ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ସୋମବାର) ପଦ୍ମପୁର :- କେନ୍ଦୁପତ୍ର ସିଜିନାଲ କର୍ମଚାରୀ, ୱାଚର, ତୁତାଲୀ,ବନ୍ଧେଇ ଶ୍ରମିକଙ୍କ ବିଭିନ୍ନ ଦାବି ନେଇ ପଦ୍ମପୁର କେନ୍ଦୁପତ୍ର ଡିଏଫଓ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ନିଷ୍ପତ୍ତି ନେଇଛି । ପାଇକମାଲ କେନ୍ଦୁପତ୍ର ଅତିଥି ଭବନ ଠାରେ ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ କମିଟି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଘର ରାଜ୍ୟ ସଂପାଦକ ଶ୍ରୀ କୋକିଳ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଦ୍ମପୁର ଡିଭିଜନ ଅନ୍ତର୍ଗତ ୯ଟି ରେଞ୍ଜର ହେଡଚେକର, ସର୍କଲ ଚେକର, ରେଞ୍ଜ ସଂପାଦକ, ୱାଚର, ତୋଳାଳୀ ଆଦି ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ।
ପଦ୍ମପୁର ଡିଏଫଓ ଙ୍କ କେତେକ ବେଆଇନ୍ ନିଷ୍ପତ୍ତି,ସିଜିନାଲ କର୍ମଚାରୀଙ୍କ ପ୍ରମୋଶନ,କେନ୍ଦୁପତ୍ର ତୋଳାଳୀଙ୍କୁ ୧୦ଚଟା ପତ୍ରରେ ଶ୍ରମିକ ମଙ୍ଗଳ ପାଣ୍ଠିରେ ସାମିଲ କରିବା, କେତେକ ଫଡି ଘରେ ରଚେଇ,ବୁହେଇ,ଫଡି ମରାମତି ରେ ସରକାରୀ ଅର୍ଥ ଆତ୍ମସାତ କରିବା ତଦନ୍ତ, ମୃତ୍ୟୁ ବରଣ କରିଥିବା ସିଜିନାଲ କର୍ମଚାରୀ ମାନଙ୍କୁ ଶ୍ରମିକ ମଙ୍ଗଳ ପାଣ୍ଠିରେ ସହାୟତା ଯୋଗାଇ ଦେବା, ଅବସର ପ୍ରାପ୍ତ ସିଜିନାଲ କର୍ମଚାରୀ ମାନଙ୍କୁ ଗ୍ରାଜୁଏଟି ପ୍ରଦାନ କରିବା ଆଦି ଦାବିକୁ ନେଇ ଡିଏଫଓ ଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ ସଂଘର ଏହି ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । କୋଭିଡ ନିୟମ ଆଧାରରେ ଆନ୍ଦୋଳନ ହେବା ସହ ଏହି ଆନ୍ଦୋଳନ ପାଇଁ ଅନୁମତି ପ୍ରଦାନ କରିବା ସକାଶେ ସଂଘ ତରଫରୁ ପଦ୍ମପୁର ଉପ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇବା ପାଇଁ ସ୍ଥିର କରାଯାଇଥିଲା ।
କେନ୍ଦୁପତ୍ର କର୍ମଚାରୀ ସଂଘର ଏହି ବୈଠକରେ ସଂଘର ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବ ଶ୍ରୀ ସୁରେଶ ପଣ୍ତା, ଶ୍ରୀ ରାଜେନ୍ଦ୍ର ପ୍ରସାଦ ଯୋଶୀ, ଶ୍ରୀ ରୁଶଭ ପ୍ରଧାନ, ଶ୍ରୀ ଚୁଡାମଣି ପାଣିଗ୍ରାହୀ,ଶ୍ରୀ ବସନ୍ତ ସାହୁ,ଶ୍ରୀ ଭାତୀକ ନାଗ,ଶ୍ରୀ ଜୟ କୁମାର ତାଣ୍ତି, ଶ୍ରୀ ନିମାଇଁ ଚରଣ ବୋଗରିଆ,ଶ୍ରୀ ଅରମାନ ଖାଁ, ଶ୍ରୀ ନାରାୟଣ ସାହୁ,ଶ୍ରୀ ଜଗବନ୍ଧୁ ମିର୍ଦ୍ଧା ଯୋଗଦାନ କରି ଆଲୋଚନାରେ ଭାଗ ନେଇ ଥିଲେ । ଜଙ୍ଗଲ ବିଭାଗ ପ୍ରମୁଖ ଶାସନ ସଚିବ ଓ କେନ୍ଦୁପତ୍ର ସଂସ୍ଥାର ପିସିସିଏଫ ଙ୍କୁ ଏ ଆନ୍ଦୋଳନ ବିଷୟରେ ଅବଗତ କରିବା ପାଇଁ ସ୍ଥିରୀକୃତ ହେଲା । (ରିପୋର୍ଟ – ନିରୋଜ କୁମାର ପାଣୀ)