ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ରବିବାର ) ବରଗଡ଼ :- ପ୍ରଧାନମନ୍ତ୍ରୀ ସ୍ୱନିଧି ଆତ୍ମନିର୍ଭର ଯୋଜନା କୁ ମାନୁ ନାହାନ୍ତି ବ୍ୟାଙ୍କ ମାନେ, ମାତ୍ର ଦଶ ହଜାର ଟଙ୍କା ର ବିନା ଗ୍ୟାରେଣ୍ଟର ଋଣ ଦେବା ପାଇଁ ଜିଲ୍ଲାର ମୁଖ୍ୟ ବ୍ୟାଙ୍କ ମାନେ ନାରାଜ । ଗ୍ରାହକଙ୍କୁ ବାରମ୍ବାର ଦୌଡାଇ ହଇରାଣ କରୁଛନ୍ତି। ଜିଲ୍ଲାର 170 ଟି ବ୍ୟାଙ୍କ ତଥା ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାନଙ୍କୁ ଏହି ସୁଲଭ ଋଣ ଦେବାପାଇଁ ନିର୍ଦ୍ଦେଶ ହୋଇଥିବାବେଳେ, ଅଳ୍ପ କେତୋଟି ଶାଖା କୁ ଛାଡ଼ିଦେଲେ ଅନ୍ୟ ବ୍ୟାଙ୍କ ମାନେ ଋଣ ଦେଉ ନାହାନ୍ତି। ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାନେ ସରକାରଙ୍କ ଏ ନିର୍ଦ୍ଦେଶ, ଯେଉଁଥିରେ ବାର୍ଷିକ 7% ସୁଧ ପ୍ରଭାବୀ ରହିଛି, ତଥା ଏହି ଋଣର ବାକି ସୁଧ ସରକାର ସବ୍ସିଡି ଆକାର ରେ ବ୍ୟାଙ୍କ ମାନଙ୍କୁ ପ୍ରଦାନ କରିବା ନିୟମ ହୋଇଛି, ତାହା ମାନୁ ନାହାନ୍ତି ।

ଗୃପ ପାର୍ଟି ଋଣ ରେ ସେମାନେ ବାର୍ଷିକ 24% ସୁଧ ଅସୁଲି କରିବା ପାଇଁ ଯାବତୀୟ ଅମାନବୀୟ କାରବାର କରୁଥିବା ବେଳେ, କେନ୍ଦ୍ର ସରକାର ଙ୍କ ନିର୍ଦ୍ଦେଶ କୁ ସ୍ପଷ୍ଟ ଅବମାନନା କରୁଛନ୍ତି । ଆଗାମୀ ଦିନରେ ବରଗଡ଼ ଜିଲ୍ଲା ଉଠା ଦୋକାନୀ ସଂଘ ଏ ନେଇ ଜନଜାଗରଣ କାର୍ଯ୍ୟକ୍ରମ ହାତକୁ ନେବା ସହ , ଅବହେଳା କରୁଥିବା ବ୍ୟାଙ୍କ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସଭାରେ ଜିଲ୍ଲା ଉଠା ଦୋକାନୀ ସଂଘ ଆବାହକ ଶ୍ରୀ ଅମିତାଭ ପାତ୍ର , କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ରମେଶ ମହାପାତ୍ର , ଶ୍ରୀ ଭବାନୀ ପ୍ରସାଦ ସାହୁ , ଭେଣ୍ଡିଙ୍ଗ କମିଟି ସଦସ୍ୟ ସଲିମ ଭାଇ ପରିଚାଳନା କରିଥିବାବେଳେ ସହରର ବିଭିନ୍ନ ଅଞ୍ଚଳରେ ଉଠାଦୋକାନ ବ୍ୟବସାୟ କରି ଚଳୁଥିବା ପ୍ରତିନିଧି ମାନେ ଯୋଗଦାନ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)













