No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) ଭୁବନେଶ୍ୱର :- ଚଳିତ ବିଧାନସଭାର ପଞ୍ଚମ ଅଧିବେଶନ ଅବ୍ୟବହତି ପୂର୍ବରୁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ବାଚସ୍ପତି ଡ. ପାତ୍ର ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ସ୍ୱାଗତ କରି ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ସଂପନ୍ନ କରିବା ପାଇଁ ସବୁ ଦଳର ସକ୍ରିୟ ସହଯୋଗ କାମନା କରିଥିଲେ । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏବଂ ଶୀତଦିନରେ ଏହା ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ବିଧାନସଭା ଅଧିବେଶନ କାଳରେ ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବାଚସ୍ପତି ଡ. ପାତ୍ର ସୂଚନା ଦେଇଥିଲେ ।
ସମସ୍ତ ମନ୍ତ୍ରୀ, ବିଧାୟକ, ଓଡ଼ିଶା ବିଧାନସଭା ସଚିବାଳୟର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସେ ପାର୍ଟ ଷ୍ଟାଫଙ୍କ କରୋନା ଟେଷ୍ଟ କରାଯାଉଛି ଏବଂ ନେଗେଟିଭ୍ ବାହାରିଲେ ହିଁ ସେମାନଙ୍କୁ ଗୃହ ଭିତରକୁ ଆସିବାକୁ ଅନୁମତି ପ୍ରଦାନ କରାଯିବ । ସାମାଜିକ ଦୂରତ୍ୱ ନିୟମ ମାନିବା ପାଇଁ ଅଧିବେଶନ ସମୟରେ ପ୍ରତ୍ୟେକ ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର ଆସନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୪ ଫୁଟ ବ୍ୟବଧାନରେ ଆସନ ବ୍ୟବସ୍ଥା ସହ ପ୍ରତ୍ୟେକ ବିଧାନସଭା ସଭ୍ୟଙ୍କ ଆସନ ସମ୍ମୁଖରେ ଗ୍ଲାସ୍ ଲାଗିବା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ମୁନିସି ପାଲିଟି ତରଫରୁ ପ୍ରତ୍ୟେକ ଦିନ ନିୟମିତ ଭାବେ ଦୁଇଥର ବିଧାନସଭା ପ୍ରକୋଷ୍ଠକୁ ସାନିଟାଇଜ୍ କରାଯିବ ।
ଆସନ୍ତା ୨୦ ତାରିଖ ଠାରୁ ଡିସେମ୍ଵର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ଶନିବାର ଏବଂ ରବିବାର ଦିନ ମଧ୍ୟ ଗୃହ କାର୍ଯ୍ୟ ଚାଲୁ ରହିବ । ବିଧାନସଭା ଆରମ୍ଭ ଦିବସ ଦିବା ୧୧ ଘଟିକାରୁ ଥିବା ସ୍ଥଳେ ଅନ୍ୟ ଦିବସଗୁଡ଼ିକରେ ପୂର୍ବାହ୍ନ ୧୦ଟା ୩୦ ମିନିଟ୍ରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ । ବିଧାନସଭା ଅଧିବେଶନ କାଳରେ କୌଣସି ତାରକା ପ୍ରଶ୍ନ ରହିବ ନାହିଁ ଏବଂ ଅଣତାରକା ପ୍ରଶ୍ନଗୁଡ଼ିକର ଉତ୍ତର ବିଧାନସଭା ସଭ୍ୟମାନଙ୍କୁ ଡାକ ଯୋଗେ ଯୋଗାଇ ଦିଆଯିବ । ନଭେମ୍ଵର ୨୬, ୨୭ ଏବଂ ୨୮ ତାରିଖ ଦିନ ଅନୁଦାନ ନିମନ୍ତେ ଦାବି, ୨୦୨୦-୨୧ ମସିହା ପାଇଁ ପ୍ରଥମ ଅତିରିକ୍ତ ଖର୍ଚ୍ଚ ବିବରଣୀ ଏବଂ ନଭେମ୍ଵର ୨୯ ତାରିଖ ଦିନ ୨୦୨୦-୨୧ ମସିହା ପାଇଁ ପ୍ରଥମ ଅତିରିକ୍ତ ଖର୍ଚ୍ଚ ବିବରଣୀ ଉପରେ ବିନିଯୋଗ ବିଲ୍ ଗୃହରେ ଆଗତ ହେବ ।
ବୟସାଧିକ ବିଧାୟକ କିଞ୍ଚା ରକ୍ତଚାପ, ମଧୁମେହ ଇତ୍ୟାଦି ରୋଗରେ ପୀଡ଼ିତ ବିଧାୟକ ମାନେ ଯଦି ଚାହିଁବେ ବିଧାନସଭା ଅଧିବେଶନକୁ ନଆସି ଓକାକ୍ ଭୁବନେଶ୍ୱର, ଲୋକସେବା ଭବନର ସମ୍ମିଳନୀ କକ୍ଷ, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥିତ ଭିଡ଼ିଓ କନ୍ଫରେନ୍ସ ହଲ୍ରେ ରହି ମଧ୍ୟ ବିଧାନସଭାର ଅଲୋଚନାରେ ଭାଗ ନେଇ ପାରିବେ । ଗତ ଅଧିବେଶନ ଭଳି ଚଳିତ ଅଧିବେଶନରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱତନ୍ତ୍ର ପାସ୍ ପ୍ରଦାନ କରାଯିବ । ବିଧାୟକ ମାନଙ୍କ ଦ୍ୱାରା ପ୍ରାଧିକୃତ ବିନା ଅନ୍ୟ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଲବି ପାସ୍ ପ୍ରଦାନ କରାଯିବ ନାହିଁ ।
ବିଧାନସଭା ଅଧିବେଶନ ସମାପ୍ତ ପରଦିନ ପୁଣି ସମସ୍ତ ବିଧାୟକ ଏବଂ ଅନ୍ୟ ସେ ପାର୍ଟ ଷ୍ଟାଫ୍ଙ୍କ ର କରୋନା ଟେଷ୍ଟ କରାଯିବ । ଉକ୍ତ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉ ପସ୍ଥିତ ଥିଲେ ।
No Result
View All Result