ଓଡ଼ିଶା ତାଜା ନିୟୁଜ୍ (୨୦ ଅକ୍ଟୋବର ମଙ୍ଗଳବାର) ଭୁବନେଶ୍ୱର :- ନ୍ୟୁୟର୍କ ,ଆମେରିକାରେ ପାଖାପାଖି ୭ଦଶକ ପରେ ପ୍ରଥମ ଥର କୌଣସି ମହିଳାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉଛି । ଏହି ମହିଳାଙ୍କୁ ଜଣେ ଗର୍ଭବତୀଙ୍କୁ ହତ୍ୟା କରିବା,ତାଙ୍କ ପେଟ କାଟି ଶିଶୁକୁ ଅପହରଣ କରିବା ଅପରାଧରେ ଦଣ୍ଡିତ କରାଯାଇଛି। କୋର୍ଟଙ୍କ ଆଦେଶରେ ଏବେ ତାଙ୍କୁ ଡିସେମ୍ବର ୮ତାରିଖରେ ପ୍ରାଣଘାତୀ ଇଞ୍ଜେକ୍ସନ ଲଗାଇ ମୃତ୍ୟୁଦଣ୍ଡ ଦିଆଯିବ। ଅଧିକାରୀଙ୍କ ମୁତାବକ ୨୦୦୪ରେ ପୋଷା କୁକୁର କିଣିବା ବାହାନାରେ ୨୩ବର୍ଷ ବୟସ୍କା ବବି ଷ୍ଟିନେଟଙ୍କ ମିସୌରୀ ସ୍ଥିତ ଘରେ ପହଞ୍ଚି ଅଭିଯୁକ୍ତ ଲିସା ମାଣ୍ଟଗୋମେରୀ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ସେତେବେଳେ ୩୬ବର୍ଷ ବୟସ୍କା ମାଣ୍ଟଗୋମେରୀ ସର୍ବପ୍ରଥମେ ୮ମାସର ଗର୍ଭବତୀ ଷ୍ଟିନେଟଙ୍କୁ ବେକରେ ଦଉଡ଼ିରେ ତଣ୍ଟି ଚିପି ହତ୍ୟା କରିଥିଲେ। ଏହା ପରେ ତାଙ୍କ ପେଟ ଫାଡ଼ି ଶିଶୁକୁ ନେଇ ଫେରାର ହୋଇଯାଇଥିଲେ।
ଧରା ପଡ଼ିବା ପରେ ମାଣ୍ଟଗୋମେରୀ ମିସୌରୀ ଅଦାଲତରେ ନିଜ ଅପରାଧ ମାନିଥିଲେ ଏବଂ ୨୦୦୮ମସିହାରେ ବିଚାରପତି ତାଙ୍କୁ ଅପହରଣ ଏବଂ ହତ୍ୟାର ଦୋଷୀ ସାବ୍ୟସ୍ତ କରିଥିଲେ। ମାମଲାର ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଓକିଲ କୋର୍ଟରେ ତାଙ୍କ ଅସୁସ୍ଥ ଥିବାର କହିଥିଲେ। ବିଚାରପତି ଏହାକୁ ଖାରଜ କରିଥିଲେ। ଆମେରିକାରେ ପାଖାପାଖି ୨୦ବର୍ଷର ରୋକ ପରେ ୩ମାସ ତଳେ ହିଁ ମୃତ୍ୟୁ ଦଣ୍ଡ ପୁର୍ନବାର ଦାଖଲ ହେଲା। ଏହା ପରେ ବି ଲିସା ନବମ ସଂଘୀୟ କଏଦୀ ଯାହାକୁ ଏହି ଦଣ୍ଡ ମିଳିବ। ଆମେରିକାରେ ୧୯୫୩ମସିହାରେ ଶେଷ ଥର କୌଣସି ମହିଳାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା । (ନିଉଜ୍ ଏଡିଟର ସ୍ବରୂପ ଦାସ)