No Result
View All Result
ଗାଈଗୋଠ ଚିତ୍ର ଓ ତିନିରଥର ବାହ୍ଯ ଅଂଶ ରଙ୍ଗକାର୍ଯ୍ଯ ଶେଷ
ପୁରୀ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ଶ୍ରୀମନ୍ଦିର କାର୍ଯ୍ଯାଳୟ ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ କରୁଛନ୍ତି । ମଙ୍ଗଳବାର ରଥ ନିର୍ମାଣର ୭୮ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।ଆଉ ୮ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ।

ମଙ୍ଗଳବାର ବଡଥଳ ପୋଟଳ ଠାରୁ ଦୁଆର ବେଢା ଚନ୍ଦ୍ରଶାଳୀ ପର୍ଯ୍ୟନ୍ତ ମଣ୍ଡଣି ବତା ଫିଟିଙ୍ଗ ଶେଷ ହୋଇଛି । ଗାଈଗୋଠ ଚିତ୍ର ଓ ତିନିରଥର ବାହ୍ୟ ଅଂଶ ରଙ୍ଗ କାର୍ଯ୍ଯ ମଧ୍ଯ ଶେଷ ହୋଇଛି । ସୋମବାର ସୁଦ୍ଧା ତିନିରଥର ତିନି ପାର୍ଶ୍ୱରେ ମଣ୍ଡଣି ବତା ଲାଗିବା ସହ ତିନିରଥର ପ୍ରଭା ଗୁଡ଼ିକର ରୂପ ଖୋଦେଇ ଅଂଶରେ ରଙ୍ଗ କାର୍ଯ୍ୟ ସହ ତିନିରଥର ବାହାର ପାର୍ଶ୍ୱ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରୀ ରହିଥିଲା । ମହାରଣା ସେବକ ଏବଂ ଭୋଇ ସେବକଙ୍କ ସହଯୋଗରେ ତିନିରଥ ରେ ମୋଟ ୩୨ ଗୋଟି କନ୍ୟା ପଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି ।

ମହାପ୍ରଭୁଙ୍କ ତାଳ ଧ୍ଵଜ ରଥ ଏବଂ ମହାପ୍ରଭୁଙ୍କ ନନ୍ଦି ଘୋଷ ରଥର ଚତୁର୍ପାର୍ଶ୍ୱରେ ୧୨ ଗୋଟି ଲେଖାଏଁ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ୮ ଗୋଟି କନ୍ୟା ପଟା ବାଡ଼ିଆ ଯାଇଛି। ଚିତ୍ରକାର ସେବକ ମାନେ ତିନିରଥ ପ୍ରଭାରେ ରୂପ ଖୋଦେଇ ଅଂଶରେ ରଙ୍ଗ କାର୍ଯ୍ୟ ର ଶେଷ ସ୍ପର୍ଶ ଦେବାସହ, ତିନିରଥର ବାହ୍ୟ ଅଂଶ ଗୁଡ଼ିକର ରଙ୍ଗ କାର୍ଯ୍ୟ ସହ, ତିନିରଥର ବ୍ରେକ ପୁଲି ର ରଙ୍ଗ କାର୍ଯ୍ୟ ସହ ତିନିରଥର ଘୋଡ଼ା ଏବଂ ସାରଥୀଙ୍କ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି ।

ଦରଜୀ ସେବକ ମାନେ ତିନିରଥ ରବତା କାନା କଟିଙ୍ଗ ପରେ ସେଥିରେ ବିଳାସ ପଟି ବା ଜରୀ ଲେସ୍ ଫିଟିଙ୍ଗ କାର୍ଯ୍ୟ ଶେଷ କରିବା ସହ ତିନି ରଥର ଦୁଆର ବେଢା ଏବଂ ଦୁଆର ବେଢା ଚନ୍ଦ୍ର ଶାଳୀ ର କାନା କଟିଙ୍ଗ ଶେଷ ପରେ ସେଥିରେ ଫୁଲ, ଡାଳି ଲତା ଏବଂ ଚିକଣ ଫୁଲ ପକା କାର୍ଯ୍ୟ ପାଇଁ ମାପ ଚିହ୍ନ ଗାଡ଼ିଆ କାର୍ଯ୍ୟ ଜାରୀ ରହିଛି। ଏଥିସହ ତିନିରଥର ପୋଟଳ କାନା କଟିଙ୍ଗ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ସମସ୍ତ କଣ୍ଟା ନିର୍ମାଣ କାର୍ଯ୍ୟ ଶେଷ କରି ଜରୁରୀ କାଳୀନ ପରିସ୍ଥିତି ପାଇଁ କିଛି ଆବଶ୍ୟକ କଣ୍ଟା ମାନ ନିର୍ମାଣ ଜାରୀ ରଖିଛନ୍ତି । ତିନିରଥର ମହାରଣା ସେବକ ୭୬ ଜଣ,ଭୋଇ ସେବକ ୭୬ ଜଣ, ରୂପକାର ସେବକ ୨୧ଜଣ , କରତୀ ସେବକ ୪ଜଣ , ଓଝା କମାର ସେବକ ୨୦ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ ,ପାହି ମହାରଣା ୨ଜଣ ,ଚିତ୍ରକାର ୪୦ଜଣ ଓ ରଥଖଳା ସହାୟକ ୧ଜଣ ମୋଟ ୨୪୨ ଜଣ ତିନିରଥର ନିର୍ମାଣକାରୀ ସେବକ ମାନେ ନିଷ୍ଠା ଶ୍ରଦ୍ଧା ଓ ଭକ୍ତିର ସହ ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି ।

No Result
View All Result