No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୩ ନଭେମ୍ବର ସୋମବାର ) ଢେଙ୍କାନାଳ :- ଆଜି ଜିଲ୍ଲା କାର୍ଯ୍ୟାଳୟ ଭିଡିଓ କନଫରେନ୍ସ ହଲରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ,ଏସଡିପିଓ, ବିଡିଓ, ତହସିଲଦାର, ପୌରାଞ୍ଚଳ ଏବଂ ବିଜ୍ଞାପିତ ଅଞ୍ଚଳର ନିର୍ବାହୀ ଅଧିକାରୀ ଓ ସିଡିପିଓ ମାନଙ୍କ ସହିତ ଜିଲ୍ଲାର କରୋନା ସ୍ଥିତି ସମ୍ପର୍କରେ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରି ସମୀକ୍ଷା କରିଥିଲେ । ସଂପ୍ରତି ସଂକ୍ରମଣକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଅବସରରେ କୌଣସି ମନ୍ଦିରରେ ଦେବାଦେବୀ ଦର୍ଶନ ଓ ଜନସମାଗମକୁ ବାରଣ କରାଯିବା ସହିତ ମନ୍ଦିର ସଂଲଗ୍ନ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ।ପଞ୍ଚୁକ ସମୟରେ ମଧ୍ୟ କୋୖଣସି ସ୍ଥାନରେ ବା ଘାଟରେ ଏକତ୍ରିତ ହୋଇ ଡଙ୍ଗା ଭସାଇବାକୁ ଅନୁମତି ଦିଆଯିବ ନାହିଁ ।
ସେହିପରି ବିବାହ,ବ୍ରତ ଆଦି ଉତ୍ସବରେ ଶହେରୁ ଅଧିକ ଲୋକ ଏକତ୍ରିତ ହେବାକୁ ନିଷିଦ୍ଧ କରାଯିବା ସହ ସମସ୍ତ ଉପ-ଜିଲ୍ଲାପାଳ, ଏସଡିପିଓ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଏଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ସହ ଏଥିରେ ଅବମାନନା କଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା ଆଦାୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ସ୍ଵାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ଗର୍ଭବତୀ ମହିଳା, ଥଣ୍ଡା, ଜର, କାଶରେ ଆକ୍ରାନ୍ତ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟ ସଂପର୍କୀତ ସଠିକ୍ ତଥ୍ୟ ସଂଗ୍ରହ କରିବେ। ଆବଶ୍ୟକ ସ୍ଥଳେ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ୍ ଓ ଆରଟିପିସିଆର୍ ଉପରେ ଗୁରୁତ୍ବ ଦିଆଯିବ। ମାର୍କେଟର ସମସ୍ତ ବ୍ୟବସାୟୀ ଏବଂ ସେମାନଙ୍କ କର୍ମଚାରୀ ମାନଙ୍କର ମାସକୁ ଥରେ ଲେଖାଏଁ କରୋନା ଟେଷ୍ଟ କରାଯିବ। ଆକ୍ରାନ୍ତଙ୍କ ବାସଗୃହରେ ଷ୍ଟିକରିଂ କରାଯିବା ସହିତ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଚାର ମାଧ୍ୟମରେ ଅଧିକ ସଚେତନ କରାଯିବ।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସୌଦାମିନୀ ସେଠୀ, ପ୍ରକଳ୍ପ ନିର୍ଦ୍ଦେଶକ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନରୋତ୍ତମ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ସୁଜାତା ରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଶ୍ରୀ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର,ଡିପିଏସ୍ ଶ୍ରୀମତୀ ସୋନାଲୀ ପ୍ରିୟଦର୍ଶିନୀ, ସଦର ତହସିଲଦାର ଶ୍ରୀ ଲକ୍ଷ୍ମୀଧର ରାଉତ, ଡେପୁଟି କଲେକ୍ଟର ଶ୍ରୀ ସିତାଂଶୁ ଶେଖର ଦାସ,ଆଶିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଶଶାଙ୍କ ଶେଖର ମିଶ୍ର, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତଙ୍କ ସମେତ କାମାକ୍ଷାନଗର ଏସଡିଏମଓ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ୍ ଅମର ରଞ୍ଜନ ଦାସ)
No Result
View All Result