No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ନଭେମ୍ବର ବୁଧବାର ) ଗଞ୍ଜାମ :- କୃତିକ ସୌନ୍ଦର୍ଯ୍ୟରେ ଭରପୂର ତଥା ସୁବିସ୍ତୀର୍ଣ୍ଣ ଜଳରାଶିର ଭଣ୍ଡାର ହୁମୁୁରୀ ତାମ୍ପରା ହ୍ରଦ ଗଞ୍ଜାମ ଜିଲା ଛତ୍ରପୁରଠାରୁ ୨ କି.ମି. ଦୂରରେ ଅବସ୍ଥିତ । ହ୍ରଦର ଗୋଟିଏ ପାର୍ଶ୍ୱରେ ରହିଛି ଜାତୀୟ ରାଜପଥ ଏବଂ ଅନ୍ୟ ପାର୍ଶ୍ୱରେ ବେଳାଭୂମି । ଝାଉଁ, କାଜୁ ଜଙ୍ଗଲ ଏବଂ କିଆବୁଦା ମଧ୍ୟରେ ରହିଛି ୮ କି.ମି. ବ୍ୟାପ୍ତ ବିସ୍ତୀର୍ଣ୍ଣ ଜଳରାଶି । ରାଜ୍ୟ ସରକାର ତାମ୍ପରାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି । ଏଥିସହ କେନ୍ଦ୍ର ସରକାର ମଧ୍ୟ ଏହାର ବିକାଶ ପାଇଁ ଆଗେଇ ଆସି ସ୍ବଦେଶ ଦର୍ଶନ ଯୋଜନାରେ ସାମିଲକରି ୩୩ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରିଛନ୍ତି । ଏବେ ତାମ୍ପରାର ନୂଆରୂପ ଦେଖିବାକୁ ମିଳିଛି, ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । କରୋନା ଯୋଗୁ ସଟ୍ଡାଉନ୍ ଓ ଲକ୍ଡାଉନ୍ ନେଇ ମାର୍ଚ୍ଚରୁ ଏଠାରେ ଥିବା ଜେଟି, ବୋଟିଂ, ୱାଟର ସ୍ପୋର୍ଟସ ବନ୍ଦ ରହିଛି । ମାତ୍ର ଏବେ ମାସେ ହେଲା ତାମ୍ପରା ହ୍ରଦ ନିକଟକୁ ଯିବା ପାଇଁ ଲୋକଙ୍କୁ ଅନୁମତି ମିଳିଛି । ତେବେ କିଛି ସୁବିଧା ନ ଥିବାରୁ ବାହାରୁ ପର୍ଯ୍ୟଟକ ଆସିବା ବନ୍ଦ ହୋଇଯାଇଛି । ଜେଟି, ବୋଟିଂ, ୱାଟର ସ୍ପୋର୍ଟସ ଏହି ମାସରେ ଖୋଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ତାମ୍ପରା ଅପରପାର୍ଶ୍ୱରେ ଝାଉଁ ଜଙ୍ଗଲ ଓ ପରେ ସମୁଦ୍ର ବେଳାଭୂମି ରହିଛି ।
ୱାଟର ସ୍ପୋର୍ଟସ ଓ ବୋଟିଂ ବ୍ୟବସ୍ଥା ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ୍ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଇଥିଲା । ଏବେ ତାମ୍ପରା ହ୍ରଦର ନୂଆ ରୂପ ଦେଖିବାକୁ ପାଇବେ ପର୍ଯ୍ୟଟକ । ଡିଆରଡିଏ ଅଧୀନରେ ଥିବା ଗେଷ୍ଟ ହାଉସ ଓ ପୂର୍ବରୁ ଥିବା ବୋଟ କ୍ଲବଠାରୁ ଏବେର ଥିବା ତାମ୍ପରା ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ, ପାର୍କ, ଆଲୋକ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ଏଥିରେ ଯୋଡି ହୋଇଯାଇଛି । ତାମ୍ପରା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଓଟିଡିସି ପକ୍ଷରୁ ମଧ୍ୟ ହ୍ରଦ ନିକଟରେ ପାଣି ଓ ଟଏଲେଟ୍ କମ୍ପ୍ଲେକ୍ସ ଓ ସ୍ନାକ୍ସ ବାର୍ ନିର୍ମାଣ ସରିଛି । ଏହା ଏହି ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କମ୍ପ୍ଲେକ୍ସ ପରିଚାଳନା ପାଇଁ ରମ୍ଭା ପାନ୍ଥ ନିବାସ ମ୍ୟାନେଜରଙ୍କୁ ହସ୍ତାନ୍ତର କରାଯାଇଛି । ଏଥିପାଇଁ ୧ କୋଟି ୪୨ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଥିଲା । ଏଥିସହ ତାମ୍ପରା ହ୍ରଦ ନିକଟରେ ଘରୋଇ ସଂସ୍ଥା ଗୁଡିକ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା କରିଛନ୍ତିି । ଅଗସ୍ତି ନୂଆଗାଁ ରୁ ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ତାମ୍ପରା ହ୍ରଦର ଓସାର ୧.୨୫ କି.ମି. ରହିଛି । ଏହାର ଗଭୀରତା ୧୪ ଫୁଟ୍ । ତାମ୍ପରାରୁ ଜଳସେଚନର ସୁବିଧା ମିଳୁଛି । ଏଥିସହ ଛତ୍ରପୁର ସହରକୁ ମଧ୍ୟ ଏଠାରୁ ପାନୀୟ ଜଳ ଯୋଗାଣ ହୋଇଥାଏ । ଏହି ହ୍ରଦର ପାଣି ମଧୁର ହୋଇଥିବାରୁ ସ୍ଥାନୀୟ ଧୀବରମାନେ ଏଠାରୁ ମାଛ ଧରିଥାନ୍ତି । ( ରିପୋର୍ଟ -ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result