ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ଭୁବନେଶ୍ବର :- ସାମ୍ବାଦିକତା ଏକ ନିଶା ନା ପେଶା ? ଯଦି ‘ନିଶା’ ତା’ହେଲେ ଚଳିବ । ଯଦି ‘ପେଶା’ ହେଲେ ପେଟ ପାଇଁ ମରିବାଟା ଥୟ । ହାତ ଗଣତିରେ କେଇଟା ଖବରକାଗଜ ଆଉ TV ମିଡି଼ଆକୁ ଛାଡି଼ ଦେଲେ ଆଉ ପ୍ରାୟ ସମସ୍ତ ସଂସ୍ଥା କୋୖଣସି ସାମ୍ବାଦିକଙ୍କୁ ମାସିକିଆ ବେତନ କିମ୍ବା ଭତ୍ତା ଦିଅନ୍ତି ନାହିଁ । ଓଡିଶା ସରକାର ଏଇ କିଛିଦିନ ତଳେ କିଛି ଜୀବନ ବୀମା ବ୍ୟବସ୍ଥା କରିଛନ୍ତି । କିନ୍ତୁ ତାହା କେତେ କାର୍ଯ୍ୟକାରୀ ହେବ ସେ ସମୟ କହିବ ! ଜଣେ ସାମ୍ବାଦିକ ଖରା-ବର୍ଷା, ଦିନ-ରାତି ଏକ କରି ଯେତେବେଳେ ଖବର ସଂଗ୍ରହ କରି ବନ୍ୟା-ବାତ୍ୟା, ଦୁର୍ଘଟଣା ଏବଂ ରାଜନୀତିର ରୋଚକ ଖବରକୁ ଆଣି ଲୋକଙ୍କ ପାଖରେ ପହଞ୍ଚାଏ ତାକୁ କଣ ଲାଭ ମିଳେ ? ଖାଲି କିଛି ବାହା ବାହା ଛଡ଼ା ଆଉ କିଛି ନୁହେଁ । ବରଂ ମିଳେ ସେଇ TV ଆଉ ଖବରକାଗଜକୁ TRP । ବିଚରା ସାମ୍ବାଦିକଟା ଘରକୁ ଫେରିଲା ବେଳକୁ ତା’ ଘରେ ତାର ଚୁଲି ଜଳି ନ ଥାଏ । ବୁଢା ବାପା-ମା ପୁଅର ଫେରିବା ବାଟକୁ ଚାହିଁ ଉପାସରେ ରହିଥାଏ । ସ୍ତ୍ରୀ ଅଭାବ ଯୋଗୁଁ ନିଜେ ନ ଖାଇ ସ୍ବାମୀର ଫେରିବା ବାଟକୁ ଚାହିଁ ବସିଥାଏ ।
ଉପାସ-ଭୋକରେ ପେଶି ହୋଇ କବାଟ କୋଣରେ ଲୁଚି ଛାତିରେ ଛାତିରେ କୋହକୁ ଜାବୁଡ଼ି ଧରି କାନ୍ଦୁଥାଏ ଏବଂ ନିଜର ଚିରା ପଣତକାନିରେ ଲୁହ ପୋଛୁଥାଏ । ପିଲାଟିକୁ କୋଳରେ କୋଳେଇ ପିଲାଟିର ଭବିଷ୍ୟତକୁ ତା ଭାଗ୍ୟ ଉପରେ ଛାଡି ଦେଇଥାଏ । ଏ ହେଉଛି ଜଣେ ସଚ୍ଚୋଟ ସାମ୍ବାଦିକର ପରିବାରିର କଥା । ସେପଟେ ତା’ ଖବରକାଗଜର ମାସକର ବିଲ୍ ପୈଠ ପାଇଁ ତାଗିଦ୍ ସହ ବିଜ୍ଞାପନ ପାଇଁ ଆଦେଶ ତା ମୁଣ୍ଡକୁ ଏକଦମ୍ ଟିଣ କରିଦେଇଥାଏ । ଦିନସାରା ବାହାର ଟେନସନ୍, ଘରେ ପହଞ୍ଚିଲେ ଘର ଟେନସନ୍ କୁ ନେଇ ବିଚାର ସାମ୍ବାଦିକଟି ବିଚଳିତ ହୋଇଯାଇଥାଏ । ସମସ୍ତେ ଦେଖୁଥିବା ହସ ହସ ମୁହଁର ଭିତରେ ଯେ, କେତେ ଦୁଃଖ-କଷ୍ଟ ତାହା କେହି ବୁଝିପାରନ୍ତି ନାହିଁ । ତାହା କେବଳ ସେଇ ସାମ୍ବାଦିକଟିଏ ହିଁ ଜାଣିଥାଏ । ହେ ସରକାର ହେ ଖବରକାଗଜର ମାଲିକମାନେ ଏ ବୃତ୍ତି କରୁଥିବା ଲୋକଙ୍କ ପ୍ରତି ସଦୟ ହୁଅ ସେମାନେ କେମିତି ଏ ସମାଜରେ ସମ୍ମାନର ସହ ବଞ୍ଚିପାରିବେ ସେଥିପ୍ରତି ଯତ୍ନବାନ ହୁଅ । ।। ଇତି ।। ଜଣେ ନିରପେକ୍ଷ – ସଚ୍ଚୋଟ ସାମ୍ବାଦିକ (ଭୁବନେଶ୍ୱର /ରିପୋର୍ଟ /ସ୍ୱରୂପ ଦାସ୍ )