No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ଡିସେମ୍ବର ଶନିବାର ) ହିଞ୍ଜିଳିକାଟୁ/ଶେରଗଡ଼ :- ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମରେ ଶନିବାର ଭୋର ପ୍ରାୟ ସାଢେ ୪ ଘଣ୍ଟା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା । ଚାଷ ଜମିରେ ଫୁଲକୋବି ତୋଳୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତିଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମ ଦଳେଇ ସାହି ବାସିନ୍ଦା ହିନ ସାମଲ(୬୨)ଓ ସ୍ତ୍ରୀ ବିଷ୍ଣୁ ସାମଲ(୫୦) । ପ୍ରକାଶ ଯେ, ପ୍ରତିଦିନ ପରି ଶନିବାର ଭୋରରୁ ଦମ୍ପତି ଦ୍ବୟ ଅମଳ ଫୁଲକୋବିକୁ ତୋଳିବା ପାଇଁ ରତନପଦର ଚାଷଜମିକୁ ଯାଇଥିଲେ । ଫୁଲକୋବି ତୋଳୁଥିବା ବେଳେ ସଂପୃକ୍ତ ଚାଷଜମି ଉପର ଦେଇ ଯାଇଥିବା ଏଲଟି ବିଦ୍ୟୁତ୍ ତାର ନଡ଼ିଆ ଗଛର ବାହୁଙ୍ଗା ପଡି ଛିଣ୍ଡି ଚାଷଜମିରେ ପଡ଼ିଥିଲା ।
ଫୁଲକୋବି ତୋଳୁଥିବା ବେଳେ ଦମ୍ପତି ଦୁର୍ଭାଗ୍ୟବଶତଃ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ । ଖବର ପାଇ ଦମ୍ପତିଙ୍କ ପୁଅ ଗୈାଡ ସାମଲ ଚାଷଜମିରେ ପହଞ୍ଚି ବାପା- ମା’ଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର, ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବୁରୁପୋଡା ରାଜସ୍ୱ ନିରୀକ୍ଷକ ସୁଧାଂଶୁ ଶେଖର ପାଣିଗ୍ରାହୀ, ବିଦ୍ୟୁତ୍ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶ, ଶେରଗଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାଶ, ଏସଆଇ ବିଦେଶୀ ସେଠି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିଲେ । ସଂପୃକ୍ତ ଚାଷଜମି ଅଞ୍ଚଳ ଶେରଗଡ଼ ଥାନା ଅଧୀନରେ ରହିଥିବା ଜଣାପଡିଛି ।
ଏ ନେଇ ଶେରଗଡ଼ ଥାନାରେ ୧୫୨/୨୦ରେ ଏକ ମାମଲା ରୁଜୁ ହୋଇଛି । ଶେରଗଡ଼ ପୋଲିସ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଦମ୍ପତିଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ରେଡ଼କ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡ଼ା ପ୍ରଦାନ କରିଥିଲେ ଏବଂ ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ପ୍ରକାଶ ଯେ ଆସନ୍ତା ୧୪ ତାରିଖରେ ପୁଅ ଗୈାଡ ସାମଲଙ୍କ ବିବାହ ସ୍ଥିର ହୋଇସାରିଥିଲା । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । (ରିପୋର୍ଟ ଶୁସାନ୍ତ ପ୍ରଧାନ ହିଞ୍ଜିଳିକାଟୁ)
No Result
View All Result