No Result
View All Result

କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ମଧ୍ୟରେ ରାଇକିଆ ବ୍ଲକର ଡାଙ୍ଗେଶି ଗ୍ରାମରେ ଘଟିଥିବା ତିନି ଜଣଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଶୋକବାର୍ତ୍ତା ଦେଇ କହିଛନ୍ତି ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗେଶି ଗ୍ରାମର ଅଚ୍ୟୁତ ପ୍ରଧାନ, ତାଙ୍କ ପତ୍ନୀ ଅନୀଷା ପ୍ରଧାନ ଏବଂ ସେମାନଙ୍କ ଶିଶୁସନ୍ତାନଙ୍କ ଦୁଃଖଦ ପ୍ରାଣହାନି ତାଙ୍କୁ ଗଭୀର ମର୍ମାହତ କରିଛି।

ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି। ଏହି ଅମୂଲ୍ୟ ଜୀବନହାନିରେ ପରିବାରକୁ ଆଶ୍ୱାସନା ଦେବା ଉଦ୍ଦେଶ୍ୟ ରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF)ରୁ ୪ ଲକ୍ଷ ଟଙ୍କା ଲେଖାଏଁ, ମୋଟ ୧୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଅନ୍ୟପକ୍ଷରେ, ପ୍ରବଳ ବର୍ଷାରେ ଡାଙ୍ଗେଶି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ପ୍ରାୟ ୧୫ଟି ଘର ଧୋଇ ଯାଇଥିବା ଜଣାପଡ଼ିଛି।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଓ ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦ ଘଟଣାସ୍ଥଳରେ ପହଞ୍ଚି ବିପର୍ଯ୍ୟୟର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ କ୍ଷତିଗ୍ରସ୍ତ ଅଞ୍ଚଳର ପରିସ୍ଥିତି ଓ ପ୍ରଭାବିତ ପରିବାରଙ୍କ ସ୍ଥିତି ସମ୍ପର୍କରେ ତଦାରଖ କରାଯାଇଥିଲା। ବାତ୍ୟା ପରବର୍ତ୍ତୀ ବିପର୍ଯ୍ୟୟରେ ଜୀବନହାନି ସହ ବାସଗୃହ ନଷ୍ଟ ହେବା ଘଟଣା ଗ୍ରାମବାସୀଙ୍କୁ ଗଭୀର ଦୁଃଖରେ ପକାଇଥିବା ବେଳେ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ଆବଶ୍ୟକ ସହାୟତା ଓ ଥଇଥାନ ବ୍ୟବସ୍ଥା ଯୋଗାଇଦେବା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

No Result
View All Result