• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କାର୍ତ୍ତିକ ପଞ୍ଚକର ମଳ ତିଥିରେ ଶ୍ରୀଜଗନ୍ନାଥ କାହିଁକି ହୁଅନ୍ତି ନାଗାର୍ଜୁନ ବେଶ …?

Proprietor Abhimanyu Maharana by Proprietor Abhimanyu Maharana
November 28, 2020
in ଓଡ଼ିଶା, ପୁରୀ, ହୋମ୍
0
କାର୍ତ୍ତିକ ପଞ୍ଚକର ମଳ ତିଥିରେ ଶ୍ରୀଜଗନ୍ନାଥ କାହିଁକି ହୁଅନ୍ତି ନାଗାର୍ଜୁନ ବେଶ …?
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶୁକ୍ରବାର ) ଭୁବନେଶ୍ୱର :- କାର୍ତ୍ତିକ ପଞ୍ଚକର ମଳ ତିଥିରେ ଶ୍ରୀଜଗନ୍ନାଥ କାହିଁକି ହୁଅନ୍ତି ନାଗାର୍ଜୁନ ବେଶ ? ଏ ସଂପର୍କରେ ରହିଛି ରୋଚକ ପୌରାଣିକ ଉପାଖ୍ୟାନ । ତାହା ଅନୁସାରେ, ଦ୍ୱାପର ଯୁଗରେ ନର୍ମଦା ତଟରେ ଥିଲା ହୈହୟ ନାମକ ଏକ ରାଜ୍ୟ । ତାହାର ରାଜଧାନୀ ଥିଲା ମାହିଷ୍ମତୀ । ସେହି ରାଜ୍ୟର ରାଜା ଥିଲେ କୃତବୀର୍ୟ୍ୟ । ତାଙ୍କ ପୁତ୍ରର ନାମ ଥିଲା ‘ଅର୍ଜୁନ’ । କିନ୍ତୁ କୃତବୀର୍ୟ୍ୟଙ୍କର ପୁତ୍ର ହୋଇଥିବାରୁ ସେ ପରିଚିତ ହେଉଥିଲା ‘କାର୍ତ୍ତବୀର୍ୟ୍ୟ’ ଭାବରେ । ତେଣୁ ତାର ନାମ ହୋଇଥିଲା ‘କାର୍ତ୍ତବୀର୍ୟ୍ୟାର୍ଜୁନ’ । ଦତ୍ତାତ୍ରେୟ ଋଷିଙ୍କୁ ସେବା କରି ତାଙ୍କଠାରୁ ସହସ୍ରବାହୁ ହେବାର ବର ମଧ୍ୟ ସେ ପାଇଥିଲା । ଫଳରେ ତାର ନାମ ହେଲା ‘ସହସ୍ରାର୍ଜୁନ’ । ଏକଦା ରାବଣ ମାହିଷ୍ମତୀ ନଗରୀ ନିକଟ ନର୍ମଦା ତଟରେ ଶିବପୂଜା କରୁଥିଲା । ସେତିକିବେଳେ ନର୍ମଦାରେ ଜଳକ୍ରୀଡ଼ା କରୁଥିବା ସହସ୍ରାର୍ଜୁନ ନର୍ମଦାର ସ୍ରୋତକୁ ତାହାର ସହସ୍ରବାହୁ ଦ୍ୱାରା ଅବରୋଧ କରି ଦେବାରୁ ରାବଣର ପୂଜାସ୍ଥଳ ଜଳପ୍ଳାବିତ ହୋଇଗଲା । ପୂଜାରେ ବ୍ୟାଘାତ ଘଟିବାରୁ ରାବଣ କ୍ରୋଧିତ ହୋଇ ସହସ୍ରାର୍ଜୁନକୁ ଆକ୍ରମଣ କଲା । କିନ୍ତୁ ସହସ୍ରାର୍ଜୁନ ତାହାକୁ ପରାସ୍ତ କରି ବନ୍ଦୀ କରିନେଲା । ପରେ ରାବଣର ପିତାମହ ପୁଲସ୍ତ୍ୟ ଋଷି ଅନୁରୋଧ କରିବାରୁ ସେ ରାବଣକୁ ମୁକ୍ତ କଲା ।

ରାବଣ ଓ ସେ ପରସ୍ପରର ବନ୍ଧୁ ହୋଇଗଲେ । ଏହିପରି ଭାବରେ କ୍ରମେ ସହସ୍ରାର୍ଜୁନ ଗର୍ବୀ ଓ ଉଦ୍ଧତ ହୋଇଗଲା । ଦିନେ ସହସ୍ରାର୍ଜୁନ ସୈନ୍ୟସାମନ୍ତ ନେଇ ମୃଗୟା ନିମନ୍ତେ ବଣକୁ ଯାଇଥିବା ବେଳେ, କ୍ଷୁଧା ଓ ତୃଷାରେ ଅଧୀର ହୋଇ ଋଷି ଜମଦଗ୍ନିଙ୍କ ଆଶ୍ରମରେ ଯାଇ ପହଞ୍ଚିଲା । ସେହି ଆଶ୍ରମରେ ଦିବ୍ୟଶକ୍ତିସଂପନ୍ନ ଗୋଟିଏ କାମଧେନୁ ଥିଲେ । ଜମଦଗ୍ନି ଯାହା କାମନା କରୁଥିଲେ, ସେହି କାମଧେନୁ ତାହା ତାଙ୍କୁ ଦେଇପାରୁଥିଲେ । ତେଣୁ ତାହାଙ୍କ ପ୍ରସାଦରୁ ଜମଦଗ୍ନି ସହସ୍ରାର୍ଜୁନ ଓ ତା’ ସାଙ୍ଗରେ ଥିବା ସୈନ୍ୟସାମନ୍ତଙ୍କୁ ଭୁରି ଭୋଜନ ଦେଲେ । ଋଷିଙ୍କ ଆଶ୍ରମରୁ ସେହି ଦିବ୍ୟ ସତ୍କାର ପାଇ ସହସ୍ରାର୍ଜୁନ ଜାଣିଲା ଯେ କାମଧେନୁଙ୍କ ପ୍ରସାଦରୁ ତାହା ସମ୍ଭବ ହୋଇଛି । ତେଣୁ ଲୋଭରେ ପଡ଼ି ସେ ଜମଦଗ୍ନିଙ୍କୁ କାମଧେନୁଟିକୁ ମାଗିଲା । ଜମଦଗ୍ନି ରାଜି ନହେବାରୁ, ସେ ବଳପୂର୍ବକ ତାହାଙ୍କୁ ଅପହରଣ କରିନେବାକୁ ଚାହିଲା । କିନ୍ତୁ କାମଧେନୁ ଅସଂଖ୍ୟ ସୈନ୍ୟସାମନ୍ତ ଓ ଅସ୍ତ୍ରଶସ୍ତ୍ର ସୃଷ୍ଟିକଲେ । ଫଳରେ ସହସ୍ରାର୍ଜୁନର ସୈନ୍ୟସାମନ୍ତ ସେମାନଙ୍କଦ୍ୱାରା ପରାସ୍ତ ହେଲେ । କିନ୍ତୁ ସହସ୍ରାର୍ଜୁନ ଫେରିଯାଇ, ପୁଣି ପ୍ରସ୍ତୁତ ହୋଇ ଆସି ଜମଦଗ୍ନିଙ୍କ ଆଶ୍ରମ ଉପରେ ଆକ୍ରମଣ କଲା ଏବଂ ତାଙ୍କୁ ହତ୍ୟା କଲା । କାମଧେନୁ ବ୍ରହ୍ମଲୋକକୁ ପ୍ରତ୍ୟାବର୍ତ୍ତନ କରିଗଲେ ।

ସେହି ଆକ୍ରମଣ ଓ ହତ୍ୟା ସମୟରେ ଜମଦଗ୍ନିଙ୍କ ପୁତ୍ର ପରଶୁରାମ ଆଶ୍ରମରେ ନଥିଲେ । ସେ ଆଶ୍ରମକୁ ଫେରି ସବୁ କଥା ଜାଣି କ୍ରୋଧିତ ହେଲେ ଏବଂ ପରାକ୍ରମୀ ନାଗାବେଶରେ ଯୁଦ୍ଧ କରି, ନିଜର ପରଶୁଦ୍ୱାରା ସହସ୍ରାର୍ଜୁନକୁ ବଧ କଲେ । କାର୍ତ୍ତିକ ମାସ ପଞ୍ଚକର ମଳ ତିଥିରେ ସହସ୍ରାର୍ଜୁନକୁ ନିହତ କରି, ପରଶୁରାମ ଅବତାର ପୃଥିବୀର ପାପଭାର ଲାଘବ କରିଥିଲେ । ପାରମ୍ପରିକ ବିଶ୍ୱାସ ଓ ଶାସ୍ତ୍ରମତ ଅନୁସାରେ, ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ । ସବୁ ଅବତାର ତାଙ୍କର ଦାରୁ ରୂପରୁ ଉଦ୍ଭବ ହୋଇ ପୁଣି ସେହି ଦାରୁ ରୂପରେ ଲୀନ ହୋଇଥାଆନ୍ତି । ତେଣୁ ଗୋଟିଏ ମତରେ, ପରଶୁରାମ ଅବତାରଙ୍କର ଏହି ଲୀଳାର ସ୍ମାରକୀ ରୂପେ, କାର୍ତ୍ତିକ ମାସର ମଳ ପଞ୍ଚକ ତିଥିରେ ଶ୍ରୀଜଗନ୍ନାଥ ନାଗାର୍ଜୁନବେଶ ହୋଇଥାଆନ୍ତି ।

ଅର୍ଜୁନ-ନାଗାର୍ଜୁନ ଯୁଦ୍ଧ କଥା :- ଯୁଦ୍ଧର ଅନ୍ତିମ ପରିଣତି ହେଉଛି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ।

ଆମ ଆଦିକବି ସାରଳା ଦାସଙ୍କ ‘ମହାଭାରତ’ ହେଉଛି କାହାଣୀର ଗନ୍ତାଘର । ଯୁଗେଯୁଗେ ଜନସମାଜରେ ପ୍ରଚଳିତ କାହାଣୀ, କିଂବଦନ୍ତିରୁ ସେ ଯେପରି ଉପାଦାନ ନେଇଛନ୍ତି, ସେହିପରି ମଧ୍ୟ, ତାଙ୍କ ରଚିତ ‘ମହାଭାରତ’ ଦ୍ୱାରା ଓଡ଼ିଶାର ଲୋକପରଂପରା ଓ ସଂସ୍କୃତି ପୁଷ୍ଟ ହୋଇଛି । ଅର୍ଜୁନ-ନାଗାର୍ଜୁନ ଯୁଦ୍ଧ କଥା ତାହାର ଏକ ଦୃଷ୍ଟାନ୍ତ ଏବଂ ସେଥିରେ ମଧ୍ୟ ରହିଛି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶର ଏକ ରୋଚକ ପୃଷ୍ଠଭୂମି । କାହାଣୀଟି ଅଛି ସାରଳା ଦାସଙ୍କ ‘ମହାଭାରତ’ର ‘ସଭାପର୍ବ’ରେ । ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞପାଇଁ ଶେଷନାଗ ଅନନ୍ତଙ୍କୁ ନିମନ୍ତ୍ରଣ କରିବାକୁ ପାତାଳଲୋକକୁ ଯାଇଥିଲେ ଅର୍ଜୁନ । କିନ୍ତୁ ଶେଷନାଗ ଅନନ୍ତ ତାଙ୍କୁ ମନା କରିଦେଲେ । କହିଲେ, ମୋର ଗୋଟିଏ ଫଣାରେ ମୁଁ ପୃଥିବୀକୁ ଧରି ରଖିଥିବାରୁ, ଏହି ନିମନ୍ତ୍ରଣ ରକ୍ଷା କରିବା ମୋ ପକ୍ଷରେ ସମ୍ଭବ ହେବ ନାହିଁ । ସେଥିପାଇଁ ଅର୍ଜୁନ ନିଜର ଧନୁ ହୁଳରେ ୧୭ ଦିନ ଧରି ପୃଥିବୀକୁ ଧାରଣ କଲେ । ତାହା ଫଳରେ ଅନନ୍ତ ରାଜସୂୟ ଯଜ୍ଞରେ ଯୋଗ ଦେଇପାରିଥିଲେ ।

ସାରଳା ଦାସଙ୍କ ‘ମହାଭାରତ ଅନୁସାରେ, ଏହି ଶେଷନାଗ ଅନନ୍ତଙ୍କର କନ୍ୟା ହେଉଛନ୍ତି ‘ସନ୍ଧ୍ୟାବାଳୀ’ । ସେତେବେଳେ ଅର୍ଜୁନଙ୍କ ସହିତ ତାଙ୍କର ପ୍ରଣୟ ହୋଇଥିଲା । ଅର୍ଜୁନ ପାତାଳଲୋକରୁ ଫେରିଆସିବା ବେଳକୁ ସନ୍ଧ୍ୟାବାଳୀ ଥିଲେ ଗର୍ଭବତୀ । ଅର୍ଜୁନ ସନ୍ଧ୍ୟାବାଳୀଙ୍କ ଦ୍ୱାର ଦେଶରେ ଗୋଟିଏ ଅର୍ଜୁନ ଗଛ ରୋପଣ କରି ତାଙ୍କୁ କହିଥିଲେ- “ଏ ବୃକ୍ଷ ମୋର ପ୍ରତିରୂପ । ତୁମେ ତୁମର ରସକାଳରେ ସୁବେଶ ହୋଇ ଏହି ବୃକ୍ଷକୁ କୋଳାଗ୍ରତ କଲେ ମୋର ଅଙ୍ଗସଙ୍ଗର ସୁଖ ଲାଭ କରିପାରିବ । ଯେତେକାଳ ଯାଏ ଏ ବୃକ୍ଷ ଜୀବିତ ଥିବ, ସେତେକାଳ ଯାଏ ମୁଁ ଜୀବିତ ଅଛି ବୋଲି ଜାଣିବ ।” ଦଶମାସ ପୂର୍ଣ୍ଣ ହେବା ପରେ ସନ୍ଧ୍ୟାବାଳୀଙ୍କର ଗୋଟିଏ ପୁତ୍ରସନ୍ତାନ ଜାତ ହେଲା । ଅର୍ଜୁନ କହିଥିବା ଅନୁସାରେ, ନାଗକନ୍ୟା ସନ୍ଧ୍ୟାବାଳୀ ଦୁହିଁଙ୍କର ନାମକୁ ମିଶାଇ ତାହାର ନାମ ରଖିଲେ ‘ନାଗାର୍ଜୁନ’ । ଥରେ ତକ୍ଷକ ନାଗଙ୍କ ପୁତ୍ର ବାତାପୀ ସହିତ ନାଗାର୍ଜୁନଙ୍କର କଳିଗୋଳ ହେଲା ଏବଂ ବାତାପୀ ତାଙ୍କୁ ବହୁତ କଟୁକଥା କହିଲେ । ସେ ଅକୁଳ ଓ ଅମୂଳ ଏବଂ ତାଙ୍କର ପିତା କିଏ ସେକଥା କାହାକୁ ଜଣାନାହିଁ ବୋଲି କହିବାରୁ, ନାଗାର୍ଜୁନ କାନ୍ଦିକାନ୍ଦି ଯାଇ ମାଆ ସନ୍ଧ୍ୟାବାଳୀଙ୍କୁ ନିଜ ପିତାଙ୍କର ପରିଚୟ ପଚାରିଲେ । ସନ୍ଧ୍ୟାବାଳୀ କହିଲେ, “ତୋର ପିତା ପରମବୀର ଓ ଜଗତଖ୍ୟାତ । ପଞ୍ଚଜୟନ୍ତୀ, ହସ୍ତିନା, ଇନ୍ଦ୍ରପ୍ରସ୍ଥ, ଯମପ୍ରସ୍ଥ ଓ ବାରୁଣାବନ୍ତ ହେଉଛି ତାଙ୍କର ନିବାସ । ତେଣୁ ତୁ ବୀରପୁତ୍ର । ତୁ କାହାରିକୁ ଖାତର କରନା ।”

ତାହା ଶୁଣି ନାଗାର୍ଜୁନ ମାତା ସନ୍ଧ୍ୟାବାଳୀଙ୍କୁ କହିଲେ, “ମୁଁ ଯୋଦ୍ଧା ନୁହେଁ କି ଅସ୍ତ୍ରବିଦ୍ୟା ମୋତେ ଜଣାନାହିଁ । ଏଣୁ ମୁଁ ଏ ପାତାଳଲୋକରୁ ମଧ୍ୟଭୁବନ (ମର୍ତ୍ତ୍ୟ)କୁ ଯାଇ ମୋ ପିତାଙ୍କୁ ଭେଟିବି। ସେଠୁ ଯୁଦ୍ଧବିଦ୍ୟା ଶିଖି ଫେରିବି । ଏ ନାଗଲୋକର ନାଗପୁତ୍ରମାନଙ୍କୁ ନିପାତ କରିବାର ଶକ୍ତି ନେଇ ଫେରିଆସିବି ।” ସନ୍ଧ୍ୟାବାଳୀ ସେଥିପାଇଁ ତାଙ୍କୁ ଅମୃତଲଡ଼ୁ ଦେଲେ ଓ ଆଶୀର୍ବାଦ କଲେ । ନାଗାର୍ଜୁନ ମର୍ତ୍ତ୍ୟଲୋକକୁ ଯାଇ ଅନେକ ସ୍ଥାନ ଭ୍ରମଣ କଲେ । ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖି ଦେଖି ବୁଲୁବୁଲୁ ଦିନେ ଯାଇ ଶିବଙ୍କର ଉଦ୍ୟାନବନରେ ପହଞ୍ଚିଲେ । ସେହି ଉଦ୍ୟାନବନର ଦ୍ୱାରପାଳ ଥିଲେ ଗଣେଶ । ତାଙ୍କ ସହିତ ବନ୍ଧୁତା କରି ପଚାରିଲେ, “ମୁଁ ଶିବଙ୍କର ଦର୍ଶନ ଓ ଆଶୀର୍ବାଦ କିପରି ପାଇବି?” ଗଣେଶ କହିଲେ, “ଏକଧ୍ୟାନରେ ତୁମେ ରୁଦ୍ରପୂଜା କର । ସେ ପ୍ରସନ୍ନ ହେଲେ ତୁମକୁ ଦର୍ଶନ ଦେବେ ଏବଂ ତୁମେ ତାଙ୍କର ଆଶୀର୍ବାଦ ପାଇପାରିବ ।”

ନାଗାର୍ଜୁନ କାଶୀ ନଦୀ ତଟରେ ଏକ ବାଲୁକାଲିଙ୍ଗ ସ୍ଥାପନ କରି ଏକାଗ୍ର ଚିତ୍ତରେ ଶିବଙ୍କୁ ଧ୍ୟାନ କଲେ । ଦୀର୍ଘବର୍ଷର କଠୋର ତପସ୍ୟା ପରେ ଶିବ ପ୍ରସନ୍ନ ହୋଇ ତାଙ୍କୁ ଦର୍ଶନ ଦେଲେ ଏବଂ ବର ଯାଚିଲେ । ନାଗାର୍ଜୁନ ତାଙ୍କୁ ଦଶଟିବର ମାଗିଲେ । କିନ୍ତୁ ସେସବୁର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅମର ହେବା । ସେହି ବର ଦେବା ସହିତ ଶିବ ତାଙ୍କୁ ପିନାକଧନୁ, ଅକ୍ଷୟ ତୂଣୀର ଓ ପାଶୁପତ ଅସ୍ତ୍ର ଆଦି ଅନେକ ଅସ୍ତ୍ରଶସ୍ତ୍ର ଦେଲେ । ନାଗାର୍ଜୁନ ଖୁବ୍ ଖୁସି ହୋଇଯାଇ କହିଲେ, “ତୁମେ ମୋର ପିତା ଓ ପାର୍ବତୀ ମୋର ମାତା । ଗଣେଶ ଓ କାର୍ତ୍ତିକ ମୋର ଜ୍ୟେଷ୍ଠ ଭ୍ରାତା ।” ଶିବ ଓ ପାର୍ବତୀ ତାଙ୍କୁ ପୁତ୍ର ଭାବେ ଏବଂ ଗଣେଶ ଓ କାର୍ତ୍ତିକ ତାଙ୍କୁ ଭ୍ରାତା ଭାବେ ଗ୍ରହଣ କରି ଆହୁରି ଅନେକ ଅସ୍ତ୍ରଶସ୍ତ୍ର ଓ ଉପହାର ଦେଲେ । ସେ ହେଲେ ଶିବଙ୍କ ଉଦ୍ୟାନବନର ଦ୍ୱାରପାଳ। ମାତା ପାର୍ବତୀ ତାଙ୍କୁ ନିଜର ପ୍ରିୟ ଗଣ୍ଡାଟିର ରକ୍ଷଣାବେକ୍ଷଣ କରିବାର ସ୍ୱତନ୍ତ୍ର ଦାୟିତ୍ୱ ଦେଲେ ।

ତେଣେ, ଦିନେ ନାରଦ ଯାଇ ପହଞ୍ଚିଲେ ହସ୍ତିନାପୁରରେ । ଯୁଧିଷ୍ଠିର ତାଙ୍କର ଆଦର, ସତ୍କାର କରିବା ପରେ, ପିତା ପଣ୍ଡୁ ସେପୁରରେ କିପରି ଅଛନ୍ତି ବୋଲି ପଚାରିଲେ । ନାରଦ ତାଙ୍କୁ କହିଲେ, “ପଣ୍ଡୁ ନିଜ ଅଜାଣତରେ କିନ୍ଦମ ଋଷିଙ୍କୁ ହତ୍ୟା କରି ବ୍ରହ୍ମହତ୍ୟା ପାପ କରିଥିବାରୁ, ଏ ଯାଏ ତାଙ୍କର ସ୍ୱର୍ଗପ୍ରାପ୍ତି ହୋଇନାହିଁ । ଏପରିକି ତୁମର ରାଜସୂୟ ଯଜ୍ଞ ବି ତାଙ୍କୁ ସେହି ପାପରୁ ମୁକ୍ତ କରିପାରି ନାହିଁ । ସେ ଯମଙ୍କ ଆସନର ତିନିଟି ପାହାଚ ତଳେ ଠିଆହୋଇ ରହିଛନ୍ତି । ଏପରିକି ବସିବାପାଇଁ ବି ଯମରାଜ ତାଙ୍କୁ ଅନୁମତି ଦେଇନାହାନ୍ତି ।” ତାହା ଶୁଣି, ଯୁଧିଷ୍ଠିର ନାରଦଙ୍କୁ ପଚାରିଲେ, “ତେବେ ସେ କିପରି ପାପମୁକ୍ତ ହେବେ?” ନାରଦ କହିଲେ, “ତୁମେ ଯଦି ଗଣ୍ଡାଟିଏ ମାରି ତାଙ୍କ ପାଇଁ କାମ୍ୟକର୍ମ କରିବ, ତେବେ ସେହି ଶ୍ରାଦ୍ଧର ଫଳ ତାଙ୍କୁ ଦେବ-ପିତୃଲୋକରେ ମିଳିବ । ତେଣୁ ତୁମେ ତୁରନ୍ତ ତାହାର ଉପାୟ କର ।”

ତାହା ଜାଣି ଯୁଧିଷ୍ଠିର ଅର୍ଜୁନଙ୍କୁ ଗଣ୍ଡାଟିଏ ଶିକାର କରିଆଣିବା ପାଇଁ ପଠାଇଲେ । ଅର୍ଜୁନ ଅନେକ ଅରଣ୍ୟ ବୁଲି ମଧ୍ୟ ଗଣ୍ଡାଟିଏର ଠାବ ପାଇପାରିଲେ ନାହିଁ । ଶେଷରେ ନାରଦ ମୁନି ତାଙ୍କୁ ବତାଇଦେଲେ ଯେ, କେବଳ ଶିବଙ୍କ ଉଦ୍ୟାନବନରେ ହିଁ ଗଣ୍ଡାଟିଏ ଅଛି । ଅର୍ଜୁନ ସେଠାକୁ ଯାଇ ସେହି ଗଣ୍ଡାକୁ ଶିକାର କଲେ ।  ଅର୍ଜୁନ ସହଜରେ ସେହି ଶିକାର କରି ପାରିବାର କାରଣ ହେଉଛି- ସେତେବେଳେ ନାଗାର୍ଜୁନ ତାଙ୍କର ସ୍ୱନକ୍ଷତ୍ର (ଜନ୍ମଦିନ) ବନ୍ଦାପନା ପାଇଁ ମାଆ ସନ୍ଧ୍ୟାବାଳୀଙ୍କ ପାଖକୁ ପାତାଳ ଲୋକକୁ ଯାଇଥିଲେ । ସନ୍ଧ୍ୟାବାଳୀ ତାଙ୍କୁ ବନ୍ଦାପନା କରିବାବେଳେ ତାଙ୍କର ବାଁ ଆଖି ଡେଇଁଲା । ଶିବଙ୍କ ଉଦ୍ୟାନ ବନରେ ନିଶ୍ଚେ କିଛି ଅଘଟଣ ଘଟିଛି ବୋଲି ଜାଣି ସେ ତୁରନ୍ତ ଧାଇଁ ଆସି ଦେଖନ୍ତି ତ ମାତା ପାର୍ବତୀଙ୍କର ପ୍ରିୟ ଗଣ୍ଡାଟି ମରି ପଡ଼ିଛି । ଅର୍ଜୁନ ସେହି ଶିକାର କରିଛନ୍ତି ବୋଲି ଜାଣି ସେ ଅର୍ଜୁନଙ୍କ ସହିତ ଯୁଦ୍ଧ କଲେ । ଅର୍ଜୁନ ସେତେବେଳେ କିରାତ (ଶବର) ବେଶରେ ଥିଲେ । ଅର୍ଜୁନ ଓ ନାଗାର୍ଜୁନଙ୍କ ମଧ୍ୟରେ ହୋଇଥିବା ସେହି ଯୁଦ୍ଧର ପରିଣାମ ତଥା ତାହାର ଅନ୍ତିମ ପରିଣତି ହେଉଛି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶର ଭିତ୍ତି ।

‘ମଳ’ ତିଥିରେ ‘ଅମଳ’ ବେଶ । ଜାଣନ୍ତୁ, କଣ ରହିଛି ମଳ ତିଥିର ବିଶେଷତ୍ୱ ..?

ଏଇ ନଭେମ୍ବର ୨୭ ତାରିଖରେ, ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । କୋଭିଡ଼ କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ, ଏହି ଦୁର୍ଲଭ ବେଶ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହେବେ। କିନ୍ତୁ ୧୯୯୩ ପରେ ୧୯୯୪ରେ ଏହି ବେଶ ହେବା ପରି, ଆଗାମୀ ବର୍ଷ ମଧ୍ୟ ଏହି ବେଶ ହେବାର ସମ୍ଭାବନା ଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଆଜିଠୁ ୨୬ବର୍ଷ ପୂର୍ବେ, ୧୯୯୪ ମସିହା ନଭେମ୍ବର ମାସ ୧୬ ତାରିଖରେ ଶ୍ରୀମନ୍ଦିରରେ ଶେଷଥରପାଇଁ ନାଗାର୍ଜୁନ ବେଶ ହୋଇଥିଲା । ୧୯୯୩ ନଭେମ୍ବର ୨୬ରେ ହୋଇଥିବା ବେଶରେ ଦଳାଚକଟା ଘଟି ତିନିଜଣ ଭକ୍ତଙ୍କର ପ୍ରାଣହାନି ହେବା ସତ୍ତ୍ୱେ, ସେ ବର୍ଷ ଭକ୍ତମାନଙ୍କର ଉତ୍ସାହରେ ଭଟ୍ଟା ପଡ଼ି ନଥିଲା । ୧୯୯୩ର ଏହି ବେଶ କାର୍ତ୍ତିକ ଶୁକ୍ଳପକ୍ଷ ମଳ ଦ୍ୱାଦଶୀ ତିଥିରେ ହୋଇଥିବା ବେଳେ, ୧୯୯୪ର ବେଶ କାର୍ତ୍ତିକ ଶୁକ୍ଳପକ୍ଷ ମଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହୋଇଥିଲା । ୧୯୯୩ ବର୍ଷ ପରି, ଏ ବର୍ଷ ମଧ୍ୟ ଏହି ବେଶ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେବ ।

ଏହି ଦୁର୍ଲଭ ନାଗାର୍ଜୁନ ବେଶର ଅନ୍ୟାନ୍ୟ ପ୍ରସଙ୍ଗକୁ ଯିବା ପୂର୍ବରୁ, ଏହି ‘ମଳ’ ତିଥି କ’ଣ ଏବଂ ‘ମଳ’ ତିଥିରେ ଏହି ବେଶ ହେବାର ତାତ୍ପର୍ୟ୍ୟ କ’ଣ, ତାହା ପ୍ରଥମେ ବୁଝିବା ଆବଶ୍ୟକ । ଆମର ଦିନ ବା ବାରର ଗଣନା ସୂର୍ୟ୍ୟଙ୍କ ଗତି ଅନୁସାରେ କରାଯାଉଥିବା ବେଳେ, ଚନ୍ଦ୍ରଙ୍କ ଗତି ଅନୁସାରେ ତିଥି ଗଣନା କରାଯାଏ । ଏଣୁ ସୂର୍ୟ୍ୟଙ୍କ ଉଦୟରୁ ନୂଆ ଦିନ ବା ନୂଆ ବାରର ଆରମ୍ଭ ହୁଏ । କିନ୍ତୁ ଚନ୍ଦ୍ର ପୃଥିବୀର ଚାରିପାଖରେ ଏକ ଡିମ୍ବାକୃତି ପଥରେ ଗତି କରୁଥିବାରୁ, ତିଥିର ଅବଧିରେ ତାରତମ୍ୟ ଦେଖାଯାଇଥାଏ । ଏହିପରି ଭାବରେ, ପ୍ରତି ମାସର ପୂର୍ଣ୍ଣିମା ପରେ, ପ୍ରତିପଦରୁ ଅମାବାସ୍ୟା ପର୍ୟ୍ୟନ୍ତ ଗୋଟିଏ ପକ୍ଷ ଏବଂ ପ୍ରତିମାସର ଅମାବାସ୍ୟା ପରେ, ପ୍ରତିପଦରୁ ପୂର୍ଣ୍ଣମୀ ପର୍ୟ୍ୟନ୍ତ ଆଉ ଗୋଟିଏ ପକ୍ଷ ହୁଏ। ଏଥିରୁ ପ୍ରଥମଟି କୃଷ୍ଣପକ୍ଷ ଏବଂ ଦ୍ୱିତୀୟଟି ଶୁକ୍ଳପକ୍ଷ ଭାବରେ ନାମିତ ହୋଇଛି ।ସୂର୍ୟ୍ୟଙ୍କ ଉଦୟରୁ ଆଉ ଗୋଟିଏ ଉଦୟର ପୂର୍ବ ପର୍ୟ୍ୟନ୍ତ ସମୟ ସାଧାରଣତଃ ୨୪ଘଣ୍ଟା ବା ଗୋଟିଏ ଦିନ। କିନ୍ତୁ ଚନ୍ଦ୍ରଙ୍କ ଗତି ଅନୁସାରେ ଗଣନା କରାଯାଉଥିବା ତିଥିର ଅବଧି ୨୪ଘଣ୍ଟା ହୋଇ ନ ଥାଏ । ଏହାର ଅବଧି ୧୯ ଘଣ୍ଟାରୁ ୨୭ଘଣ୍ଟା ହୋଇପାରେ । ତେଣୁ ତିଥି ଆଉ ବାରର ଅବଧିରେ ତାଳମେଳ ରହେନାହିଁ । ସେଥିପାଇଁ ଗଣନା ବେଳେ ‘ତିଥି କ୍ଷୟ’ ଓ ‘ତିଥି ବୃଦ୍ଧି’ ର ହିସାବ କରାଯାଏ । ‘ତିଥି କ୍ଷୟ’ ହେଉଛି ସୂର୍ୟ୍ୟୋଦୟ ପୂର୍ବରୁ ଶେଷ ବା ଆରମ୍ଭ ହେଉଥିବା ତିଥି ଏବଂ ତିଥିବୃଦ୍ଧି ହେଉଛି, ସୂର୍ୟ୍ୟୋଦୟ ପୂର୍ବରୁ ଆରମ୍ଭ ହୋଇ ସୂର୍ୟ୍ୟୋଦୟ ପରେ ସରୁଥିବା ତିଥି । କିନ୍ତୁ ଯଦି କୌଣସି ତିଥି ଦୁଇଟି ସୂର୍ୟ୍ୟୋଦୟକୁ ସ୍ପର୍ଶ କରୁଥାଏ, ତେବେ ସେହି ତିଥିଟି ଅଧିକ ହୁଏ; ଅର୍ଥାତ୍‌ ଗୋଟିଏ ତିଥି ଦୁଇଦିନ ହୋଇଯାଏ । ଏହି ଅଧିକ ତିଥି ହେଉଛି ‘ମଳ’ ତିଥି ।

କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀରୁ ପୂର୍ଣ୍ଣିମା ପର୍ୟ୍ୟନ୍ତ ପାଞ୍ଚଦିନ ‘ପଞ୍ଚକ’ ବା ଲୋକକଥିତ ଭାବରେ ‘ପଞ୍ଚୁକ’ ରୂପେ ପାଳିତ ହୁଏ । କିନ୍ତୁ ଏପରି ଅଧିକ ତିଥିରେ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଛଅଦିନ ହୋଇଯାଏ । ଏଣୁ ଏ କ୍ଷେତ୍ରରେ ଯେଉଁ ତିଥିଟି ଅଧିକ ବା ‘ମଳ’ ହୋଇଥାଏ, ସେହି ତିଥିରେ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ । ୧୯୯୩ରେ ଏହି ଅଧିକ ବା ‘ମଳ’ ତିଥି ଦ୍ୱାଦଶୀରେ ପଡ଼ିଥିବା ବେଳେ, ୧୯୯୪ରେ ତ୍ରୟୋଦଶୀରେ ପଡ଼ିଥିଲା । ଏ ବର୍ଷ ଏହା ପୁଣି ଦ୍ୱାଦଶୀ ତିଥିରେ ପଡୁଥିବାରୁ, ଏ ବର୍ଷ ନଭେମ୍ବର ୨୭ ତାରିଖ ଦିନ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ହେଉଛି । ସାଧାରଣ ଲୋକବିଶ୍ୱାସରେ ‘ମଳ’ ହେଉଛି ଅଶୁଭ । ସେଥିପାଇଁ, ମାସ ଗଣନା ଅନୁସାରେ ଯେଉଁ ମାସଟି ଅଧିକ ବା ‘ମଳ’, ସେହି ମାସରେ କୌଣସି ମାଙ୍ଗଳିକ କାର୍ୟ୍ୟ କରାଯାଏ ନାହିଁ । କିନ୍ତୁ ଶ୍ରୀଜଗନ୍ନାଥ ଚେତନାର ବିଶେଷତ୍ୱ ହେଉଛି- ଯାହା ସାଧାରଣରେ ଅଶୁଭ, ତାହା ପ୍ରଭୁଙ୍କପାଇଁ ଅଶୁଭ ନୁହେଁ । ତେଣୁ ଶ୍ରୀଜଗନ୍ନାଥ ‘ମଳମାସ’କୁ ନିଜର ନାଆଁ ଦେଇ ‘ପୁରୁଷୋତ୍ତମ ମାସ’ ଭାବରେ ପରିଚିତ କରାଇଛନ୍ତି । ଏହିପରି ‘ମଳ ଆଷାଢ଼’ ମାସରେ ହିଁ ଶ୍ରୀଜଗନ୍ନାଥଙ୍କର ପବିତ୍ର ନବକଳେବର ହୋଇଥାଏ । ସେହିପରି, କାର୍ତ୍ତିକ ମାସର ‘ପଞ୍ଚକ’ରେ ପଡୁଥିବା ମଳ ତିଥିରେ ହିଁ ତାଙ୍କର ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ । କାରଣ, ‘ମଳ’ ତିଥିରେ ହେଉଥିଲେ ମଧ୍ୟ ଏ ବେଶ ‘ଅମଳ’ ବା ପବିତ୍ର ।

ଯୋଦ୍ଧା ବେଶରେ ଶ୍ରୀଜଗନ୍ନାଥ । ନାଗାର୍ଜୁନ ବେଶକୁ କାହିଁକି କୁହାଯାଏ ଯୋଦ୍ଧା ବେଶ ..?

ନାଗାର୍ଜୁନ ବେଶ ଏକ ଯୋଦ୍ଧାବେଶ । ଶ୍ରୀଜଗନ୍ନାଥ କାହିଁକି ଏହି ଯୋଦ୍ଧାବେଶ ହୁଅନ୍ତି, ତାହାର ମଧ୍ୟ ତାତ୍ପର୍ୟ୍ୟ ରହିଛି । ଏହା ପଛରେ ଅଛି ନିର୍ଦ୍ଦିଷ୍ଟ ପୌରାଣିକ ଉପାଖ୍ୟାନ । କିନ୍ତୁ ସେ ଉପାଖ୍ୟାନକୁ ଯିବା ଆଗରୁ, ଶ୍ରୀଜଗନ୍ନାଥ ଆଉ କେବେ କେବେ ଯୋଦ୍ଧାବେଶ ହୁଅନ୍ତି, ତାହାର ଆଲୋଚନା ଆବଶ୍ୟକ । ମାଣିକ ଗଉଡ଼ୁଣୀ କିଂବଦନ୍ତି କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତବର୍ଷରେ ଲୋକପ୍ରିୟ । ଏହା ଗଜପତି ପୁରୁଷୋତ୍ତମ ଦେବଙ୍କ ସହିତ ସଂପର୍କିତ । ଏହାର ଐତିହାସିକ ଭିତ୍ତି ମଧ୍ୟ ରହିଛି । ଇତିହାସ ହେଉଛି- କପିଳେନ୍ଦ୍ର ଦେବ ଥିଲେ ସୂର୍ୟ୍ୟବଂଶର ପ୍ରତିଷ୍ଠାତା । ତାଙ୍କଠାରୁ ‘ଗଜପତି’ ଶାସନର ଆରମ୍ଭ ହୋଇଥିଲା । ସେ ଥିଲେ ଜଣେ ଦୁଃସାହସିକ ଦିଗ୍‌ବିଜୟୀ । ତାଙ୍କ ସମୟରେ ଗଙ୍ଗାଠାରୁ ଗୋଦାବରୀ ଓ କାବେରୀ ପର୍ୟ୍ୟନ୍ତ ଉତ୍କଳ ମହାରାଜ୍ୟର ସୀମା ବିସ୍ତାରିତ ହୋଇଥିଲା । ତାଙ୍କ ପରେ ଗଜପତି ରାଜା ହୋଇଥିଲେ ପୁରୁଷୋତ୍ତମ ଦେବ । କିଂବଦନ୍ତି ଅନୁସାରେ, କାଞ୍ଚି (କର୍ଣ୍ଣାଟକର ଉଦୟଗିରି) ଆକ୍ରମଣ କରି ପୁରୁଷୋତ୍ତମଦେବ ପ୍ରଥମେ ତାହାର ରାଜା ସାଲ୍ୱ ନରସିଂହଙ୍କ ଦ୍ୱାରା ପରାସ୍ତ ହୋଇଥିଲେ । ପରେ ଦ୍ୱିତୀୟବାର କାଞ୍ଚି ଅଭିଯାନ କଲାବେଳେ, ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ଯଥାକ୍ରମେ କଳା ଓ ଧଳା ଘୋଡ଼ାରେ ଚଢ଼ି ତାଙ୍କ ପାଇଁ ଯୁଦ୍ଧ କରିବାକୁ ବାହାରିଥିଲେ ।

ସେହି ଯୁଦ୍ଧଯାତ୍ରା ବେଳେ ଦୁଇଠାକୁର ମାଣିକ ଗଉଡ଼ୁଣୀଠାରୁ ଦହି ଖାଇଥିଲେ । ତାହା ଜାଣି ଗଜପତି ପୁରୁଷୋତ୍ତମ ଦେବ ମାଣିକ ନାମରେ ସେହି ସ୍ଥାନର ନାମ ରଖିଥିଲେ ମାଣିକ ପାଟଣା । ଓଡ଼ିଶାର ପଟ୍ଟଚିତ୍ରରେ ବଳଭଦ୍ର ଓ ଜଗନ୍ନାଥ ପାଇକ ବେଶରେ ସେହି ଯୁଦ୍ଧଯାତ୍ରା କରିବାର ଅନେକ ନିଦର୍ଶନ ଅଛି । ସେହି ଯୁଦ୍ଧରେ ବିଜୟୀ ହୋଇ ପୁରୁଷୋତ୍ତମ ଦେବ କାଞ୍ଚି ରାଜଜେମା ରୂପାମ୍ବିକା (ପଦ୍ମାବତୀ)ଙ୍କୁ ଉତ୍କଳକୁ ନେଇ ଆସିଥିଲେ । ପରେ ରୂପାମ୍ବିକାଙ୍କ ସହିତ ତାଙ୍କର ବିବାହ ମଧ୍ୟ ହୋଇଥିଲା । କିନ୍ତୁ ଶ୍ରୀମନ୍ଦିରର ରୀତିନୀତିରେ, ଶ୍ରୀଜଗନ୍ନାଥଙ୍କର ଆଉ ଏକ ଯୁଦ୍ଧବେଶ ଅଛି । ସେହି ନୀତିଟି ହେଉଛି ରୁକ୍ମିଣୀ ହରଣ । ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ଶ୍ରୀମନ୍ଦିରରେ ଏହି ରୁକ୍ମିଣୀହରଣ ଓ ବିବାହ ନୀତି ଅନୁଷ୍ଠିତ ହୋଇଥାଏ । ପୌରାଣିକ ଉପାଖ୍ୟାନ ଅନୁସାରେ, ଦ୍ୱାପର ଯୁଗରେ ବିଦର୍ଭ ଦେଶର ଅଧିପତି ବା ମହାରାଜା ଥିଲେ ଭୀଷ୍ମକ । ତାଙ୍କର ଥିଲେ ପାଞ୍ଚପୁତ୍ର ଓ ଏକମାତ୍ର କନ୍ୟା । କନ୍ୟାର ନାମ ରୁକ୍ମିଣୀ । ସେ ଥିଲେ ପରମା ସୁନ୍ଦରୀ ଓ ବୁଦ୍ଧିମତୀ । ଶ୍ରୀକୃଷ୍ଣ ତାଙ୍କୁ ଓ ସେ ଶ୍ରୀକୃଷ୍ଣଙ୍କୁ ବିବାହ କରିବାକୁ ଚାହୁଥିଲେ ମଧ୍ୟ, ରୁକ୍ମିଣୀଙ୍କ ବଡ଼ଭାଇ ରୁକ୍ମି ଚାହୁଥିଲେ, ଚେଦୀରାଜ ଶିଶୁପାଳଙ୍କ ସହ ତାଙ୍କର ବିବାହ ହେଉ ।

ରୁକ୍ମିଣୀ ଯେତେବେଳେ ଜାଣିଲେ ଯେ ରୁକ୍ମି ଶିଶୁପାଳଙ୍କ ସହିତ ତାଙ୍କର ବିବାହ କରାଇଦେବାକୁ ସ୍ଥିର କରିଛନ୍ତି, ସେ ଶ୍ରୀକୃଷ୍ଣଙ୍କୁ ଗୋଟିଏ ପତ୍ର ଲେଖିଲେ । ସେହି ପତ୍ର ପାଇ ଶ୍ରୀକୃଷ୍ଣ ଆସି ରୁକ୍ମିଣୀଙ୍କୁ ହରଣ କରିନେଲେ । ସେତେବେଳେ, ତାଙ୍କୁ ବିବାହ କରିବାକୁ ଆସିଥିବା ଶିଶୁପାଳ ସହ ଶ୍ରୀକୃଷ୍ଣଙ୍କର ଯୁଦ୍ଧ ହୋଇଥିଲା ଏବଂ ଶିଶୁପାଳ ପରାସ୍ତ ଓ ବନ୍ଦୀ ହୋଇଥିଲେ । ସେହି ରାତିରେ ରୁକ୍ମିଣୀଙ୍କ ସହ ତାଙ୍କର ବିବାହ ହେଲା । ଏହି ଯୁଦ୍ଧନୀତି ଶ୍ରୀମନ୍ଦିରରେ ଲୀଳାଭିନୟ ଭାବରେ ପାଳିତ ହୋଇଥାଏ । ଏଥିରେ ଶ୍ରୀଜଗନ୍ନାଥଙ୍କ ‘ବିଜେ ପ୍ରତିମା’ ବା ପ୍ରତିନିଧି ମଦନମୋହନ ଯୁଦ୍ଧବେଶ ହୋଇଥାଆନ୍ତି । କିନ୍ତୁ ଶ୍ରୀଜଗନ୍ନାଥଙ୍କର ଏକ ପ୍ରମୁଖ ଯୁଦ୍ଧବେଶ ହେଉଛି ‘ନାଗାର୍ଜୁନ ବେଶ’ । ଏହି ବେଶର ବିଶେଷତ୍ୱ ହେଉଛି, ଏଥିରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଉଭୟେ ‘ନାଗାର୍ଜୁନ’ ରୂପରେ ଦର୍ଶନ ଦିଅନ୍ତି । ଶ୍ରୀମନ୍ଦିରର ରତ୍ନବେଦୀରେ ହିଁ ଏହି ବେଶ ହୋଇଥାଏ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

March 7, 2026
ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

March 7, 2026
ମେଧାବୀ ତଥା ଗରିବ ଛାତ୍ର ଧନଞ୍ଜୟ ବୋନ ମେରୋ ମାରାତ୍ମକ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ସାହାର୍ଯ୍ୟ ନିବେଦନ

ମେଧାବୀ ତଥା ଗରିବ ଛାତ୍ର ଧନଞ୍ଜୟ ବୋନ ମେରୋ ମାରାତ୍ମକ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ସାହାର୍ଯ୍ୟ ନିବେଦନ

March 7, 2026
ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

March 7, 2026

Recent News

ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

March 7, 2026
ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

March 7, 2026
ମେଧାବୀ ତଥା ଗରିବ ଛାତ୍ର ଧନଞ୍ଜୟ ବୋନ ମେରୋ ମାରାତ୍ମକ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ସାହାର୍ଯ୍ୟ ନିବେଦନ

ମେଧାବୀ ତଥା ଗରିବ ଛାତ୍ର ଧନଞ୍ଜୟ ବୋନ ମେରୋ ମାରାତ୍ମକ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ସାହାର୍ଯ୍ୟ ନିବେଦନ

March 7, 2026
ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

March 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

March 7, 2026
ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version