No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଅଧ୍ୟକ୍ଷ ଅଭୟ କୁମାର ସାହୁ ପ୍ରକାଶ କରିଛନ୍ତି । ସ୍ଥାନୀୟ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ଗଞ୍ଜାମ (ପୂର୍ବ, ପଶ୍ଚିମ) ଓ ଗଜପତି ଜିଲାର ଚାଷୀ ନେତାମାନେ ଉପସ୍ଥିତ ଥିଲେ । ଶ୍ରୀ ସାହୁ କହିଲେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ରାଜ୍ୟରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଚାଷୀଙ୍କୁ ବିହନ ଓ ଆବଶ୍ୟକ ପରିମାଣରେ ସାର କିଟନାଶକ ଔଷଧ ଯୋଗାଇଦେବା, ନିର୍ଦ୍ଧାରିତ ଦରରେ ଧାନ, ମାଣ୍ଡିଆ ପ୍ରଭୃତି ଶସ୍ୟ କ୍ରୟ କରିବା, ଓଡ଼ିଶାରେ ପାନ, ନଡ଼ିଆ, ଆଖୁ ଓ କପା ଚାଷୀଙ୍କୁ ସଂଗଠିତ କରି ସେମାନଙ୍କ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ । ଓଡ଼ିଶାର 314 ବ୍ଲକର କିଷାନ କଂଗ୍ରେସ ସଭାପତିଙ୍କୁ ନେଇ ଭୁବନେଶ୍ଵର ଠାରେ ଅଗଷ୍ଟ 9 ତାରିଖରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରାଯାଇ ସାରା ରାଜ୍ୟରେ ଚାଷୀ ସମସ୍ୟାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବ।ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା ଯୋଗଦେଇ ଚାଷୀମାନଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ କରିବା ଏକମାତ୍ର ବିକଳ୍ପ ବୋଲି କହିଥିଲେ ।
ରାଜ୍ୟ ଚାଷୀ ସୁରକ୍ଷା ଅଭିଯାନର ଆବାହକ ରବି ରଥ ତାଙ୍କ ଭାଷଣରେ କେନ୍ଦ୍ର ସରକାର ନିକଟରେ ଛାତ୍ର ଆନ୍ଦୋଳନ ଓ ପୂର୍ବରୁ ହୋଇଥିବା ଚାଷୀ ଆନ୍ଦୋଳନରେ ମୁଣ୍ଡ ନୂଆଁଇଥିବା ବିଷୟ ଉଲ୍ଲେଖ କରି କେବଳ ଚାଷୀ ଆନ୍ଦୋଳନ ହିଁ ସରକାରଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ଉପସଭାପତି ଡ଼. କାର୍ତ୍ତିକ ଚନ୍ଦ୍ର ବରାଳ, ଜିଲା କଂଗ୍ରେସ କମିଟି (ପଶ୍ଚିମ) ସଭାପତି ଦଣ୍ଡପାଣି ପାତ୍ର, ଜିଲା କଂଗ୍ରେସର ଉପସଭାପତି ଅଶୋକ ପଟ୍ଟନାୟକ, ବୃନ୍ଦାବନ ଖଟେଇ, ରାଜ୍ୟ କମକର୍ତ୍ତା ଶିତିକଣ୍ଠ ମହାନ୍ତି, ଦିଲ୍ଲୀପ ସୁଆର, ପୂର୍ଣ୍ଣଚନ୍ଦ୍ର ଦାସ, ଲକ୍ଷ୍ମଣ ନାୟକ, ସତ୍ୟ ନାରାୟଣ ପାତ୍ର, ପଦ୍ମଚରଣ ସାହୁ, ସୁବ୍ରତ କୁମାର ବ୍ରହ୍ମା, ପଞ୍ଚୁ ପାତ୍ର ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

No Result
View All Result