ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଳା, ଆଧ୍ୟାତ୍ମିକତା ଓ ଐତିହ୍ୟର ଏକ ସମନ୍ୱିତ ପରିକଳ୍ପନା ରୂପେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ହେବାକୁ ଯାଉଅଛି ଚିତ୍ରଶିଳ୍ପୀ ଶିବିର “ନୀଳ ଶଇଳ”। ତିନି ଦିନ ବ୍ୟାପୀ ଏହି ଶିବିରରେ ଶ୍ରୀଜଗନ୍ନାଥ ସଂସ୍କୃତିର ବିଭିନ୍ନ ଦିଗକୁ ଚିତ୍ରଶିଳ୍ପୀମାନେ କଳାତ୍ମକ ଅଭିବ୍ୟକ୍ତି ମାଧ୍ୟମରେ କାନଭାସ୍ ରେ ରୂପ ଦେବେ। ଏହି କ୍ରମରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଓଡ଼ିଶା ଲଳିତ କଳା ଅକାଦମୀର ପ୍ରାକ୍ତନ ସଭାପତି ତଥା ଖ୍ୟାତିସମ୍ପନ୍ନ ବାଲୁକାକଳା ଶିଳ୍ପୀ ପଦ୍ମଶ୍ରୀ ଡ. ସୁଦର୍ଶନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚିତ୍ରଶିଳ୍ପୀ ଶିବିର କମିଟିର ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସୁପ୍ରତିଷ୍ଠିତ ଚିତ୍ରଶିଳ୍ପୀ ପଦ୍ମଶ୍ରୀ ବିନୋଦ ମହାରଣା, ଓଡ଼ିଶା ଲଳିତ କଳା ଅକାଦମୀର ପ୍ରାକ୍ତନ ସଚିବ ତଥା ଚିତ୍ରଶିଳ୍ପୀ ତାରାକାନ୍ତ ପରିଡ଼ା ଏବଂ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଗଣ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
















