ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ସୋମବାର) ଭୁବନେଶ୍ୱର :- ଆମ୍ବୁଲାନସ ଭଡା ଦବାକୁ ପାଖରେ ପଇସା ନାହିଁ । ଟ୍ରଲି ରିକସାଟେ ଦିନକୁ ପଚାଶ ଟଙ୍କା ଭଡାରେ ଆଣି ରୋଗୀଣା ସ୍ତ୍ରୀକୁ ବସେଇ ସାକ୍ଷୀଗୋପାଳରୁ କଟକ ନେଇଆସିଲା । ମୁଁ କାହାକୁ ଦୋଷ ଦେବିନି ।କେହି କିଛି କଲେନି ବୋଲି ବି କହିବିନି । ସର୍କାର କଣ କରୁଥୁଲେ କି ବିରୋଧୀ ଦଳ କଣ କରୁଥୁଲେ କି ରାଜନୈତିକ ନେତାମାନେ କରୁଥୁଲେ କି ସମାଜସେବୀ ସବୁ କୁଆଡେ ଗଲେ କେହି ଜାଣି ପାରିଲେନି ୟେ କଥା ବି କହିବିନି । କାରଣ ସେ ଲୋକଟା ମୋ ଘର ସାମନାରେ ହିଁ ଯାଇଥିବ । ପୁରୀରୁ କଟକ ଗଲା ବାଟରେ ରାସ୍ତାକଡରେ ମୋ ଘର।ଟ୍ରଲିରେ ସ୍ତ୍ରୀକୁ ବସେଇ ସିଏ ଗଲାବେଳେ ଅବଶ୍ୟ ମୁଁ ଦେଖିନାହିଁ ହେଲେ ଦେଖିଥିଲେ ବି କେବେ ନଜର ପକେଇନଥା’ନ୍ତି କି ତାକୁ ଅଟକେଇ କିଛି ପଚାରିନଥା’ନ୍ତି । ଟ୍ରଲିରେ ପିଲାଛୁଆଙ୍କୁ ବସେଇ ଗରୀବ ଲୋକଟେ ରାସ୍ତାରେ ଯିବାଟା ଗୋଟେ ଦେହସୁହା କଥା ।
ଥରେ ଭାବିଲେ । ଟ୍ରଲିରେ ରୋଗୀଣା ସ୍ତ୍ରୀ।ଉଦୁଉଦିଆ ଖରା । ଭୋକିଲା ପେଟରେ ଟାଣି ଟାଣି ନଉଥୁବ। କେତେ ଗାଡି ମଟର ହର୍ଣ୍ନ ମାରି ଭୁସ୍ ଭାସ୍ ପଳଉଥୁବ । ବାଟ ସରୁନଥୁବ।ଲୋକଟା ବେଳେବେଳେ ବିକଳ ହେଇ ତା’ ସ୍ତ୍ରୀ ମୁହଁକୁ ଚାହୁଁଥୁବ।ମନରେ ଆଶା ସ୍ତ୍ରୀକୁ ଭଲ କରିବ।ହେଲେ ଭଗବାନ ବଡ ନିଷ୍ଠୁର।ଗରୀବର ଡାକ ଶୁଭିଲାନି ତାଙ୍କୁ।ସ୍ତ୍ରୀ ଚାଲିଗଲା । ଲୋକଟା ସେହି ରାସ୍ତାରେ ଟ୍ରଲିରେ ଏକା ଘରକୁ ଫେରିବ।କେତେ କଷ୍ଟ କଲା ହେଲେ ସଫଳ ହେଲାନି।ସତରେ ଥରେ ଭାବିଲେ କେତେ ଦୁଃଖର କଥାଟିଏ !
ଏଥି ପାଇଁ ଦାୟୀ କିଏ ! ଆମେ କାହାକୁ ଦାୟୀ କରିବା ! ୧୯୪୭ ରେ ଆମେ ସ୍ୱାଧୀନ ହେଲେ ! ସେବେ ସାହେବମାନେ ଥିଲେ ଆଜି ବି ଅଛନ୍ତି । ଆମକୁ ଶାସନ କରୁଛନ୍ତି। ଫରକ ଏତିକି ଗୋରା ଗଲେ କଳା ଆଇଲେ । ଆମେ ସାହେବଙ୍କର ଗୁଲାମୀ କଲେ । ଜିନ୍ଦାବାଦ ପକେଇଲେ । ଅଗଷ୍ଟ ପନ୍ଦର ଜାନୁୟାରୀ ଛବିଶରେ ତାଳି ମାଇଲେ ହେଲେ ଆମ ଅବସ୍ଥା ସୁଧୁରିଲାନି । (ରିପୋର୍ଟ /ସ୍ୱରୂପ ଦାସ୍ )