ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ସୃଜନଶୀଳ ଚିନ୍ତାଧାରା ଓ ନବସୃଜନ କ୍ଷମତାର ବିକାଶ ଲକ୍ଷ୍ୟରେ ବାଲିଗୁଡ଼ା ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ-୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ବିଜ୍ଞାନ ପ୍ରଦର୍ଶନୀରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହ ଓ ଉଦ୍ଦୀପନାର ସହ ଅଂଶଗ୍ରହଣ କରି ନିଜ ନିଜର ବୈଜ୍ଞାନିକ ପ୍ରତିଭା ପ୍ରଦର୍ଶନ କରିଥିଲେ । ଚଳିତ ବର୍ଷର ପ୍ରଦର୍ଶନୀର ମୁଖ୍ୟ ବିଷୟବସ୍ତୁ ‘ଏକ ନିରନ୍ତର ଏବଂ ବିକଶିତ ଭାରତ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ’ ରଖାଯାଇଥିଲା ।

ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରଦୀପ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ଓ ଧୂପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା, ପଦ୍ମଲୋଚନ ପଣ୍ଡା ଏବଂ ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୟାନିଧି ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଏଭଳି ବୈଜ୍ଞାନିକ ପ୍ରୟାସକୁ ଉତ୍ସାହିତ କରିଥିଲେ ।

ପ୍ରଦର୍ଶନୀରେ ବାଲିଗୁଡ଼ା ବ୍ଲକ୍ର ମୋଟ ୫୧ ଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିବାବେଳେ ସେମାନଙ୍କ ପକ୍ଷରୁ ୯୭ ଟି ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଛାତ୍ର ଛାତ୍ରୀ ମାନେ ନିଜ ନିଜର ପ୍ରକଳ୍ପ ମାଧ୍ୟମରେ ବିଜ୍ଞାନର ବିଭିନ୍ନ ଦିଗ, ନୂତନ ଚିନ୍ତାଧାରା ଓ ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପଯୋଗିତାକୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ । ମୋଟ ୭ଟି ଉପ-ଥିମ୍କୁ ଆଧାର କରି ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ଉପ-ଥିମ୍ରୁ ଗୋଟିଏ ଲେଖାଏଁ, ମୋଟ ୭ଟି ଶ୍ରେଷ୍ଠ ପ୍ରକଳ୍ପ ଚୟନ କରାଯାଇଥିଲା ।















