ବରଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ‘ବଡ଼ମା’ ଭାବେ ପରିଚିତ ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀ ଅବସରରେ ତାଙ୍କ ସ୍ମୃତିରେ ସ୍ମାରକ ଡାକଟିକଟ ଜାରି କରିବା ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି ନୂଆ ଆଶା ସୃଷ୍ଟି କରିଛି। ଏ ସମ୍ପର୍କରେ ଲୋକସଭାରେ ନିୟମ ୩୭୭ ଅଧୀନରେ ସାଂସଦ ଶ୍ରୀ ପୁରୋହିତ ୨୪ ଜୁଲାଇ ୨୦୨୬ରେ ମାମଲା ଉଠାଇଥିଲେ।ସାଂସଦ ତାଙ୍କ ଦାବିରେ କହିଥିଲେ ଯେ, ୧୯ ଜାନୁଆରୀ ୧୯୨୬ରେ ଜନ୍ମଗ୍ରହଣ କରିଥିବା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀ ୨୦୨୬ରେ ପୂରଣ ହେଉଛି।

ମାତ୍ର ୧୬ ବର୍ଷ ବୟସରେ ସେ ମହାତ୍ମା ଗାନ୍ଧୀଙ୍କ ବିଚାରରେ ପ୍ରଭାବିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ହୋଇଥିଲେ। କାରାବାସ ସହିବା ସହ ଇଂରେଜ ଶାସନ ବିରୋଧରେ ସାହସର ସହ ଲଢ଼ିଥିଲେ। ସ୍ୱାଧୀନତା ପରେ ମଧ୍ୟ ସେ ସମାଜସେବା, ମହିଳା ସଶକ୍ତୀକରଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବଞ୍ଚିତ ଶିଶୁଙ୍କ କଲ୍ୟାଣ ପାଇଁ ଜୀବନ ଉତ୍ସର୍ଗ କରିଥିଲେ। ତାଙ୍କ ଅବଦାନକୁ ଜାତୀୟ ସ୍ତରରେ ସ୍ମରଣୀୟ କରିବା ପାଇଁ ‘ବଡ଼ମା’ଙ୍କ ଜୀବନୀ ଉପରେ ଆଧାରିତ ଏକ ଜାତୀୟ ବାୟୋଗ୍ରାଫିକ୍ ତଥ୍ୟ ପ୍ରସ୍ତୁତ ଓ ପ୍ରଦର୍ଶନ କରିବା ସହ ଭାରତୀୟ ଡାକ ବିଭାଗ ପକ୍ଷରୁ ତାଙ୍କ ନାମରେ ସ୍ମାରକ ଡାକଟିକଟ ଜାରି କରିବାକୁ ସାଂସଦ ଦାବି କରିଥିଲେ।















