No Result
View All Result
ବାଲେଶ୍ଵର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ସୌର ଶକ୍ତିର ବିନିଯୋଗ ତଥା ସୌର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ବାଲେଶ୍ଵର ରାଜ୍ୟ ସ୍ତରରେ ଗୌରବ ହାସଲ କରିଛି । “ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା” ଅଧୀନରେ ବାଲେଶ୍ଵର ଜିଲ୍ଲାରେ ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍(ଆରଟିଏସ) ସ୍ଥାପନା ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲା ପରେ ବାଲେଶ୍ଵର ରାଜ୍ୟରେ ଏହି ମାଇଲଖୁଣ୍ଟ ହାସଲ କରିଛି । ବାଲେଶ୍ଵର ଜିଲ୍ଲାରେ ପ୍ରାୟ ୨୨ ମେଗାୱାଟ କ୍ଷମତା ସହ ୧୦,୦୫୨ଟି ଆରଟିଏସ ସ୍ଥାପନା ହୋଇଥିବା ସୂଚନା ମିଳିଛି ।
ବାଲେଶ୍ଵର ବୈଦ୍ୟୁତିକ ମଣ୍ଡଳ ଅନ୍ତର୍ଗତ ସୋର ଡିଭିଜନରେ ୩,୦୮୯ଟି ଆରଟିଏସ ସ୍ଥାପନା ହୋଇଥିବାବେଳେ ସିଇଡିରେ ୨୧୭୫, ଜଳେଶ୍ଵରରେ ୧୮୪୦, ବସ୍ତାରେ ୧୬୦୧ ଓ ବିଇଡିରେ ୧୩୪୭ଟି ସୋଲାର ବ୍ୟବସ୍ଥା ପିଏମ୍ ସୂର୍ଯ୍ୟ ଘର ଓ ୟୁଏଲଏ ମଡେଲ ଅଧୀନରେ ସ୍ଥାପନା କରାଯାଇଛି । ବାଲେଶ୍ଵର ବ୍ଯତୀତ ବାରିପଦା ମଣ୍ଡଳରେ ୫୮୩୯, ଯାଜପୁରରେ ୪୮୪୩, କେନ୍ଦୁଝରରେ ୩୪୧୦ ଓ ଭଦ୍ରକରେ ୩୪୦୪ ଜଣ ଉପଭୋକ୍ତା ପିଏମ ସୂର୍ଯ୍ୟ ଘର ଯୋଜନା ଅଧୀନରେ ସୌର ପ୍ୟାନେଲ ସ୍ଥାପନା କରିଛନ୍ତି ।
ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ, ରାଜ୍ୟରେ ୧କିଲୋୱାଟ ୟୁଏଲଏ ଓ ୧କିଲୋୱାଟରୁ ଅଧିକ ଅଣ-ୟୁଏଲଏ ସୋଲାର ବ୍ୟବସ୍ଥା ସ୍ଥାପନା ଉପରେ ଉପଭୋକ୍ତାଙ୍କ ପାଇଁ ସରକାରଙ୍କ ତରଫରୁ ଆକର୍ଷଣୀୟ ସବସିଡି ସୁବିଧା ରହିଛି । ଯୋଗ୍ୟ ଉପଭୋକ୍ତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧,୩୮,୦୦୦ଟଙ୍କା ପର୍ଯ୍ୟନ୍ତ ସବସିଡିର ଲାଭ ଉଠାଉଛନ୍ତି । ଯାହାକି ଉପଭୋକ୍ତାଙ୍କ ପାଇଁ ଲାଭଦାୟକ ହେବା ସହ ସ୍ଥାପନା ଖର୍ଚ୍ଚକୁ ବେଶ୍ କମାଇବାରେ ସହାୟକ ହେଉଛି ।
ସେହିପରି ଟିପିଏନଓଡ଼ିଏଲ ପକ୍ଷରୁ ଉପଭୋକ୍ତାଙ୍କୁ ସୁବିଧାରେ ସେବା ଯୋଗାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ନେଟ୍ ମିଟର୍ ଉପଲବ୍ଧତା, ସମୟୋପଯୋଗୀ ନିରୀକ୍ଷଣ ଓ ସ୍ଥାପନା, ଭେଣ୍ଡର୍ ପଞ୍ଜିକରଣକୁ ସହଜ ଓ ସୁବିଧାଜନକ କରାଯାଇଛି । ‘ମୋ ଛାତ, ମୋ ସଞ୍ଚୟ’ ଅଭିଯାନ ଭଳି ଟିପିଏନଓଡ଼ିଏଲର ଅଭିନବ ପଦକ୍ଷେପ ବାଲେଶ୍ୱର ତଥା ଅନ୍ୟ ଜିଲ୍ଲାଗୁଡିକ ଲାଗି ଏହି ସଫଳତା ହାସଲ କରିବାରେ ବେଶ୍ ସହାୟକ ହୋଇଛି ।
ଗ୍ରାମାଞ୍ଚଳରେ ଗ୍ରାମ ସଭା ଆୟୋଜନ କରି ସୋଲାର୍ ପ୍ରଯୁକ୍ତି, ସବସିଡି, ସ୍ଥାପନା ପ୍ରକ୍ରିୟା, ଓ ଦୀର୍ଘମିଆଦୀ ସଞ୍ଚୟ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା, ଡାକବାଜି ପ୍ରଚାର ସହିତ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନାକୁ ଜନାଦୃତ କରିବାରେ ସହାୟତା ପ୍ରଦାନ କରିଛି । ଏହି ଅବସରରେ ଟିପିଏନଓଡ଼ିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି ଯେ, ଉତ୍ତର ଓଡିଶାରେ ଉପଭୋକ୍ତାମାନେ ଅକ୍ଷୟ ଓ ସବୁଜ ଶକ୍ତିର ବ୍ୟବହାର ପାଇଁ ବେଶ୍ ଆଗ୍ରହୀ ଓ ଏହାର ଆବଶ୍ୟକତା ନେଇ ସଚେତନ ଅଛନ୍ତି ।
ରାଜ୍ୟ ସ୍ତରରେ ବାଲେଶ୍ଵର ହାସଲ କରିଥିବା ମାଇଲଖୁଣ୍ଟ ଉପଭୋକ୍ତାଙ୍କ ବିଶ୍ୱାସ, ପ୍ରଶାସନର ସହଯୋଗ ଓ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠାର ପ୍ରତିଫଳନ ବୋଲି ସେ ଦର୍ଶାଇଛନ୍ତି । ସୂଚନାଥାଉକି, ବିଗତ ଦୁଇ ବର୍ଷରେ ଓଡ଼ିଶାରେ ୧.୦୮ ଲକ୍ଷ ରୁଫଟପ୍ ସୋଲାର୍ ସ୍ଥାପନା ସହ ଜାତୀୟ ସ୍ତରରେ ୯ମ ସ୍ଥାନରେ ରହିଛି । ୨୦୨୬ ମେ’ ମାସରେ କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରାଳୟର ସୌର ମାସ ପାଳନ ଅବସରରେ ଓଡ଼ିଶା ରାଜ୍ୟମାନଙ୍କ ମଧ୍ୟରେ ମଧ୍ୟମ ବର୍ଗରେ ସର୍ବାଧିକ ଉପଭୋକ୍ତା ଆବେଦନ, ସର୍ବାଧିକ ରୁଫଟପ୍ ସୋଲାର୍ ସ୍ଥାପନା ଓ ସର୍ବାଧିକ ଡିସକମ୍ ପରୀକ୍ଷଣ ଆଦି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ପୁରସ୍କୃତ ହୋଇଛି ।

No Result
View All Result