୨୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପଦରେ : ବର୍ଷ ବର୍ଷ ଧରି ଅଭିଯୋଗ ପରେ ବି ନାହିଁ ସ୍ଥାୟୀ ସମାଧାନ
x ପ୍ରଶାସନିକ ଅବହେଳା; ବର୍ଷବର୍ଷ ଧରି ବ୍ୟବସାୟୀ ମୁନାଫାଖୋର
x ବିଦ୍ୟାଳୟ ସମ୍ମୁଖରେ ବେଆଇନ୍ ମଦ କାରବାର
ରଣପୁର (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଶିକ୍ଷାନୁଷ୍ଠାନ ହେଉଛି ସମାଜର ଭବିଷ୍ୟତ ଗଢ଼ିବାର ପବିତ୍ର ସ୍ଥାନ । କିନ୍ତୁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବାରଙ୍ଗଗାଡ଼ିଆ ହାଇସ୍କୁଲ ଓ ଖଣ୍ଡିଆବନ୍ଧ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଦୀର୍ଘ ଦିନ ଧରି ବେଆଇନ୍ ଭାବେ ମଦ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ବିକ୍ରି ହେଉଥିବା ନେଇ ସ୍ଥାନୀୟ ଲୋକଙ୍କ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି । ପ୍ରାୟ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଏହି ଦୁଇ ବିଦ୍ୟାଳୟର ମୁଖ୍ୟ ଫାଟକଠାରୁ ମାତ୍ର ୧୦ରୁ ୧୫ ମିଟର ଦୂରରେ ଏପରି କାରବାର ଚାଲୁଥିବା ଅଭିଯୋଗ ସମଗ୍ର ଅଞ୍ଚଳରେ ଉଦବେଗ ସୃଷ୍ଟି କରିଛି ।

ସ୍ଥାନୀୟ ମହିଳା, ଅଭିଭାବକ ଓ ଜନସାଧାରଣ ବାରମ୍ବାର ବିରୋଧ କରିବା ସହ ପୂର୍ବରୁ ନୟାଗଡ଼ ଜିଲ୍ଲାପାଳ ଏବଂ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିବା କୁହାଯାଉଛି। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ, ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ ବେଆଇନ କାରବାର ବନ୍ଦ ହେବା ପରିବର୍ତ୍ତେ ଆହୁରି ବଢ଼ିଚାଲିଛି। ଏହା ପ୍ରଶାସନ ଓ ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।ଗତ ୨୫ ଜୁଲାଇ ୨୦୨୭ ସନ୍ଧ୍ୟାରେ ଘଟିଥିବା ଏକ ଘଟଣା ଏହି ସମସ୍ୟାର ଭୟାବହତାକୁ ଆହୁରି ସ୍ପଷ୍ଟ କରିଛି। ଅଭିଯୋଗ ଅନୁଯାୟୀ, ଜଣେ ଯୁବକ ମଦ୍ୟପାନ କରି ଘରେ ଅଶାନ୍ତି ସୃଷ୍ଟି କରିବା ପରେ ତାଙ୍କ ବାପା ଓ ମା’ ସମ୍ପୃକ୍ତ ବ୍ୟବସାୟୀଙ୍କ ନିକଟକୁ ଯାଇ ପ୍ରତିବାଦ କରିଥିଲେ ।
କିନ୍ତୁ ବେଆଇନ ବ୍ୟସାୟରେ ଲିପ୍ତ ଥିବା ଉଭୟ ଜନୈକ ବାପପୁଅ ସେମାନଙ୍କ ଉପରେ ଓଲଟା ଉତକ୍ଷିପ୍ତ ହେବାରୁ ପରିସ୍ଥିତି ଅଣାୟତ ହୋଇଥିଲା। ବାରଙ୍ଗ ଗାଡିଆ ଗ୍ରାମର ଦୁଇ ସଚେତନ ଯୁବକ ରଶ୍ମିକାନ୍ତ ପାହାଡାସିଂହ ଓ ପ୍ରଦୀପ କୁମାର ପରିଡ଼ା ସେହି ସମୟରେ ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ବେଆଇନ୍ ବ୍ୟବସାୟୀଙ୍କ ବ୍ୟବହାର ସେମାନଙ୍କୁ ଚକିତ କରିଥିଲା। ତେଣୁ ସେମାନେ ବାଧ୍ୟ ହୋଇ ମୋବାଇଲରେ ଘଟଣାର ଭିଡିଓ ଉତ୍ତୋଳନ କରୁଥିବା ସମୟରେ ଉଭୟ ବେଆଇନ୍ ମଦ ବ୍ୟବସାୟରେ ଲିପ୍ତ ଥିବା ବାପ-ପୁଅ ଉଭୟଙ୍କ ଉପରକୁ ଥଣ୍ଡା କାଚ ବୋତଲରେ ଆକ୍ରମଣ କରିଥିଲେ।
ଘଟଣା ସ୍ଥଳରେ ପ୍ରଦୀପ ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ ରଶ୍ମିକାନ୍ତ ପାହାଡାସିଂହଙ୍କ ବାମ ଆଖିର ଉପରିଭାଗ କପାଳ ଫାଟି ରକ୍ତାକ୍ତ ହୋଇଥିଲା । ତୁରନ୍ତ ଚିକିତ୍ସା ଚାନ୍ଦପୁର ଡାକ୍ତରଖାନାରେ ହେବାସହ ଏନେଇ ଚାନ୍ଦପୁର ଥାନାରେ ଲିଖିତ ଏତଲା ଦାଖଲ ହୋଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ସାଧାରଣ ଲୋକଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ- ଯଦି ବିଦ୍ୟାଳୟ ସମ୍ମୁଖରେ ଦୀର୍ଘ ଦିନ ଧରି ବେଆଇନ ମଦ କାରବାର ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ହୋଇଛି, ତେବେ ଅବକାରୀ ବିଭାଗର ନଜର କେଉଁଠି?
ବିଦ୍ୟାଳୟ ସନ୍ନିକଟ ସମ୍ବେଦନ ଶୀଳସ୍ଥାନରେ ବେଆଇନ୍ ବ୍ୟବସାୟୀଙ୍କ ପ୍ରତି ଚଢ଼ାଉ ହେଉନାହିଁ କାହିଁକି ? ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେବା ସମ୍ପୃକ୍ତ ବିଭାଗର ଦାୟିତ୍ୱ । ପ୍ରଶାସନର ନୀରବତା ଯେତେ ଲମ୍ବା ହେବ, ସମାଜରେ ସେତେ ଭୁଲ ବାର୍ତ୍ତା ଯିବ ଯେ ବେଆଇନ କାରବାର ବିରୋଧରେ ସ୍ୱର ଉଠାଇଲେ ମଧ୍ୟ ସୂଫଳ ମିଳୁନାହିଁ।
ବିଦ୍ୟାଳୟ ପାଖରେ ନିଶାଦ୍ରବ୍ୟର ସହଜ ଉପଲବ୍ଧତା କେବଳ ଆଇନ ଉଲ୍ଲଙ୍ଘନ ନୁହେଁ, ଏହା ଶିଶୁ ଓ କିଶୋରମାନଙ୍କ ଭବିଷ୍ୟତ ପ୍ରତି ଏକ ବଡ଼ ବିପଦ । ନିଶାର କବଳରେ ପଡ଼ି ଅନେକ ପରିବାର ଉଜୁଡ଼ିଯାଉଛି, ଘରୋଇ ହିଂସା ବଢ଼ୁଛି ଏବଂ ସାମାଜିକ ଅପରାଧ ମଧ୍ୟ ବୃଦ୍ଧି ପାଉଛି ।
ଏହାର ସ୍ଥାୟୀ ସମାଧାନ କ’ଣ ? କେବଳ ଚଢ଼ାଉ କିମ୍ବା କିଛିଦିନର କାର୍ଯ୍ୟାନୁଷ୍ଠାନରେ ସମାଧାନ ହେବ ନାହିଁ । ନିମ୍ନଲିଖିତ ପଦକ୍ଷେପ ଅତି ଜରୁରୀ –
– ବିଦ୍ୟାଳୟ ଆଖପାଖରେ ବେଆଇନ ନିଶା କାରବାର ନେଇ ଅଭିଯୋଗର ନିରପେକ୍ଷ ଯାଞ୍ଚ ଏବଂ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ।
– ଅବକାରୀ ବିଭାଗ, ପୋଲିସ ଓ ଜିଲ୍ଲା ପ୍ରଶାସନର ମିଳିତ ସ୍ୱତନ୍ତ୍ର ସ୍ପେଶାଲ୍ ଡ୍ରାଇଭ୍।
– ବିଦ୍ୟାଳୟର ୨୦୦–୩୦୦ ମିଟର ପରିସରକୁ ସମ୍ପୂର୍ଣ୍ଣ “ନିଶାମୁକ୍ତ ଶିକ୍ଷା କ୍ଷେତ୍ର” ଭାବେ କଡ଼ାକଡ଼ିରେ କାର୍ଯ୍ୟକାରୀ କରାଯିବା ।
– ବେଆଇନ ମଦ ଓ ନିଶାଦ୍ରବ୍ୟ ବିକ୍ରିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଯଦି ତଦନ୍ତରେ ପ୍ରମାଣ ମିଳେ, ତେବେ ଆଇନ ଅନୁଯାୟୀ କଠୋର ଦଣ୍ଡାତ୍ମକ ବ୍ୟବସ୍ଥା ଓ ପୁନରାବୃତ୍ତି ରୋକିବା ପାଇଁ ନିୟମିତ ନଜରଦାରୀ ।
– ଗ୍ରାମବାସୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା ସମିତି ଓ ପୋଲିସଙ୍କୁ ନେଇ ସ୍ଥାୟୀ ନିଶା ବିରୋଧୀ କମିଟି ଗଠନ ।
– ଗୁପ୍ତ ସୂଚନା ଦେଉଥିବା ସଚେତନ ନାଗରିକଙ୍କ ପରିଚୟ ଗୋପନ ରଖି ସେମାନଙ୍କୁ ସୁରକ୍ଷା ପ୍ରଦାନ ।
ବେଆଇନ ନିଶା କାରବାର ବିରୋଧରେ ଲଢ଼େଇ କେବଳ ପୋଲିସ କିମ୍ବା ଅବକାରୀ ବିଭାଗର ନୁହେଁ; ଏହା ସମଗ୍ର ସମାଜର ଦାୟିତ୍ୱ। ତେବେ ଯେତେବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଫଳପ୍ରଦ ପଦକ୍ଷେପ ଦୃଶ୍ୟମାନ ହୁଏନାହିଁ, ସେତେବେଳେ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଆଶା କରାଯାଉଛି, ସମ୍ପୃକ୍ତ କର୍ତ୍ତୃପକ୍ଷ ଏହି ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ କରି, ଯଦି ଆଇନ ଉଲ୍ଲଙ୍ଘନ ପ୍ରମାଣିତ ହୁଏ, ତେବେ ବେଆଇନ ମଦ କାରବାରକୁ ସବୁଦିନ ପାଇଁ ବନ୍ଦ କରି ଛାତ୍ରଛାତ୍ରୀଙ୍କୁ ଏକ ସୁରକ୍ଷିତ, ନିଶାମୁକ୍ତ ଶିକ୍ଷା ପରିବେଶ ଫେରାଇ ଦେବେ ବୋଲି ଆଶା ଓ ବିଶ୍ବାସ ।














