ରଣପୁର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ସିପିଆଇ (ଏମ) ର ପଲିଟିବ୍ୟୁରୋ ସଭ୍ୟ ତଥା କେରଳର ସୁନାମ ଧନ୍ୟ ମୁଖ୍ୟ ମନ୍ତ୍ରୀ ପିନାରାୟୀ ବିଜୟନ ଙ୍କ ଭଡ଼ା ଘର ଉପରେ ଗତ ମଇ ୨୭ ତାରିଖ ଦିନ ବିଜେପି ନେତୃତ୍ବାଧୀନ କେନ୍ଦ୍ର ମୋଦୀ ସରକାର ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ଅନ୍ୟାୟ ଭାବେ କରିଥିବା ଇଡି ଚଢ଼ାଉ ପ୍ରତିବାଦରେ ରଣପୁରରେ ସିପିଆଇ (ଏମ ) ପାର୍ଟି ତରଫରୁ ପଞ୍ଚୁଦୋଳ ପଡିଆ ଠାରେ ଅପରାହ୍ନ ୫ ଘଟିକା ସମୟରେ ବିକ୍ଷୋଭ ପ୍ରତିବାଦ ଓ ମୋଦୀ ଅମିତ ଶାହା ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

ସାଥୀ ନିତ୍ୟାନନ୍ଦ ପରିଡ଼ା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ ଇଡି ଓ ସିବିଆଇ ଭଳି ସ୍ବାଧୀନ ସଂସ୍ଥା କୁ ରାଜନୈତିକ ଅପବ୍ୟବହାର କରିବା କୁ ତୀବ୍ର ସମାଲୋଚନା କରିଥିଲେ । ପିନାରାୟୀ ଙ୍କ ଉପରେ ଓ ତାଙ୍କ ବନ୍ଧୁ ମାନଙ୍କ ଘରେ ପ୍ରାୟ ୧୦ ଟି ସ୍ଥାନରେ ଇଡି ଚଢ଼ାଉ କରି କୌଣସି ଦୁର୍ନୀତି ପ୍ରମାଣ ପାଇ ନଥିଲା ବେଳେ ଜନ ଗଣ ଙ୍କ ତୀବ୍ର ବିରୋଧର ସମ୍ମୁଖୀନ ଅପଦସ୍ତ ହୋଇଥିଲା ବୋଲି ବକ୍ତା ମାନେ କହିଥିଲେ ।

ଯେତେବେଳେ ଜନ ଗଣ ଙ୍କୁ ଦେଇଥିବା ପ୍ରତିଶୃତି ବିଜେପି ମୋଦୀ ସରକାର ରକ୍ଷା କରିବାରେ ବିଫଳ ହୋଇଛି, ବେକାରୀ ବୃଦ୍ଧି, ବିଦ୍ୟୁତ ଫି. ବୃଦ୍ଧି,ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଆକାଶ ଛୁଆଁ ହୋଇଛି ଖାଉଟି ଓ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ତାହା ନିୟନ୍ତ୍ରଣ କରିବାରେ ଡବଲ ଇଂଜିନ ସରକାର ବିଫଳ ହୋଇଛି ସେତିକି ବେଳେ ଜନ ଗଣ ଙ୍କୁ ବିଭ୍ରାନ୍ତ କରିବା ପାଇଁ ଜର ବାଉଳା ରେ ତାଟିଆ କାମୁଡିଳା ଭଳି ବିରୋଧି ଙ୍କ ସ୍ୱର କୁ ଦମନ କରିବା ପାଇଁ ଇଡି ର ଅପପ୍ରୟୋଗ କରୁଛି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ ।














