ଖଣ୍ଡପଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଖଣ୍ଡପଡ଼ା ସହରର ୧ ନଂ ଓ୍ବାର୍ଡ ଅଧୀନ ଟିଙ୍କଚୁଆ ଗ୍ରାମ ନିକଟସ୍ଥ ସାଇ ମନ୍ଦିର ନିକଟରେ ମଙ୍ଗଳବାର ରାତିରେ କାଠ ମାଫିଆମାନେ ୧୧ ଗୋଟି ଶାଳ କାଠ ଗଣ୍ତି ଏକ ପିକ ଅପ ଭ୍ଯାନ ଯୋଗେ ବାହାରକୁ ଚୋରାରେ ଚାଲାଣ କରୁଥିବା ବେଳେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଖଣ୍ଡପଡ଼ା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶାଳ କାଠ ଗଣ୍ତି ବୋଝେଇ ପିକ ଅପ ଭ୍ଯାନଟିକୁ ଜବତ କରିବା ସହ ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଫତେଗଡ଼ ଥାନା ଅଧିନ ବାଘୁଆପଲ୍ଲୀ ପଞ୍ଚାୟତ ଧଳାବନ୍ଧ ଗ୍ରାମର ବସନ୍ତ ନାୟକ ଙ୍କ ପୁଅ ସୁରେନ୍ଦ୍ର ନାୟକ (୫୩) କୁ କର୍ମଚାରୀମାନେ ଗିରଫ କରିଥିବା ନେଇ ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ଯାଳୟ ସୂତ୍ରରୁ ଜଣାପଡିଛି ।

ସୂଚନାଯୋଗ୍ଯ କାଠ ମାଫିଆମାନେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବିଭିନ୍ନ ସମୟରେ ମୂଲ୍ୟବାନ ଶାଳ ଗଛ ଗୁଡିକ ଅବାଧରେ କାଟି ଲୁଟି ନେଉଥିବା ନେଇ ବହୁ ପୂର୍ବରୁ ବନ ବିଭାଗ ନିକଟରେ ଅଭିଯୋଗ ହୋଇ ଆସୁଥିଲା । ତେବେ ଏ ସଂର୍ପକରେ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବନପାଳ ବବୁଲ ସାହୁ,ବନରକ୍ଷୀ ସୌମ୍ୟରଂଜନ ଦଳେଇ ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ଅଚାନକ ଚଢାଉ କରିଥିଲେ । ଜବତ ୧୧ ସିଫ୍ଟ ଶାଳ କାଠ ଗଣ୍ତିର ଆନୁମାନିକ ମୂଲ୍ଯ ୧୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।
ଜବତ କାଠ ଗଣ୍ତି ଗୁଡିକୁ ଖଣ୍ଡପଡ଼ା ବନ ବିଭାଗ ବିଟ ପରିସରରେ ରଖାଯାଇଥିବା ବେଳେ ଏ ସଂର୍ପକରେ ଏକ ମାମଲା ରୁଜୁ ହୋଇଥିବା ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ତେବେ ଏହି ଘଟଣାରେ ସଂପୃକ୍ତ କାଠ ମାଫିଆକୁ ବୁଧବାର ଅଦାଲତ ଚାଲାଣ କରାଯାଇଥିଲା । ଅଦାଲତରେ ଜାମିନ ନାମାଞ୍ଜୁର ହେବାରୁ ତାକୁ ଖଣ୍ଡପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।ପ୍ରକାଶଥାଉକି ଏହି ଘଟଣା ପଛରେ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକଙ୍କ ହାତ ଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।















