No Result
View All Result
ଭୁବନେଶ୍ୱରରେ ନିଜର ସୂଚନା କେନ୍ଦ୍ର ଖୋଲିବ ଛତିଶଗଡ଼ ପର୍ଯ୍ୟଟନ
ଭୁବନେଶ୍ୱର : ଛତିଶଗଡ଼ ପର୍ଯ୍ୟଟନ ବୋର୍ଡ, ଶିଳ୍ପ ସହଯୋଗୀ ଭାବେ ଫିକିର ମିଳିତ ସହଯୋଗରେ ଶୁକ୍ରବାର ଦିନ ଭୁବନେଶ୍ୱରର ମେ’ଫେୟାର କନଭେନସନଠାରେ ‘ଛତିଶଗଡ଼ ପର୍ଯ୍ୟଟନ ରୋଡ୍ଶୋ’’ ସଫଳତାର ସହ ଆୟୋଜନ କରିଛି । ଛତିଶଗଡ଼ର ବିପୁଳ ପର୍ଯ୍ୟଟନ ସମ୍ଭାବନା ବିଷୟରେ ଜାଣିବା ଏବଂ ଏହାର ପ୍ରଚାର ପ୍ରସାର କରିବା ପାଇଁ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ, ପର୍ଯ୍ୟଟନ ବ୍ୟବସାୟ ପ୍ରତିନିଧି, ହୋଟେଲ ମାଲିକ, ଟୁର୍ ଅପରେଟର, ଗଣମାଧ୍ୟମ ପ୍ରତିନିଧି ଏବଂ ସରକାରୀ ଅଧିକାରୀମାନେ ଏକାଠି ହୋଇଥିଲେ।

ଏହି ରୋଡ୍ଶୋ’ରେ ଛତିଶଗଡ଼ର ଅନନ୍ୟ ପର୍ଯ୍ୟଟନ ଆକର୍ଷଣ ଗୁଡ଼ିକୁ ସାମ୍ନାକୁ ଅଣାଯାଇଥିଲା, ଯେଉଁଥିରେ ଏହାର ସମୃଦ୍ଧ ଆଦିବାସୀ ଐତିହ୍ୟ, ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ ସମ୍ପଦ, ଆଧ୍ୟାତ୍ମିକ ସ୍ଥଳ, ସୁନ୍ଦର ଜଳପ୍ରପାତ, ଘଞ୍ଚ ଜଙ୍ଗଲ, ବନ୍ୟପ୍ରାଣୀ ଅଭୟାରଣ୍ୟ, ଜୀବନ୍ତ କଳା ଏବଂ ପ୍ରକୃତ ସାଂସ୍କୃତିକ ଅନୁଭୂତି ସାମିଲ ରହିଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ଥିଲା ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ପର୍ଯ୍ୟଟନ ସମ୍ପର୍କକୁ ମଜବୁତ କରିବା ଏବଂ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ପାଇଁ ନୂତନ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବା।
ଛତିଶଗଡ଼ ପର୍ଯ୍ୟଟନ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଛତିଶଗଡ଼ ପର୍ଯ୍ୟଟନ ବୋର୍ଡର ଅଧ୍ୟକ୍ଷ ଶ୍ରୀ ନୀଲୁ ଶର୍ମା, ଛତିଶଗଡ଼ ସରକାରଙ୍କ ପର୍ଯ୍ୟଟନ ବିଭାଗର ସଚିବ ଡକ୍ଟର ଏସ୍. ଭରତୀ ଦାସନ୍ ଏବଂ ଛତିଶଗଡ଼ ପର୍ଯ୍ୟଟନ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିବେକ ଆଚାର୍ଯ୍ୟ (ଆଇଏଫଏସ)। ଏହା ସହିତ ରାଜ୍ୟର ବରିଷ୍ଠ ସରକାରୀ ଅଧିକାରୀ ଏବଂ ପ୍ରମୁଖ ପର୍ଯ୍ୟଟନ ବ୍ୟବସାୟୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର (ଆଇଏଏସ) ମଧ୍ୟ ଉପସ୍ଥିତ ଥିଲେ ।

ଶ୍ରୀମତୀ ପୁନମ ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଫିକି ପର୍ଯ୍ୟଟନ କମିଟିର ସହ-ଅଧ୍ୟକ୍ଷ ଡକ୍ଟର ଜେ. କେ. ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛତିଶଗଡ଼ ପର୍ଯ୍ୟଟନ ବୋର୍ଡର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ନୀଲୁ ଶର୍ମା ସ୍ଥାନୀୟ ପର୍ଯ୍ୟଟନ ବ୍ୟବସାୟୀ – ଯେଉଁଥିରେ ଟୁର୍ ଅପରେଟର, ଟ୍ରାଭେଲ ଏଜେଣ୍ଟ ଏବଂ ହୋଟେଲ ମାଲିକ ଅଛନ୍ତି, ସେମାନଙ୍କୁ ଛତିଶଗଡ଼ ବୁଲି ଦେଖିବା ଏବଂ ସେମାନଙ୍କ ପର୍ଯ୍ୟଟକ ଦଳକୁ ସେଠାକୁ ପଠାଇବା ପାଇଁ ନିମନ୍ତ୍ରଣ କରିଥିଲେ।
ପର୍ଯ୍ୟଟନର ବିକାଶ କେବଳ ସରକାରଙ୍କ କାମ ନୁହେଁ, ବରଂ ଏଥିପାଇଁ ସମସ୍ତଙ୍କ ସାମୂହିକ ପ୍ରଚେଷ୍ଟା ଆବଶ୍ୟକ ବୋଲି ଗୁରୁତ୍ୱ ଦେଇ ସେ କହିଥିଲେ ଯେ ଆଞ୍ଚଳିକ ପର୍ଯ୍ୟଟନକୁ ବଢ଼ାଇବା ଏବଂ ମିଳିତ କାର୍ଯ୍ୟକ୍ରମ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଓଡ଼ିଶା ସରକାରଙ୍କ ସହ ସୁଦୃଢ଼ ଆନ୍ତଃ-ରାଜ୍ୟ ସହଯୋଗ ଆବଶ୍ୟକ। ସେଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ଡକ୍ଟର ଏସ୍. ଭରତୀଦାସନ୍ (IAS) ସ୍ଥାୟୀ ଏବଂ ଅନୁଭୂତିପୂର୍ଣ୍ଣ ପର୍ଯ୍ୟଟନ ପ୍ରତି ରାଜ୍ୟର ପ୍ରତିବଦ୍ଧତା ବିଷୟରେ ଆଲୋକପାତ କରିଥିଲେ।

ସେ କହିଥିଲେ ଯେ ଛତିଶଗଡ଼ ପର୍ଯ୍ୟଟକମାନଙ୍କୁ ଅଛୁଆଁ ପ୍ରାକୃତିକ ସୌନ୍ଦର୍ଯ୍ୟ, ଜୀବନ୍ତ ଆଦିବାସୀ ପରମ୍ପରା, ଆଧ୍ୟାତ୍ମିକ ସ୍ଥଳ ଏବଂ ରୋମାଞ୍ଚକର ପର୍ଯ୍ୟଟନ (ଆଡଭେଞ୍ଚର ଟୁରିଜିମ୍) ର ସୁଯୋଗ ଦେଇଥାଏ, ଯାହା ଏବେ ବି ଅନେକ ମାତ୍ରାରେ ଅନାଲୋଚିତ ହୋଇ ରହିଛି। ଛତିଶଗଡ଼ ସରକାର ବିଭିନ୍ନ ଗଣମାଧ୍ୟମ ଜରିଆରେ କ୍ରମାଗତ ଭାବେ ଏହି ସ୍ଥାନଗୁଡ଼ିକର ପ୍ରଚାର କରୁଛନ୍ତି, ପ୍ରମୁଖ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି ଏବଂ ନୂଆଦିଲ୍ଲୀ, କୋଲକାତା, ବଦୋଦରା ଓ ଭୋପାଳ ଭଳି ପ୍ରମୁଖ ସହରଗୁଡ଼ିକରେ ସୂଚନା କେନ୍ଦ୍ର ପ୍ରତିଷ୍ଠା କରୁଛନ୍ତି ଏବଂ ଖୁବ୍ ଶୀଘ୍ର ଓଡ଼ିଶାରେ ମଧ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ଖୋଲିବାକୁ ଯୋଜନା ଚାଲିଛି।
ଶ୍ରୀ ବିବେକ ଆଚାର୍ଯ୍ୟ ଭିତ୍ତିଭୂମିର ବିକାଶ, ପର୍ଯ୍ୟଟକଙ୍କ ଅନୁଭୂତିକୁ ସୁଧାରିବା ଏବଂ ଛତିଶଗଡ଼କୁ ଭାରତର ଅନ୍ୟତମ ଆଶାଜନକ ପର୍ଯ୍ୟଟନ ସ୍ଥଳ ଭାବେ ଗଢ଼ିତୋଳିବା ପାଇଁ ପର୍ଯ୍ୟଟନ ବୋର୍ଡ ଦ୍ୱାରା କରାଯାଉଥିବା ପ୍ରୟାସ ବିଷୟରେ ସୂଚନା ଦେଇଥିଲେ। ସେ ଓଡ଼ିଶାର ପର୍ଯ୍ୟଟନ ବ୍ୟବସାୟୀମାନଙ୍କୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସର୍କିଟ୍ ଏବଂ ଅନୁଭୂତିଗୁଡ଼ିକର ମିଳିତ ପ୍ରଚାର କରିବା ପାଇଁ ଆମନ୍ତ୍ରଣ କରିଥିଲେ।
ଏହି କାର୍ଯ୍ୟକ୍ରମ ଛତିଶଗଡ଼ର ସମୃଦ୍ଧ ପରମ୍ପରା ଓ ଐତିହ୍ୟକୁ ପ୍ରଦର୍ଶନ କରୁଥିବା ଏକ ସାଂସ୍କୃତିକ ନୃତ୍ୟ ସହିତ ଆରମ୍ଭ ହୋଇଥିଲା। ଏହାପରେ ରୋଡ୍ଶୋ’ ଅଧିବେଶନରେ ରାଜ୍ୟର ପର୍ଯ୍ୟଟନ ଆକର୍ଷଣ, ପୁଞ୍ଜିନିବେଶର ସୁଯୋଗ ଏବଂ ନୂଆ ପର୍ଯ୍ୟଟନ ସାମଗ୍ରୀ ଉପରେ ଉପସ୍ଥାପନା (ପ୍ରେଜେଣ୍ଟେସନ୍) କରାଯାଇଥିଲା। ଏହା ପୂର୍ବରୁ ଦିନରେ ଏକ ବି୨ବି (B2B) ନେଟୱର୍କିଂ ଅଧିବେଶନ ହୋଇଥିଲା, ଯାହା ଓଡ଼ିଶାର ଟୁର୍ ଅପରେଟର ଏବଂ ଛତିଶଗଡ଼ର ପର୍ଯ୍ୟଟନ ବ୍ୟବସାୟୀଙ୍କ ମଧ୍ୟରେ ଆଲୋଚନାକୁ ସହଜ କରିଥିଲା, ଯାହା ଭବିଷ୍ୟତର ଭାଗିଦାରୀ ଏବଂ ବ୍ୟବସାୟିକ ସହଯୋଗ ପାଇଁ ବାଟ ଫିଟାଇଛି।
ଏହି କାର୍ଯ୍ୟକ୍ରମ ଏକ ଆନନ୍ଦଦାୟକ ନେଟୱର୍କିଂ ରାତ୍ରିଭୋଜନ ସହିତ ଶେଷ ହୋଇଥିଲା, ଯାହା ଅଂଶଗ୍ରହଣକାରୀମାନଙ୍କୁ ଶିଳ୍ପ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ପର୍ଯ୍ୟଟନର ବିକାଶ ପାଇଁ ମିଳିତ ସୁଯୋଗ ଖୋଜିବାର ସୁଯୋଗ ଦେଇଥିଲା । ଏହି ଅବସରରେ ପର୍ଯ୍ୟଟନ ଓ ଆତିଥେୟତା ଶିଳ୍ପର ପ୍ରତିନିଧିମାନେ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଛତିଶଗଡ଼କୁ ଅବସର ବିନୋଦନ, ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ
ରୋମାଞ୍ଚକର ପର୍ଯ୍ୟଟନ ପାଇଁ ଏକ ପସନ୍ଦର ସ୍ଥାନ ଭାବେ ପ୍ରଚାର କରିବାକୁ ପ୍ରବଳ ଆଗ୍ରହ ପ୍ରକାଶ କରିଥିଲେ । ଏହି ରୋଡ୍ଶୋ’ ଛତିଶଗଡ଼ର ପର୍ଯ୍ୟଟନ ସମ୍ଭାବନା ବିଷୟରେ ସଚେତନତା ବଢ଼ାଇବା ଏବଂ ପ୍ରକୃତି, ସଂସ୍କୃତି, ଐତିହ୍ୟ ଓ ରୋମାଞ୍ଚର ଏକ ସପୂର୍ଣ୍ଣ ମିଶ୍ରଣ ପ୍ରଦାନ କରୁଥିବା ଏକ ନୂତନ ପର୍ଯ୍ୟଟନ ସ୍ଥଳ ଭାବେ ଏହାର ସ୍ଥିତିକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ସାଜିଥିଲା ।

No Result
View All Result