କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଭୂସ୍ଖଳନ ଘଟି ପ୍ରଭାବିତ ହୋଇଥିବା ଗ୍ରାମରୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀରେ ରଖାଯାଇଥିବା ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ବାଲିଗୁଡ଼ା ଉପ-ଜିଲ୍ଲାପାଳ ପ୍ରଣିତା ଦାଶ ଏବଂ କନ୍ଧମାଳ ଏସ୍.ପି. ରମେନ୍ଦ୍ର ପ୍ରସାଦ ।
ଏହି ଅବସରରେ ଉଭୟ ଅଧିକାରୀ ଆଶ୍ରୟସ୍ଥଳୀରେ ରହୁଥିବା ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ସେମାନଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧାସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ ।

ଏଥିସହିତ ଅଧିକାରୀ ଦ୍ୱୟ ଆଶ୍ରୟସ୍ଥଳୀରେ ପ୍ରଭାବିତ ପରିବାରଙ୍କ ସହ ଏକାଠି ମଧ୍ୟାହ୍ନ ଭୋଜନ କରି ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ । ବିପଦ ସମୟରେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ମାନବୀୟ ପଦକ୍ଷେପ ଆଶ୍ରୟସ୍ଥଳୀରେ ରହୁଥିବା ପ୍ରଭାବିତ ପରିବାରଙ୍କ ମନରେ ଆଶ୍ୱାସନା ସୃଷ୍ଟି କରିଛି ।
















