ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କଳିଙ୍ଗା ଘାଟିରେ ଦୁଇଦିନ ପାଇଁ ଯାତାୟାତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ସେପ୍ଟେମ୍ବର ୨୩ ଓ ୨୪ ତାରିଖ ଦୁଇଦିନ କଳିଙ୍ଗା ଘାଟି ଦେଇ ଯାନବାହନ ଓ ଯାତ୍ରୀଙ୍କ ଯାତାୟାତ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ ସୂଚନା ଅନୁଯାୟୀ, ଆସନ୍ତା ୨୩ ଓ ୨୪ ତାରିଖରେ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ରହିଛି । ପ୍ରବଳ ବର୍ଷା ହେଲେ କଳିଙ୍ଗା ଘାଟିର ବିଭିନ୍ନ ସ୍ଥାନରେ ପାହାଡ଼ ଉପରୁ ମାଟି ଅତଡ଼ା ଓ ବଡ଼ ବଡ଼ ପଥର ଖସିବାର ଆଶଙ୍କା ରହିଛି ।

ଏହା ଫଳରେ ଘାଟି ରାସ୍ତାରେ ଯାତାୟାତ ବିପଜ୍ଜନକ ହୋଇପାରେ । ବିଶେଷକରି ଭୂସ୍ଖଳନ ପ୍ରବଣ ସ୍ଥାନ ଗୁଡ଼ିକରେ ପ୍ରବଳ ବର୍ଷା ସମୟରେ ମାଟି ଅତଡ଼ା ଓ ପଥର ଖସିବାର ସମ୍ଭାବନା ଅଧିକ ଥିବାରୁ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶାସନ ଏହି ପଦକ୍ଷେପ ନେଇଛି ।

ତେଣୁ ୨୩ ଓ ୨୪ ତାରିଖରେ କଳିଙ୍ଗା ଘାଟି ଦେଇ ଯାତାୟାତ ନକରିବାକୁ ସମସ୍ତ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଅତ୍ୟାବଶ୍ୟକ ନଥିଲେ ଏହି ସମୟରେ ଯାତ୍ରା ଏଡ଼ାଇବା ସହ ପାଣିପାଗ ସୂଚନା ଓ ପ୍ରଶାସନର ନିର୍ଦ୍ଦେଶ ପ୍ରତି ସଚେତନ ରହିବାକୁ କୁହାଯାଇଛି ।















