ପୁରୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ପୂର୍ବ ପ୍ରସ୍ତୁତି ଆଧାର ରେ ପୁରୀ ଜିଲ୍ଲା ପ୍ରଶାସନ ବାତ୍ୟା ଆକୱ୍ବାନ ର ସଫଳ ଭାବେ ମୁକାବିଲା କରିଛି। ଜିଲ୍ଲା କାର୍ଯ୍ୟାଳୟ ସହ ସମସ୍ତ ବିଡିଓ, ତହସିଲଦାର, ସହରାଞ୍ଚଳ ଏବଂ ଲାଇନ ଡିପାର୍ଟମେଣ୍ଟ ଦ୍ୱାରା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇ ସମସ୍ତ କାର୍ଯ୍ୟ କୁ ତଦାରଖ କରାଯାଇଥିଲା। ଜିଲ୍ଲା ର ୧୧ ବ୍ଲକ ର ୧୬୯ ପଞ୍ଚାୟତ ର ୭୮୦ ଗ୍ରାମ, ୪ ସହରାଞ୍ଚଳ ର ୪୫ ୱ୍ବାର୍ଡମୋଟ ପ୍ରଭାବିତ ହେବI ଆଶଙ୍କା କରି ୧୧୪୬୮୮ ଲୋକ ଚି଼ହ୍ନଟ କରାଯାଇଥିଲା l
‘ବରିଷ୍ଠ ଅଧିକାରୀ କ୍ଷେତ୍ର ପରିଦର୍ଶନ ସହ ମୁକାବିଲା ରେ ସହଯୋଗ’
ସରକାର ଙ୍କ ପକ୍ଷରୁ ବାତ୍ୟା ପରିଚାଳନା ରେ ସହଯୋଗ ପାଇଁ ଉଚ୍ଚ ଶିକ୍ଷା ସଚିବ ତଥା ପୁରୀ ର ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଙ୍କୁ ଦାୟିତ୍ଵ ଦିଆଯାଇଥିଲା। ଶ୍ରୀ ଅଗ୍ରୱାଲ ଜିଲ୍ଲା ରେ ପହଞ୍ଚି ଜିଲ୍ଲା ପ୍ରଶାସନ ସହ ଆଲୋଚନା ଓ ସମୀକ୍ଷା କରି କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରିଥିଲେ। ଜିଲ୍ଲା ର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଶ୍ରୀ ଅଗ୍ରୱାଲ ବାତ୍ୟା ପରିଚାଳନା କୁ ପ୍ରତ୍ୟକ୍ଷ କରିବା ସହ ଅନ୍ୟ ଅଧିକାରୀ କର୍ମଚାରୀ ମାନଙ୍କୁ ବିବିଧ ପରାମର୍ଶ ଦେଇଥିଲେ। ସେହିପରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ ବିଭିନ୍ନ ବ୍ଲକ ପରିଦର୍ଶନ କରିବା ସହ ବିପଦ ସଂକୁଳ ସ୍ଥାନରେ ଥିବା ଲୋକ ମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀ କୁ ଯିବାକୁ ଲୋକ ମାନଙ୍କୁ ବୁଝାଇ ପଠାଇଥିଲେ ।

୪୭୩ ଟି ରିଲିଫ୍ ଶିବିର ରେ ବିପଦ ସଂକୂଳ ସ୍ଥାନ ମାନଙ୍କରେ ରହୁଥିବା ଲୋକ ମାନଙ୍କ ସୁରକ୍ଷା ପାଇଁ ୫୮୦୫୮ ଲୋକ ମାନଙ୍କୁ ରଖାଯାଇ ସମସ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ଏହାର ପରିଚାଳନା ପାଇଁ ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଙ୍କୁ ଦାୟିତ୍ଵ ମଧ୍ୟ ଦିଆଯାଇଥିଲା। ଆବଶ୍ୟକ ସ୍ଥଳରେ ୯୮ ସିଟ ପଲିଥିନ୍ ମଧ୍ୟ ପ୍ରଦାନ କରାଯାଇଥିଲା । ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ, ସ୍ୱତନ୍ତ୍ର ରିଲିଫ କମିଶନଙ୍କ ନିର୍ଦେଶ ଅନୁସାରେ ବାତ୍ୟା ପାଇଁ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ୧୯ ତାରିଖ ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

ଜିଲ୍ଲା ର ସମସ୍ତ ସମୁଦ୍ର ବେଳାଭୂମିକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ହୋଟେଲ ମାଲିକମାନଙ୍କୁ ୧୮ ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ନୂତନ ବୁକିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଏବଂ ପର୍ଯ୍ୟଟକମାନଙ୍କୁ ସମୁଦ୍ର ବେଳାଭୂମି ଏବଂ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଚିଲିକା ସମେତ ସମସ୍ତ ଜଳ ଊତ୍ସରେ ଡଙ୍ଗା ଏବଂ ଫେରି ସେବା ୧୯ ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ କୋଣାର୍କ ମନ୍ଦିର ଓ ସଂଗ୍ରହାଳୟ କୁ ମଧ୍ୟ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

‘ସ୍ୱାସ୍ଥ୍ୟସେବା’
ପ୍ରସବ ଆସନ୍ନା ୨୨୫ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ମାତୃଗୃହ / ନିକଟବର୍ତ୍ତୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯୧ ଜଣ ସୁରକ୍ଷିତ ଭାବରେ ସେମାନଙ୍କର ଶିଶୁ ଜନ୍ମ ଦେଇଛନ୍ତି। ଲୋକ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଭାଗ ସମସ୍ତ ବ୍ୟବସ୍ଥା କୁ ଚୁଡାନ୍ତ କରିଥିଲେ। ଏତଦ ବ୍ୟତୀତ ରିଲିଫ୍ ଶିବିର ରେ ରହୁଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
‘୩ ଓଡ୍ରାଫ/୨ ଏନଡିଆରଏଫ ନିୟୋଜିତ’
ଜିଲ୍ଲା ରେ ତିନୋଟି ଓଡ୍ରାଫ ଏବଂ ଦୁଇଟି ଏନଡିଆରଏଫ ଦଳ ମୁତୟନ କରାଯାଇଥିଲା। ସେହିପରି ଅଗ୍ନିଶମ ସେବା ର ୧୮ ଟି ୟୁନିଟ କାର୍ଯ୍ୟକ୍ଷମ ରହିଥିଲା ଯାହା ପ୍ରଭାବିତ ଲୋକ ମାନଙ୍କୁ ସହାୟତା କରିଥିଲେ। ଅସ୍ତରଙ୍ଗରେ ଗଛପଡିବl ପରେ ତୁରନ୍ତ ସ୍ୱାଭାବିକ ସ୍ଥିତିକୁ ଅଣାଯାଇଥିଲା l
‘ରାସନ ସାମଗ୍ରୀ ବଣ୍ଟନ’
ପ୍ରଭାବିତ ଙ୍କୁ ୨୧୮.୧୫ କୁଇଟାଂଲ ଚୁଡା,୩୪.୪୪ କୁଇଂଟାଲ, ଗୋରୁଗାଈ ଙ୍କ ପାଇଁ ୩୮.୩୫ କୁଇଂଟାଲ ଗୋ ଖାଦ୍ୟ ବଣ୍ଟନ କରାଯାଇଥିଲା ବୋଲି ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ୨ ଟି ଘର କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।
‘ସମସ୍ତଙ୍କୁ ଜିଲ୍ଲାପାଳଙ୍କ ଧନ୍ୟବାଦ ଅର୍ପଣ’
ବାତ୍ୟା ମୁକାବିଲା ରେ ସରକାର ଓ ବରିଷ୍ଠ ଅଧିକାରୀ ଙ୍କ ସହାୟତା ଓ ସହଯୋଗ ସହ ଜିଲ୍ଲା ର ଲୋକ ପ୍ରତିନିଧି, ପଞ୍ଚାୟତ ଜନ ପ୍ରତିନିଧି , ସମସ୍ତ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ବେଚ୍ଛାସେବୀ, ସୁରକ୍ଷା ଅଧିକାରୀ କର୍ମଚାରୀ, ପର୍ଯ୍ୟଟକ, ହୋଟେଲ ମାଲିକ ମାନ ଙ୍କୁ ଓ ସମସ୍ତ ଜନସାଧାରଣ ଙ୍କୁ ପ୍ରଶାସନ କୁ ସହଯୋଗ କରିଥିବାରୁ ଜିଲ୍ଲାପାଳ ଶ୍ରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଛନ୍ତି ।














