ଖଣ୍ଡପଡା (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଖଣ୍ଡପଡ଼ା ଅଞ୍ଚଳ ଦେଇ ପ୍ରବାହିତ ମହାନଦୀ ଓ କୁସୁମୀ, କୁଆଁରିଆ, ଆମ୍ବନାଳ ପ୍ରଭୃତି ଶାଖାନଦୀର ବିଭିନ୍ନ ଘାଟରୁ ମାଫିଆମାନେ ଦିନରାତି ବେଫିକର ଭାବେ ଚୋରାରେ ବାଲି ଚାଲାଣ କରୁଥିବା ଅଭିଯୋଗ ହେଉଛି। ଦିନକୁ ଦିନ ବାଲି ଚୋରା ଚାଲାଣ ବଢି ଚାଲିଥିଲେ ଲେ ହେଁ ବାରମ୍ବାର ଅଭିଯୋଗ ସତ୍ତ୍ଵେ ମଧ୍ଯ ଖଣ୍ଡପଡ଼ା ଓ ଭାପୁର ତହସିଲ ପ୍ରଶାସନ ନତୁବା ଖଣି ବିଭାଗ କର୍ତ୍ତୃପକ୍ଷ କେହି ହେଲେ ଏ ଦିଗରେ ଧ୍ୟାନ ନଦେଇ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ବିଭିନ୍ନ ନଦୀ ଘାଟରୁ ବାଲି ଉଠାଣ ନିମନ୍ତେ ତହସିଲ ପ୍ରଶାସନ ପକ୍ଷରୁ ସେଭଳି କାହାରିକୁ ହେଲେ ନିଲାମ ଦିଆ ଯାଇ ନଥିବାର ସୁଯୋଗ ନେଇ ବାଲି ମାଫିଆମାନେ ବିଭିନ୍ନ ଘାଟରେ ବର୍ଷ ବର୍ଷ ଧରି ରାଜୁତି ଚଳାଇଥିବା ଜଣାପଡିଛି। ଖଣ୍ଡପଡ଼ା ବ୍ଲକ ଅଧୀନ ବନମାଳୀପୁର, ଶାଳଝରିଆ, ଗୁଣ୍ଠୁଣି ସମେତ ଭାପୁର ବ୍ଲକ ଅଧୀନ ବେତଖୋଲି ଗ୍ରାମ ନିକଟସ୍ଥ କୁସୁମୀ ନଦୀ ପଠାରୁ ମାଫିଆମାନେ ବେଫିକର ଭାବେ ବାଲି ଉତ୍ତୋଳନ କରି ଆଖପାଖ ଅଞ୍ଚଳକୁ ଚୋରାରେ ଚାଲାଣ କରୁଥିବା ଜଣାପଡିଛି।

ବାଲି ମାଫିଆଙ୍କ ଯୋଗୁଁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ଵ ହରାଉଥିବା ବେଳେ ଏ ଦିଗରେ ପ୍ରଶାସନିକ ଅଧିକାରୀମାନେ କେହି ହେଲେ ଧ୍ୟାନ ନ ଦେଇ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ଅପରପକ୍ଷେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଭିନ୍ନ ଶାଖା ନଦୀ ଗୁଡିକ ଏବେ ପୁରା ଶୁଖିଲା ପଡିଥିବା ବେଳେ ଏହାର ସୁଯୋଗ ନେଇ ମାଫିଆ ମାନେ ନଦୀ ଗର୍ଭରୁ ଶହଶହ ଟ୍ରିପ ବାଲି ଉତ୍ତୋଳନ କରି ଆଖପାଖ ଅଞ୍ଚଳକୁ ଚୋରାରେ ଚାଲାଣ କରୁଥିବା ଜଣାପଡିଛି ।

ଏଭଳି ବାଲି ଚୋରା ଚାଲାଣ ଯୋଗୁଁ ନିକଟସ୍ଥ ଶାଳଝରିଆ ଗ୍ରାମରୁ ବେତଖୋଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଅବସ୍ଥିତ କୁସୁମୀ ସେତୁ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ତେବେ ଉକ୍ତ ବାଲିଘାଟ କାହା ନିର୍ଦ୍ଦେଶରେ ଓ ଇଙ୍ଗିତରେ ଚାଲିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୈନିକ ବିଳମ୍ବିତ ରାତିରେ ଓ ଭୋର ସମୟରେ କୁସୁମୀ ନଦୀର ଶାଳଝରିଆ ଓ ବେତଖୋଲି ଘାଟରୁ ଟ୍ରାକ୍ଟର, ମିନିଟ୍ରକ ଯୋଗେ ଟ୍ରିପ ଟ୍ରିପ ବାଲି ଉଠୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ନୟାଗଡ ଖଣି ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।













