No Result
View All Result

UPMP-୨୦୨୬ର ଶୁଭାରମ୍ଭ : ୭୨୧ ଜଣଙ୍କୁ ପେନସନ୍ ପ୍ରଦାନ, ଦୁଇଟି ସଚେତନତା ରଥର ଶୁଭାରମ୍ଭ
ଫୁଲବାଣୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସରଳ ଓ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ମଧୁବାବୁ ପେନସନ୍ ଯୋଜନାରେ କନ୍ଧମାଳ ଜିଲ୍ଲାର ଆଉ ୨,୯୨୮ ଜଣ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଏହାଦ୍ୱାରା ଜିଲ୍ଲାର ମୋଟ ପେନସନ୍ ହିତାଧିକାରୀଙ୍କ ସଂଖ୍ୟା ୮୩,୮୭୮ରୁ ବୃଦ୍ଧି ପାଇ ୮୬,୮୦୬ରେ ପହଞ୍ଚିଛି। ଏହି ଉପଲକ୍ଷେ ଗୁରୁବାର ଫୁଲବାଣୀସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (UPMP)-୨୦୨୬ର ଶୁଭାରମ୍ଭ ଅବସରରେ ଜିଲ୍ଲାସ୍ତରୀୟ ସମାରୋହ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟର ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଜିଲ୍ଲାର ନୂତନ ହିତାଧିକାରୀଙ୍କ ମଧ୍ୟରୁ ୭୨୧ ଜଣଙ୍କୁ ଏହି ଅବସରରେ ପେନସନ୍ ପ୍ରଦାନ କରାଯାଇଥିବାବେଳେ ଅବଶିଷ୍ଟ ୨,୨୦୭ ଜଣଙ୍କୁ ନଭେମ୍ବର ୧୨ ଓ ୧୩ ତାରିଖରେ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଜରିଆରେ ପେନସନ୍ ପ୍ରଦାନ କରାଯିବ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଦୁଇଟି ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ପେନସନ୍ ଯୋଜନା ଓ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବ । ଏଥିସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା UPMP-୨୦୨୬ର ରାଜ୍ୟସ୍ତରୀୟ ଉଦ୍ଘାଟନ ଉତ୍ସବର ସିଧା ପ୍ରସାରଣ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ।

କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଉମାଚରଣ ମଲ୍ଲିକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀଙ୍କ ସମେତ କନ୍ଧମାଳ ସାଂସଦ ପ୍ରତିନିଧି ରମେଶ ଚନ୍ଦ୍ର ମହାନ୍ତି,ରାଇକିଆ ବ୍ଲକ ଅଧ୍ୟକ୍ଷା ରୀନା ପ୍ରଧାନ, ଜି.ଉଦୟଗିରି ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍ମିତା କହଁର ଓ ଚକାପାଦ ବ୍ଲକ ଅଧ୍ୟକ୍ଷା ବୈନେତ୍ରୀ କହଁର,

ବାଲିଗୁଡା ଏସ ଏସ ଏସ ଓ ଅଧିକାରୀ, ଫୁଲବାଣୀ ଏସ.ଏସ.ଏସ.ଓ ଅଧିକାରୀ, ଜିଲ୍ଲାର ଅଧିକାରୀ ଏବଂ ଜିଲ୍ଲାର ସମସ୍ତ ହିତାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଜିଲ୍ଲାପାଳ ବେଦଭୂଷଣ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ପୋର୍ଟାଲର ଉଦ୍ଦେଶ୍ୟ ଓ ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଫୁଲବାଣୀ ପ୍ରକଳ୍ପ ନିର୍ଦ୍ଦେଶକ ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରବୀଣ କୁମାର ବାଣୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result