ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଉତ୍ତମ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଓଡିଶାର ତତ୍କାଳୀନ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଅଧୁନା ରାଜ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କରକମଳରେ ୧୭ ଫେବୃୟାରୀ ୨୦୨୪ ମସିହାରେ ଡାଏଲିସିସ୍ ସେଣ୍ଟର ଉଦଘାଟିତ ହୋଇଥିଲା । ପ୍ରାୟ ୫୦ ଲକ୍ଷ ଟଙ୍କାର ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉପକରଣ ବ୍ୟୟ ବରାଦ କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯାଇ ଥିଲା ।

ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିୟନ୍ତ୍ରଣରେ ଥିବା ଡାଏଲିସିସ୍ ସେଣ୍ଟରଟି କଲିକତାର ଏସକାଗ ସଂଜୀବନୀ ପ୍ରାଇଭେଟ୍ ଲିମିଟେଡ ଏବଂ ମିଶନ ନିର୍ଦ୍ଦେଶକ, ଜାତୀୟ ସ୍ବାସ୍ଥ୍ୟ ମିଶନ ସହଯୋଗରେ ପିପିପି ମୋଡରେ କାର୍ଯ୍ୟକ୍ଷମ ହୋଇଛି । ଏହି ସେବା ମାଗଣାରେ ଉପଲବ୍ଧ ହୋଇଥିଲା ବେଳେ ଏହି ସେବାରୁ ବଞ୍ଚିତ ହେବା କିମ୍ୱା କୌଣସି ଅସୁବିଧାର ସମ୍ମୁଖୀନ ହେଉଥିଲେ ୧୮୦୦୧୦୨୨୨୯୪ ଟୋଲ୍ ଫ୍ରି ନମ୍ବର ରେ ସମ୍ପର୍କ ରଖିବା ପାଇଁ ବି ସୂଚନା ଦିଆ ଯାଇଛି।

ଉପଯୁକ୍ତ ଚିକିତ୍ସା ସେବାର ସୁଯୋଗ ନେଇ ଗଞ୍ଜାମ ଜିଲ୍ଲାର ଆସିକା,ଶେରଗଡ, ଆଡପଡା, ପୁରୁଷୋତ୍ତମପୁର, କବିସୂର୍ଯ୍ୟ ନଗର ସହିତ ସ୍ଥାନୀୟ ବ୍ଲକର ସାରୁ,କଞ୍ଚୁରୁ ଓ ପୋଚିଲିମା ଆଦି ଗ୍ରାମାଞ୍ଚଳର କିଡନୀ ରୋଗୀ ନିୟମିତ ବ୍ୟବଧାନରେ ଚିକିତ୍ସା ସୁଵିଧା ପାଉଥିବା ଜଣାପଡ଼ିଛି । ସେଣ୍ଟରରେ ମୂଲ୍ୟବାନ ଯନ୍ତ୍ରପାତି, ୪ଶଯ୍ୟା ଓ ୩ ଜଣ ପ୍ରଶିକ୍ଷିତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ମାସିକ ପ୍ରାୟ ୩ ଶହରୁ ଅଧିକ କିଡନୀ ରୋଗୀଙ୍କ ଡାଏଲିସିସ୍ କରାଯାଇଥାଏ ।

ଫଳରେ ରୋଗୀ ଓ ସମ୍ପର୍କୀୟ ଅଯଥା ଆର୍ଥିକ କ୍ଷତିରୁ ରକ୍ଷା ପାଇବା ସହ ନିରାପଦ ପରିବେଶରେ ଚିକିତ୍ସା ସେବାର ସୁଯୋଗ ପାଇଥାନ୍ତି । କିନ୍ତୁ ଗତ ଅକ୍ଟୋବର ୨୭ ତାରିଖରୁ ଏ ଯାଏଁ ପାଖାପାଖି ଏକ ଧରି ଡାଏଲିସିସ୍ ସେଣ୍ଟରଟି କାର୍ଯ୍ୟକ୍ଷମ ନ ଥିବା ରୋଗୀ ଓ ସମ୍ପର୍କୀୟଙ୍କ ଠାରୁ ସୂଚନା ମିଳିଛି । ସେଣ୍ଟରଟି ବନ୍ଦ ରହିବା କାରଣରୁ ଦୂରଦୂରାନ୍ତ ସହ ସ୍ଥାନୀୟ ଅଞ୍ଚଳରୁ ଆସୁଥିବା କିଡନୀ ରୋଗୀ ଡାଏଲିସିସ୍ ଚିକିତ୍ସା ସେବାରୁ ବଞ୍ଚିତ ହେଉଥିବା ଜଣାପଡ଼ିଛି ।

ଫଳରେ ଗରିବ, ଅବହେଳିତ ଓ ଆର୍ଥିକ ଅନଟନ ଦେଇ ଗତି କରୁଥିବା କିଡନୀ ରୋଗୀଙ୍କ ଶାରୀରିକ ଓ ମାନସିକ ସ୍ଥିତି ବିଗିଡ଼ିବାରେ ଲାଗିଛି । ଜୀବନର ଦୋଛକିରେ କାଳାତିପାତ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିବା ରୋଗୀଙ୍କ ଆବେଗଭରା ଓ ଅସହାୟ ପରିସ୍ଥିତିରୁ ସ୍ପଷ୍ଟ ବାରି ହୋଇ ପଡୁଛି। ଏଭଳି ଦୁର୍ଦ୍ଦିନ ସମୟରେ କିଡନୀ ରୋଗୀଙ୍କ ଦୂରାବସ୍ଥା ପ୍ରତି ଦୃଷ୍ଟି ଦେବା ପାଇଁ ସାଂସଦ କିମ୍ୱା ବିରୋଧୀ ଦଳନେତାଙ୍କ ପଦପ୍ରିୟ ନେତାଙ୍କ ଆନ୍ତରିକ ସହଯୋଗ ନ ଥିଲା ଭଳି ଆଲୋଚନା ହୋଇଛି ।
















