ନୟାଗଡ଼ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନୟାଗଡ଼ ରୋଟାରୀ କ୍ଳବ୍ ପରିଦର୍ଶନ କଲେ ୩୨୬୨ ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ମନୋଜ କୁମାର ତ୍ରିପାଠୀ। ତାଙ୍କ ସହିତ ଥିଲେ ପ୍ରଥମ ମହିଳା ତଥା ଇନରହୁଇଲ ଚେୟାରମ୍ୟାନ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ । ଏହି ଅବସରରେ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ବସିରନ୍ ବିବିଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗଭର୍ଣ୍ଣର ଶ୍ରୀଯୁକ୍ତ ତ୍ରିପାଠୀ ମଞ୍ଚାସୀନ ହୋଇ ରୋଟାରୀ କ୍ଳବ୍ ନୟାଗଡ଼ର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କ୍ଳବ୍ ସେବା କ୍ଷେତ୍ରରେ ଓଡିଶାର ଏକ ଅଗ୍ରଣୀ କ୍ଳବ୍ ଭାବେ ନିଜର ପରିଚୟ ସ୍ରୁଷ୍ଟି କରିପାରିଛି ବୋଲି କହିଥିଲେ।

ରୋଟାରୀ କ୍ଳବ୍ ର ଫିଜିଓଥେରାପି କେନ୍ଦ୍ର ଓ ଆମ୍ବୁଲାନ୍ସର ଉପଯୋଗିତା ସହିତ ବୃକ୍ଷ ରୋପଣ, ଓଡ଼ିଆ ସାମ୍ବାଦିକତା ଦିବସ, ରାଷ୍ଟ୍ରନିର୍ମାତା ସମ୍ମାନ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର ଏବଂ ସର୍ବେପରି ସକ୍ଷମ -୭ କୃତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର ଆଦି ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ କ୍ଳବ୍ ସଂପାଦକ ରୋଟାରିଆନ୍ ଅବିନାଶ ସାହୁ ପ୍ରଦାନ କରିଥିଲେ । ସରକାରୀ ଚାକିରି କରି ସମାଜର ନିମ୍ନ ସ୍ତରରେ ଉପଯୁକ୍ତ ସେବା ଯୋଗାଉଥିବା ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସିଂ ଅଧିକାରିଣୀ ଶ୍ରୀମତୀ କମଳା ଦେଇ , ହୋମଗାର୍ଡ ଶ୍ରୀଯୁକ୍ତ ନିରଞ୍ଜନ ମହାନ୍ତି ,ହାବିଲଦାର ଶ୍ରୀଯୁକ୍ତ ପ୍ରଶାନ୍ତ ବରାଡ, କନଷ୍ଟେବଳ ଶ୍ରୀଯୁକ୍ତ ଗୋପବନ୍ଧୁ ବିଶ୍ୱାଳ ,

ଟ୍ରାଫିକ କନଷ୍ଟେବଳ ଶ୍ରୀଯୁକ୍ତ ପ୍ରଜ୍ଞାନନ୍ଦ ପଣ୍ଡା, ଫାୟାର ମ୍ୟାନ୍ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଓ ପୌରପରିଷଦର ସୁଇପର ବିକାଶ ଗୋଚ୍ଛାୟତଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମିମେଣ୍ଟୋ ଦେଇ ସମ୍ମାନିତ କରାଯାଇଥିଲା। କ୍ଳବ୍ ର ବରିଷ୍ଠ ସଦସ୍ୟ ଓ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ସଦସ୍ୟ ମାନଙ୍କୁ ଜିଲ୍ଲା ଗଭର୍ଣ୍ଣର ଗୋଲାପ ଫୁଲ ଓ ଉତ୍ତରୀୟ ଦେଇ ଉତ୍ସାହିତ କରିଥିଲେ। ନୟାଗଡ଼ ଜିଲ୍ଳା ର ଯୁକ୍ତ ଦୁଇ ବିଜ୍ଞାନ ସିବିଏସଇ ଟପ୍ପର ଅର୍ଯ୍ୟ ଅନୁରାଗ , ଦଶମ ଶ୍ରେଣୀ ସିବିଏସଇ ଜିଲ୍ଲା ଟପ୍ପର ଆଶୀର୍ବାଦ ମାର୍ଥା ଏବଂ

ଯୁକ୍ତ ଦୁଇ ବାଣିଜ୍ୟ ଟପ୍ପର ନୂପୁର ଅଗ୍ରୱାଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏଥି ସହ କ୍ଳବର ଆମ୍ବୁଲାନ୍ସ ଓ ଫିଜିଓ ଥେରାପୀରେ କାର୍ଯ୍ୟରତ ୮ ଜଣ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇନରହୁଇଲ୍ କ୍ଳବ୍ ର ସଦସ୍ୟା, ବରିଷ୍ଠ ନାଗରିକ ମଞ୍ଚ, ଭାରତ ବିକାଶ ପରିଷଦ ,ସମର୍ପଣ, ସିଭିଲ ସୋସାଇଟି ଆଦି ବହୁ ସାମାଜିକ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ଥିଲେ। ପୂର୍ବତନ ସଭାପତି ପ୍ରବୀର୍ ପୃଷ୍ଟି ମଞ୍ଚ ସଂଯୋଜନା କରିଥିବା ବେଳେ କ୍ଳବ୍ ସଦସ୍ୟ ରୋଟାରିଆନ ଦେବାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।














