ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ସୋମବାର) କଳାହାଣ୍ଡି :- କର୍ଲାମୁଣ୍ଡା ବ୍ଳକ ଅଧ୍ୟକ୍ଷା ଅମ୍ରିତା ସାହୁ ଅନାସ୍ଥା ପ୍ରସ୍ତାବରେ ପରାଜିତ ହେବା ପରେ ଉପାଧ୍ୟକ୍ଷା ଆନନ୍ଦିନୀ ଭୋଇ ଅଧ୍ୟକ୍ଷା ପଦରେ ଦାୟିତ୍ଵ ଗ୍ରହଣ କରିଛନ୍ତି। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପତ୍ରସଂଖ୍ୟା ୯୫୬ ଅନୁଯାୟୀ ଉପାଧ୍ୟକ୍ଷା ଆନନ୍ଦିନୀ ଭୋଇ ଏହି ପଦରେ ଆସିନ ହୋଇଛନ୍ତି । ଆଜି ଆନୁଷ୍ଠାନିକ ଭାବେ ଶ୍ରୀମତୀ ଆନନ୍ଦିନୀ ଭୋଇ କର୍ଲାମୁଣ୍ଡା ଶିବ ମନ୍ଦିରରୁ ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସରପଞ୍ଚ ଓ ନିଜ ସମର୍ଥକଙ୍କ ସହ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ନୂତନ ଅଧ୍ୟକ୍ଷା ପଦର ଦାୟିତ୍ବ ଗ୍ରହଣ କରିଛନ୍ତି ।
ଏହି ଅବସରରେ କର୍ଲାମୁଣ୍ଡା ବିଡ଼ିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଧା ତାଙ୍କୁ ସ୍ବାଗତ ଜଣାଇଥିଲେ। ଉପସ୍ଥିତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟମାନେ ପୁଷ୍ପଗୁଚ୍ଛ,ଉତ୍ତରିୟ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ବ୍ଳକ ଅଧ୍ୟକ୍ଷା ପଦରେ ଶ୍ରୀମତୀ ଭୋଇ ଦାୟିତ୍ୱ ଗ୍ରହଣ ପରେ ସମସ୍ତଙ୍କୁ ସାଙ୍ଗରେ ନେଇ ବ୍ଳକର ସର୍ବାଙ୍ଗୀନ ବିକାଶ ନିମିତ୍ତ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ)