍ଦ୍ଧନା କରାଯାଇଥିବାରୁ ଶ୍ରୀ ଦାଶ ଜାପାନର ନାଗରିକ ଓ ସରକାରଙ୍କୁ ପ୍ରଶଂସା ଓ କୃତଜ୍ଞତା ପ୍ରଦାନ କରିଛନ୍ତି ା ପ୍ରବାସୀ ଓଡି଼ଆ ଶ୍ରୀ ଦାଶ ଏହିପରି ଏକ ବିଦେଶୀ ରାଷ୍ଟ୍ରୀୟ ମର୍ଯ୍ୟାଦା ଲାଭ କରିଥିବାରୁ ; ବିଶ୍ୱ ଓଡି଼ଶା ପକ୍ଷରୁ ଏହାର ସଭାପତି ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, କାର୍ଯ୍ୟକାରୀ ସଭାପତି ତଥା ଓଡି଼ଶା ସାହିତ୍ୟ ଏକାଡେମୀ ସଦସ୍ୟ ବାହାଦୂର ପାଟସାହାଣୀ, ସଂଯୋଜକ ଆଡ୍ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଏବଂ ସାଧାରଣ ସମ୍ପାଦକ ମନୋଜ ମନ୍ମୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ଦାଶ ୨୦୦୨ ମସିହା ଠାରୁ ଭାରତ ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର, ଜାପାନର ସଭାପତି ତଥା ଜାପାନ କ୍ୟୋଟୋର ଆନ୍ତର୍ଜାତିକ ପର୍ଯ୍ୟଟନ ରାଷ୍ଟ୍ରଦୂତ ଏବଂ ଚନ୍ଦ୍ରଶେଖର ଏକାଡେମୀ, ପୁରୀର ସଭାପତି ଭାବରେ ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ, ବାଣିଜ୍ୟ, ଖାଦ୍ୟ ଓ ପ୍ରଦର୍ଶନ କଳା ମାଧ୍ୟମରେ ଜାପାନ ଏବଂ ଭାରତ ମଧ୍ୟରେ ପାରସ୍ପରିକ ବୁଝାମଣା ପ୍ରୋତ୍ସାହିତ କରିବାରେ ନିରନ୍ତର ଉଦ୍ୟମ କରିଆସୁଛନ୍ତି । ୨୦୦୪ ରେ ନିଜ ଜନ୍ମସ୍ଥାନ ପୁରୀରେ ଚନ୍ଦ୍ରଶେଖର ଏକାଡେମୀ ପ୍ରତିଷ୍ଠା କରି ନର୍ସରୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସ୍ଇ ପାଠ୍ୟକ୍ରମ ସହିତ ଜାପାନୀ ଭାଷା ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି ।
୨୦୧୯ରେ ଆଇଟି ଏବଂ ଜାପାନୀ ଭାଷା ତାଲିମ୍ କେନ୍ଦ୍ର ପ୍ରତିଷ୍ଠା କରି ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଚାହିଦା ଅନୁଯାୟୀ କୌଶଳ ତାଲିମ୍ ଦେବା, ବିଶେଷ ଭାବରେ ଭାରତ ଏବଂ ଜାପାନରେ ଥିବା ଆଇଟି କମ୍ପାନୀଗୁଡିକରେ ନିଯୁକ୍ତି ପାଇଁ ତାଲିମ୍ ଦେବା କାର୍ଯ୍ୟ ମଧ୍ୟ କରୁଛନ୍ତି । ଏହି ପଦକ୍ଷେପ ଦ୍ୱାରା ଓଡି଼ଶାର ଛାତ୍ରଛାତ୍ରୀ ଭାରତ ତଥା ଜାପାନରେ କର୍ମ ନିଯୁକ୍ତିର ସୁଯୋଗ ପାଇପାରିବେ । ଜାପାନର କ୍ୟୋଟୋ ନଗର ପ୍ରଶାସନ ସାହାଯ୍ୟରେ ପଶ୍ଚିମ ଜାପାନର କାନ୍ସାଇ ଠାରେ ପ୍ରଥମ ଭାରତୀୟ ଭିତ୍ତିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଚନ୍ଦ୍ରଶେଖର ଏକାଡେମୀ ପ୍ରତିଷ୍ଠା କରିଛନ୍ତି । ଏହା ଜାପାନରେ କାର୍ଯ୍ୟରତ ଭାରତୀୟ ଏବଂ ଏହାର ଚତୁଃପାଶ୍ୱର୍ସ୍ଥ ଦେଶର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ ଲାଭପ୍ରଦ ହେଉଛି । ଶ୍ରୀ ଦାଶଙ୍କ ଏହି ମର୍ଯ୍ୟାଦା ଜନକ ପୁରସ୍କାର ଲାଭରେ ଓଡି଼ଶା ତଥା ଭାରତର ବହୁ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।
No Result
View All Result