ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସଂପ୍ରତି ହିଞ୍ଜିଳିକାଟୁ ବ୍ଳକରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ମାର୍ଗଦର୍ଶିକା ଓ ସେଥିରେ ଉଲ୍ଲିଖିତ ଥିବା ବିଭିନ୍ନ ବିଧିଵ୍ୟଵସ୍ଥାକୁ ଉଲଂଘନ କରାଯାଇ କିଛି ଉନ୍ନୟନ କାମ କରା ଯାଇଥିବା ଦେଖା ଯାଇଛି। ଏପରିକି ଉନ୍ନୟନ କାମ ସରିବାର ଦୀର୍ଘ ମାସ ଅତିକ୍ରାନ୍ତ ହେବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟରେ ସମ୍ପୃକ୍ତ କାମ ଗୁଡିକର ସୁପାରିଶ ପାଇଁ ଅପେକ୍ଷା କରା ଯାଇଥିବା ଜଣାପଡ଼ିଛି। ଉନ୍ନୟନ କାମ ଗୁଡିକ ଶେଷ ହୋଇ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ନିର୍ମାଣ ସ୍ଥଳର କୌଣସି ସ୍ଥାନରେ ଏ ପର୍ଯ୍ୟନ୍ତ ନାଗରିକ ସୂଚନା ଫଳକ ଟିଏ ମଧ୍ୟ ନିର୍ମାଣ ହୋଇଥିବା ଜଣାପଡ଼ିଛି ।

ତେଣୁ ସମ୍ପୂର୍ଣ ହୋଇଥିବା ଉନ୍ନୟନ କାମ ସକାଶେ ଅନୁଦାନ ପାଣ୍ଠି ପ୍ରଦାନ କରିଥିବା ସଂସ୍ଥା, ପଞ୍ଚାୟତ ଓ ଗ୍ରାମର ନାମ, ଅଟକଳ ରାଶି, ଉନ୍ନୟନ ପ୍ରକଳ୍ପ ସ୍ଥାନର ନାମ,କାର୍ଯ୍ୟ ନିର୍ବାହୀ ସଂସ୍ଥା, କାର୍ଯ୍ୟରମ୍ଭ ଓ କାର୍ଯ୍ୟ ଶେଷ ତାରିଖ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ସମ୍ପୂର୍ଣ୍ଣ ହୋଇଥିବା ନବୀକରଣ ପ୍ରକଳ୍ପ ଗୁଡିକର ଗୁଣବତ୍ତା ଉପରେ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ସେହିପରି କିଛି ଉନ୍ନୟନ କାମକୁ ନେଇ ବ୍ଲକ ପ୍ରଶାସନ ନିକଟରେ ଆପତ୍ତି ଅଭିଯୋଗ ଉଠିବା ପରେ କର୍ତ୍ତୃପକ୍ଷ ତରବରିଆ ଭାବେ ତାଳିପକା ନିଷ୍ପତ୍ତି ନେଇ ଉନ୍ନୟନ କାମକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ।
କିଛି ଗୁରୁତର ତ୍ରୁଟି ଏବଂ ପରିସ୍ଥିତି ବିଗିଡ଼ି ଯିବା ଆଶଙ୍କାରେ ନିର୍ମାଣାଧୀନ କାମଟି ସମ୍ପୂର୍ଣ୍ଣ ହେବା ପରିବର୍ତ୍ତେ ଏବେ ଅଧପନ୍ତରିଆ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ସରକାରଙ୍କ ମାର୍ଗ ଦର୍ଶିକାକୁ ଉଲଂଘନ କରାଯାଇ କିଛି ଉନ୍ନୟନ କାମ ସମ୍ପୂର୍ଣ୍ଣ ହୋଇଛି ତ ଆଉ କେଉଁଠି ଅସମ୍ପୂର୍ଣ୍ଣ ଅବସ୍ଥାରେ ଓ ଆଉ କିଛି ନିର୍ମାଣାଧିନ ଅବସ୍ଥାରେ ରହିଛି । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକାଶିତ ମାର୍ଗଦର୍ଶିକା ଅନୁଯାୟୀ ଗ୍ରାମସଭା ମାଧ୍ୟମରେ ସମ୍ଭାବ୍ୟ ପ୍ରକଳ୍ପ ତାଲିକା ପ୍ରସ୍ତୁତ ହେବା ପରେ ଗ୍ରାମ ପଞ୍ଚାୟତ ଦ୍ଵାରା ବ୍ଲକକୁ ସୁପାରିଶ କରାଯାଏ ।
ସମ୍ଭାବ୍ୟତା, ଗ୍ରହଣୀୟତା ଏବଂ ଆର୍ଥିକ ସୀମାକୁ ଆଧାର କରି ବ୍ଲକ ସ୍ତରୀୟ ବୈଷୟିକ କମିଟି ଦ୍ବାରା ପ୍ରକଳ୍ପ ତାଲିକାକୁ ଯାଞ୍ଚ କରାଯିବ । ଯାଞ୍ଚ ହୋଇଥିବା ପ୍ରକଳ୍ପ ତାଲିକାକୁ ପଞ୍ଚାୟତ ସମିତି ଅନୁମୋଦନ କରିବା ପରେ ଏହି ପ୍ରକଳ୍ପ ତାଲିକା ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିମନ୍ତେ ସୁପାରିଶ କରାଯିବ । ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରଶାସନିକ ଓ ବୈଷୟିକ ମଞ୍ଜୁର ପ୍ରଦାନ ପରେ ହିଁ ପ୍ରକଳ୍ପର କାର୍ଯ୍ୟକାରିତା ହେବ । ଏଥିସହ ପ୍ରକଳ୍ପର ଗୁଡିକର କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଆଉ କିଛି ପ୍ରାବଧାନ ମଧ୍ଯ ରହିଛି ।
ଏସବୁ ପ୍ରାବଧାନ ଥିବା ସତ୍ତ୍ୱେ ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷ କିଭଳି ଓ କେଉଁ ଆଧାରରେ ନବୀକରଣ ପ୍ରକଳ୍ପକୁ ସହମତି ପ୍ରକାଶ କରି ଆଗୁଆ କାମ ସାରିଦେଲେ ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । କେଉଁ ପ୍ରଭାବଶାଳୀ ନେତୃତ୍ୱଙ୍କ ପ୍ରଭାବରେ ପ୍ରଭାବିତ ହୋଇ ପଞ୍ଚାୟତର ଜରୁରୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ଲକ କର୍ତ୍ତୃପକ୍ଷ ଆଗୁଆ ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହେଲେ ତାହା ଜାଣିବା ଶୁଣିବା ମହଲକୁ ଆଶ୍ଚର୍ଯ୍ୟ ଚକିତ କରିଛି । କେଉଁ ଅଦୃଶ୍ୟ ଶକ୍ତି ପରଦା ପଛରେ ରହି ବ୍ଲକ କର୍ତ୍ତୃପକ୍ଷଙ୍କୁ ନିୟନ୍ତ୍ରଣ କରିବାରେ ସଫଳ ହେଉଛନ୍ତି ସେ ପ୍ରସଙ୍ଗ ବି ଦାଣ୍ଡରେ ପଡି ହାଟରେ ଗଡୁଛି ।
ଏପରିକି ଗାଁ ଗାଁ ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ଭଳି ସମ୍ଭାବନା ସୃଷ୍ଟି ହୋଇଛି । ଏଭଳି ଭାବେ ମାର୍ଗଦର୍ଶିକାକୁ ଉଲଂଘନ କରାଯାଇ ନବୀକରଣ ପ୍ରକଳ୍ପ କାମ ସରିବାର ଦୀର୍ଘ ଦିନ ପରେ ହିଞ୍ଜିଳିକାଟୁ ବ୍ଳକ କର୍ତ୍ତୃପକ୍ଷ ଗଞ୍ଜାମ ଜିଲ୍ଲାପାଳଙ୍କ ସୁପାରିଶ ଅପେକ୍ଷାରେ ରହିଥିବା ଜଣାପଡ଼ିଛି । ଏହାର ସତ୍ୟାସତ୍ୟ ପାଇଁ ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରିବା ନିମନ୍ତେ ସଚେତନ ନାଗରିକ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।















