No Result
View All Result

ପ୍ରଶାସନ ନଶୁଣିବାରୁ ଲୋକେ ନିଜେ ମରାମତି କଲେ,ବାସୁଦେବ ନଗରବାସୀଙ୍କ ଦୁଃଖ କଚା ରାସ୍ତା
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ରାଜଧାନୀର ବିକାଶ ଓ ମୌଳିକ ସୁବିଧାକୁ ନେଇ ସରକାରୀ ଦାବି ମଧ୍ୟରେ ବାସୁଦେବ ନଗରବାସୀଙ୍କ ଦୁର୍ଦ୍ଦଶା ସରକାରୀ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି । ଟଙ୍କପାଣି ରୋଡ୍ ସ୍ଥିତ ସାଇ ମନ୍ଦିର ନିକଟରେ ଥିବା ଏହି ଅଞ୍ଚଳରେ ପକ୍କା ରାସ୍ତା ନଥିବାରୁ ଲୋକେ ପ୍ରତିଦିନ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧା ଭିଗୁଛନ୍ତି । ରାସ୍ତାର ଦୟନୀୟ ଅବସ୍ଥାରେ ଅତିଷ୍ଠ ହୋଇ ଗୁରୁବାର ସ୍ଥାନୀୟ ବାସିନ୍ଦା ନିଜେ ମରାମତି କାର୍ଯ୍ୟ ହାତକୁ ନେଇଥିଲେ. ସ୍ଥାନୀୟ ବାସୀନ୍ଦା ଚାନ୍ଦା ସଂଗ୍ରହ କରି କଚ୍ଚା ରାସ୍ତାରେ ଇଟା ଗୁଣ୍ଡ ବିଛାଇ ଯାତାୟାତ ଉପଯୋଗୀ କରିଥିଲେ ।

ବାସୁଦେବ ନଗର ବିକାଶ ପରିଷଦର ସଭାପତି ଗୟାଧର ବଳ କହିଛନ୍ତି ଯେ, ଏହି ଅଞ୍ଚଳରେ ପ୍ରାୟ ୧୦୦ଟି ପରିବାର ବସବାସ କରୁଛନ୍ତି । ଦୀର୍ଘଦିନ ଧରି ରାସ୍ତାଟି ଖାଲଖମାରେ ଭରି ରହିଛି । ବର୍ଷା ଦିନେ ସ୍ଥିତି ଆହୁରି ଖରାପ ହେଉଥିବାରୁ ଯାତାୟାତ କଷ୍ଟକର ହୋଇପଡ଼ୁଛି । ସ୍କୁଲ ପିଲା, ବୟସ୍କ ଓ ଦୁଇଚକିଆ ଯାନ ଚାଳକମାନେ ଅଧିକ ହଇରାଣ ହେଉଛନ୍ତି । ଜାତୀୟ ରାଜପଥ-୩୧୬ ସହ ସଂଯୋଗ କରୁଥିବା ଏହି ରାସ୍ତାର ପକ୍କାକରଣ ହୋଇପାରିନାହିଁ । ପରିଷଦର ସମ୍ପାଦକ ଲକ୍ଷ୍ମୀକାନ୍ତ ମୈତିଙ୍କ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏନ୍ଏଚ୍-୩୧୬ରୁ ଦୁର୍ଗାପୁର ପାଟଣା ଦେଇ ବାସୁଦେବ ନଗର ପର୍ଯ୍ୟନ୍ତ ରାସ୍ତାର ପକ୍କାକରଣ ପାଇଁ ଗତ ମାର୍ଚ୍ଚ ମାସରେ ପ୍ରାୟ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି ।

ତଥାପି ସମ୍ପୃକ୍ତ ବିଭାଗର ଅବହେଳା ଯୋଗୁଁ ଏଯାଏଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଅର୍ଥ ମଞ୍ଜୁର ହୋଇଥିବା ସତ୍ତ୍ୱେ କାମ ଆରମ୍ଭ ନହେବାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି । କେବଳ ଅର୍ଥ ମଞ୍ଜୁର ନୁହେଁ, ତୁରନ୍ତ ରାସ୍ତା ନିର୍ମାଣ କାମ ଆରମ୍ଭ କରିବାକୁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ନିକଟରେ ଦାବି ହୋଇଛି । ମରାମତି କାର୍ଯ୍ୟରେ ପରିଷଦର କୋଷାଧ୍ୟକ୍ଷ ବିଦ୍ୟାଧର ସାହୁ, ଉପସଭାପତି ମନୋଜ କୁମାର ପାଢ଼ୀ, ସଦସ୍ୟ ଜିତେନ୍ଦ୍ର ସ୍ୱାଇଁ, ମନୋଜ ଦାସ, ମନୋରଞ୍ଜନ ଦାଶ, ଅମରନାଥ ଜେନାଙ୍କ ସମେତ ଅନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ ।


No Result
View All Result