ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଗୁରୁବାର ଦିନ ନବମୀ ଦର୍ଶନ ବା ଆଡ଼ପ ଦର୍ଶନ କରିଛନ୍ତି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ । ଆଜି ମହାପ୍ରଭୁଙ୍କର ମଙ୍ଗଳଆଳତି,ମଇଲମ ,ତଡ଼ପଲାଗି, ଅବକାଶ , ରୋଷହୋମ , ସୂର୍ଯ୍ୟପୂଜା ସହ ଅନ୍ୟାନ୍ୟ ନୀତି ସମାପନ ପରେ ସର୍ବ ସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା । ସକାଳ ମେଘୁଆ ପାଗ ଓ ଅପରାହ୍ନରେ ଶୁଖିଲା ପାଗର ଯୋଗୁଁ ଲକ୍ଷାଧିକ ଭକ୍ତମାନେ ବ୍ୟାରିକେଡ଼ ଦେଇ ଗୁଣ୍ଡିଚା ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ଏହି ଦର୍ଶନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସଂଧ୍ଯା ୬ଟାରେ ଦର୍ଶନ ବନ୍ଦ କରାଯାଇ ବାହୁଡା଼ ଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । କିପରି ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମ୍ପନ୍ନ କରାଯିବ ସେନେଇ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା ଓ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଉପସ୍ଥିତ ରହି ତଦାରଖ କରିଥିଲେ । ଆଡ଼ପମଣ୍ଡପ ଦର୍ଶନ ସରିଆସୁଥିବା ବେଳେ ଶରଧାବାଲିରେ ପ୍ରବଳ ଭିଡ଼ ହେଉଥିବା ଦେଖିବାକୁ ମିଳିଥିଲା । 
ରାଜ୍ଯ ତଥା ରାଜ୍ଯ ବାହାରୁ ଶ୍ରଦ୍ଧାଳୁମାନେ ଆସି ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ ବ୍ଯାରିକେଡ ଦେଇ ସିଂହଦ୍ବାରରେ ପ୍ରବେଶ କରିଥିଲେ । ଭକ୍ତମାନେ ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ନାକଚଣା ଦ୍ବାର ଦେଇ ପ୍ରସ୍ଥାନ କରିଥିଲେ । ଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ଜୟ ଜଗନ୍ନାଥ, ହରିବୋଲ ହୁଳହୁଳିରେ ଧ୍ବନିରେ ପ୍ରକମ୍ପିତ ହେଉଥିଲା । ନବମୀସନ୍ଧ୍ୟା ଦର୍ଶନ ପାଇଁ ବଡଶଙ୍ଖ ଛକ ଠାରୁ ଲାଇନ ଲାଗିଥିବା ଦେଖାଯାଇଛି ।

ଆଜି ଶେଷ ଦର୍ଶନଥିବାରୁ ଶରଧାବାଲିରେ ଲାଗିଛି ଭକ୍ତଙ୍କ ଭିଡ଼ । ବାହୁଡା଼ଯାତ୍ରା ପାଇଁ ସମସ୍ତ ସେବାୟତ ଏବଂ ଭକ୍ତମାନଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ । ସନ୍ଧ୍ୟାଦର୍ଶନ ଦିନ ଜନ୍ମ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନକଲେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଆଡ଼ପ ଦର୍ଶନ କରି ଭକ୍ତ ମାନେ ଭାବବିହ୍ବଳ ହୋଇପଡିଥିଲେ । ଶୁକ୍ରବାର ବାହୁଡା଼ ଯାତ୍ରା ଥିବାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ ହେବ ।

ତୃତୀୟ ଭୋଗ ମଣ୍ଡପ ପରେ ରାହସକୁ ମହାପ୍ରଭୁ ବିଜେ କରିବେ । ମଇଲମ , ଚନ୍ଦନ ଲାଗି ,ବଡ଼ସିଂହାର ବେଶ , ବଡ଼ସିଂହାର ଭୋଗ ପରେ ରାତ୍ର ୧୦ ଟାରେ ପହୁଡ କରାଯିବ । ପୁଷ୍ପପାଳକମାନେ ଶ୍ରୀମୁଖରେ ଖଣ୍ଡୁଆ ପକାଇ ବାହାରକୁ ଯିବା ପରେ ଦଇତାପତି ମାନେ ଠାକୁରଙ୍କର ଗୁପ୍ତନୀତି କରିବେ । ଶୁକ୍ରବାର ଦିନ ମହାପ୍ରଭୁ ଧାଡି ପହଣ୍ଡିରେ ଆସି ରଥାରୁଢ ହେବେ ।

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ଭକ୍ତମାନେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଭକ୍ତି ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ । ଚକା ଆଖି ସହ ଭକ୍ତର ଆଖି ମିଶିବ । ରାଜ୍ଯ ପୋଲିସ ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ, ଶୃଙ୍ଖଳିତ ରଥଟଣା ଓ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।














