No Result
View All Result
ଫୁଲବାଣୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ, କନ୍ଧମାଳଙ୍କ ମିଳିତ ସହଯୋଗରେ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଏକଦିବସୀୟ ‘ମେଘ ଉତ୍ସବ’ ଭବ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସାରସ୍ୱତ ଆଲୋଚନାଚକ୍ର ଓ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା । ଦିବସର ପ୍ରଥମାର୍ଦ୍ଧରେ ଆୟୋଜିତ ଉଦ୍ଘାଟନୀ ଅଧିବେଶନରେ “ଜନଜାତି ଭାଷା ଓ ସଂସ୍କୃତି” ଶୀର୍ଷକ ବିଷୟବସ୍ତୁ ଉପରେ ଗଭୀର ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦଭୂଷଣ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବାଣୁଆ ଉପସ୍ଥିତ ଥିଲେ l

ବରେଣ୍ୟ ଅତିଥି ଭାବରେ ଫିରିଙ୍ଗିଆ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ମିଶ୍ର, ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ବିଭୂତିଭୂଷଣ ଆଚାର୍ଯ୍ୟ, ବିଶିଷ୍ଟ ବ୍ୟଙ୍ଗ କବି ଶ୍ରୀ ସତ୍ୟାନାଶ ମଞ୍ଚମଣ୍ଡନ କରିଥିଲେ। ସମ୍ମାନନୀୟ ଅତିଥି ଭାବେ ଫୁଲବାଣୀ ସରକାରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ରମାକାନ୍ତ ମଙ୍ଗରାଜ ଏବଂ କନ୍ଧମାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ମଞ୍ଚାସୀନ ରହିଥିଲେ।
କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଜନଜାତି ସଂସ୍କୃତିର ମହନୀୟତା ଉପରେ ଆଲୋକପାତ କରିଥିବା ବେଳେ ପ୍ରଖ୍ୟାତ ସାହିତ୍ୟିକ ଶ୍ରୀ ଅନନ୍ତ ଚରଣ ମିଶ୍ର ଏହି ଅଧିବେଶନରେ ସଭାପତିତ୍ୱ କରିଥିଲେ। ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଶ୍ରୀ ସଞ୍ଜୟ କୁମାର ଛୁଆଳସିଂହ ସ୍ୱାଗତ ଅଭିଭାଷଣ ଦେଉଥିଲେ।ଓଡ଼ିଶାର ଜନଜାତି ସଂସ୍କୃତି ଓ ସାହିତ୍ୟ କେବଳ ସେହି ଗୋଷ୍ଠୀର ନୁହେଁ, ବରଂ ଏହା ସମଗ୍ର ଭାରତୀୟ ଐତିହ୍ୟର ଏକ ଅମୂଲ୍ୟ ସମ୍ପଦ।

ଆଧୁନିକତାର ପ୍ରଭାବ ତଥା ସହରୀକରଣ ଯୋଗୁଁ ଅନେକ ଆଦିବାସୀ ଭାଷା ଓ ପରମ୍ପରା ଧୀରେ ଧୀରେ ହଜିଯିବାକୁ ବସିଥିବା ବେଳେ ଆମ ରାଜ୍ୟର ବିବିଧତା ଭିତରେ ଥିବା ଏହି ଅନନ୍ୟ ସୌନ୍ଦର୍ଯ୍ୟକୁ ବଞ୍ଚାଇ ରଖିବା ପ୍ରତ୍ୟେକ ନାଗରିକର ଦାୟିତ୍ୱବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଆୟୋଜିତ କବିତା ପାଠୋତ୍ସବରେ ଜିଲ୍ଲା ଲେଖକ ସାମ୍ମୁଖ୍ୟର ଶ୍ରୀ ରବୀନ୍ଦ୍ରନାଥ ମିଶ୍ର ସଭାମୁଖ୍ୟ ଦାୟିତ୍ୱ ତୁଲାଇଥିଲେ । ଏହି କବିତା ଆସର କୁ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ଫିରିଙ୍ଗିଆ ର ଅଧ୍ୟାପିକା ଶ୍ରୀମତୀ ହରପ୍ରିୟା ମିଶ୍ର, ଆଞ୍ଚଳିକ ମହାବିଦ୍ୟାଳୟ,
ଶଙ୍କରା ଖୋଲର ଅଧ୍ୟାପକ ଶ୍ରୀ ରାମକୃଷ୍ଣ ମହାନ୍ତି, ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସମ୍ପାଦକ ଶ୍ରୀ କୈଳାସ ଚନ୍ଦ୍ର ଧଳ ଏବଂ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ଶ୍ରୀମତୀ ପ୍ରଣତୀ ତ୍ରିପାଠୀ ସଂଯୋଜନା କରିଥିଲେ। ଏହି ଅଧିବେଶନରେ ସ୍ଥାନୀୟ ବହୁ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ, କନ୍ଧମାଳ, ଫୁଲବାଣୀ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ, ବହୁ ବୁଦ୍ଧିଜୀବୀ, ସାହିତ୍ୟାନୁରାଗୀ, ତଥା ସାଂସ୍କୃତିକ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ନିମନ୍ତେ ବର୍ଷା ଆଧାରିତ ସଙ୍ଗୀତ ପରିବେଷଣ କରଯାଇଥିଲା ।

No Result
View All Result