No Result
View All Result
ସଂପର୍କ ତରଫରୁ ସ୍ୱଦେଶୀ ବସ୍ତ୍ର ଚେତନା ସ୍ମୃତି ଦିବସ ପାଳିତ
ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :–ବିଶ୍ୱ ଲୋକକଥା ଦିବସ ଅବସରରେ ୨୨ ଅଗଷ୍ଟ ଦିନଟିର ଐତିହାସିକ ସ୍ମୃତିକୁ ମନେ ପକାଇ ପ୍ରତାପ ପୁରୁଷୋତ୍ତମ ପଞ୍ଚାୟତ ଅନ୍ତର୍ଗତ ଆଳନ୍ଦିଆ ଗ୍ରାମରେ ସଂପର୍କ ତରଫରୁ ସ୍ୱଦେଶୀ ବସ୍ତ୍ର ଚେତନା ସ୍ମୃତି ଦିବସ ପାଳିତ ହୋଇଥିଲା। ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ସ୍ମୃତି, ସ୍ୱଦେଶୀ ବସ୍ତ୍ରର ପ୍ରସାର ଏବଂ ଆଳନ୍ଦିଆ ଗାମୁଛାର ପାରମ୍ପରିକ ବୟନଶିଳ୍ପକୁ ସମ୍ମାନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

କାର୍ଯ୍ୟକ୍ରମରେ ପ୍ରତାପ ପୁରୁଷୋତ୍ତମ ପଞ୍ଚାୟତର ସରପଞ୍ଚ, ସଂପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ, ଉପସଭାପତି ଡା. କମଲେଶ ପ୍ରଧାନ, ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳର କୃଷ୍ଣଚନ୍ଦ୍ର ମହାନ୍ତି, ସତ୍ୟ ନାରାୟଣ ମହାନ୍ତି, ସଦର ଥାନା ତନ୍ତୁବାୟ ସହଯୋଗ ସମିତିର ସଭାପତି ଓ ସମ୍ପାଦକ ଉଦୟନାଥ ମହାରଣାଙ୍କ ସମେତ ବହୁ ବୁଣାକାର ଓ ସ୍ଥାନୀୟ ଲୋକ ଯୋଗ ଦେଇଥିଲେ।ଏହି ଅବସରରେ ଆଳନ୍ଦିଆ ଗାମୁଛାର ଉତ୍ପତ୍ତି, ପାରମ୍ପରିକ ବୟନ ପ୍ରଣାଳୀ ଏବଂ ଶ୍ରୀମନ୍ଦିର ସହ ଏହାର ସମ୍ପର୍କ ନେଇ ଆଲୋଚନା ହୋଇଥିଲା।
ପୌରାଣିକ ଉପାଖ୍ୟାନ, ଆଞ୍ଚଳିକ ଇତିହାସ ଓ ଲୋକକଥା ଅନୁଯାୟୀ, ଗଜପତି ମହାରାଜାଙ୍କ ଆଜ୍ଞାରେ ବୁଣାକାର ସମ୍ପ୍ରଦାୟର କାରିଗରମାନଙ୍କୁ ପୁରୀ ଅଞ୍ଚଳ ନିକଟରେ ବସତି ସ୍ଥାପନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଆଳନ୍ଦିଆ ଗ୍ରାମ ବୟନଶିଳ୍ପର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ହୋଇଥିବା ନେଇ ଲୋକକଥାରୁ ଜଣାପଡ଼େ।ଶ୍ରୀମନ୍ଦିରର ବସ୍ତ୍ର ସେବା ସହ ଜଡ଼ିତ ବୁଣାକାର ପରମ୍ପରା ଏବଂ ଆଳନ୍ଦିଆ ଗାମୁଛାର ସ୍ୱତନ୍ତ୍ର ବୟନଶୈଳୀ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ବକ୍ତାମାନେ ମତ ଦେଇଥିଲେ।
ପିଢ଼ି ପରେ ପିଢ଼ି ଏହି ପାରମ୍ପରିକ କଳାକୁ ବୁଣାକାରମାନେ ଜୀବନ୍ତ ରଖିଆସିଛନ୍ତି। ଆଳନ୍ଦିଆ ଗାମୁଛାର ବିକ୍ରି ବୃଦ୍ଧି ଓ ବୁଣାକାରମାନଙ୍କ ଜୀବିକାକୁ ଅଧିକ ସୁଦୃଢ଼ କରିବା ପାଇଁ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା। ଗାମୁଛାକୁ ସ୍ଥାନୀୟ ବଜାର ସହ ରାଜ୍ୟ ଓ ଜାତୀୟ ବଜାରରେ ପହଞ୍ଚାଇବା, ଅନଲାଇନ ବିକ୍ରି ବ୍ୟବସ୍ଥା କରିବା, ଆଳନ୍ଦିଆ ଗାମୁଛା ପାଇଁ ସ୍ୱତନ୍ତ୍ର ବ୍ରାଣ୍ଡ ଓ ପରିଚୟ ଗଢ଼ିବା, ଉତ୍ପାଦର ଗୁଣବତ୍ତା ଓ ପ୍ୟାକେଜିଂରେ ଆଧୁନିକତା ଆଣିବା ଏବଂ ମେଳା, ପ୍ରଦର୍ଶନୀ ଓ ପର୍ଯ୍ୟଟନସ୍ଥଳୀରେ ବିକ୍ରି କେନ୍ଦ୍ର ସ୍ଥାପନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏଥିସହ ବୁଣାକାରମାନଙ୍କୁ ସରକାରୀ ସହାୟତା, ସହଜ ଋଣ, ଆଧୁନିକ ବୟନ ଯନ୍ତ୍ରପାତି, ଡିଜାଇନ ତାଲିମ ଓ କଞ୍ଚାମାଲ ଯୋଗାଣରେ ସୁବିଧା ଦେବାକୁ ଦାବି ହୋଇଥିଲା। ଯୁବପିଢ଼ିଙ୍କୁ ଏହି ପାରମ୍ପରିକ ବୃତ୍ତି ସହ ଯୋଡ଼ିବା ପାଇଁ ତାଲିମ କେନ୍ଦ୍ର ଓ କାରିଗରୀ କର୍ମଶାଳା ଆୟୋଜନର ଆବଶ୍ୟକତା ଉପରେ ମଧ୍ୟ ମତ ପ୍ରକାଶ ପାଇଥିଲା। ବକ୍ତାମାନେ କହିଥିଲେ ଯେ, ଆଳନ୍ଦିଆ ଗାମୁଛା କେବଳ ଏକ ବସ୍ତ୍ର ନୁହେଁ, ଏହା ଓଡ଼ିଶାର ଲୋକପରମ୍ପରା, ବୟନକଳା ଓ ସାଂସ୍କୃତିକ ପରିଚୟର ଏକ ଅମୂଲ୍ୟ ନିଦର୍ଶନ। ଏହାର ବଜାର ବୃଦ୍ଧି ସହ ବୁଣାକାରଙ୍କ ଆର୍ଥିକ ସୁରକ୍ଷା ନିଶ୍ଚିତ କରିପାରିଲେ ଏହି ପାରମ୍ପରିକ କଳା ଆଗାମୀ ପିଢ଼ି ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ। ଅନ୍ୟମାନଙ୍କ ମଧ୍ୟରେ ଶୁଭ ପ୍ରସାଦ ଶର୍ମା, ଭାସ୍କର ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

No Result
View All Result