ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ଚିକିଟି :- ଶିକ୍ଷା ସର୍ବଦା ସଭ୍ୟତାର ମାନ ନିୟନ୍ତ୍ରଣ କରିଥାଏ। ମଣିଷ ତିଆରି କାରଖାନା ବା ବିଦ୍ୟାଳୟ ଶିକ୍ଷା ଭାରତବର୍ଷର ଭବିଷ୍ୟତକୁ ନିର୍ଦ୍ଧାରଣ କରିଥାଏ । ବୋଲି ମହାମାନବମାନେ ବାରମ୍ବାର ଉଦଘୋଷଣା କରିଆସିଛନ୍ତି।ମାତ୍ର ଅଦ୍ୟାବଧି ଯେତେ ସବୁ ଶିକ୍ଷାନୀତି ପ୍ରଣୀତ ହୋଇଯାଇଛି ସେମାନେ ପରୀକ୍ଷାରେ ବିଫଳ ହୋଇଛନ୍ତି ତାହା କହିବା ବାହୁଲ୍ୟ ମାତ୍ର। ଏଇ ନିକଟରେ କେନ୍ଦ୍ରସରକାରଙ୍କ ନୃତନ ଶିକ୍ଷାନୀତି ଚିଠା ପ୍ରସ୍ତାବ କେନ୍ଦ୍ରମନ୍ତ୍ରୀମଣ୍ଡଳର ମଞ୍ଜୁରୀ ଲାଭ କଲାପରେ ବିଭିନ୍ନ ମାଧ୍ୟମ ଜରିଆରେ ଯୁଗାନ୍ତକାରୀ ବୋଲି ବହୁଳ ପ୍ରଚାରିତ ହେଉଥିଲେ ମଧ୍ୟ କେତେକ ଦିଗ ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି ବୋଲି ଲେଖକର ନିଜସ୍ଵ ମତ । ବିଜ୍ଞ ନୀତି ପ୍ରଣୟନକାରୀଗଣ ଏକ ଉଚ୍ଚାକାଂକ୍ଷୀ ଚିଠା ପ୍ରସ୍ତାବ ଆଗତ କରି ନିଶ୍ଚିତ ଭାବରେ ପୂର୍ବ ତୃଟି ସୁଧାରିବାକୁ ପ୍ରୟାସ କରିଛନ୍ତି ।
ଏହା ପ୍ରଶଂସନୀୟ।ମାତ୍ର ବିଦ୍ୟାଳୟ ଶିକ୍ଷା ସ୍ତର ଗୁଡ଼ିକୁ ନେଇ କେତେକ ସଂଦେହ ଉପୁଜିବା ସ୍ଵାଭାବିକ। ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କର କାର୍ଯ୍ୟ ପ୍ରଣାଳୀ ଅନେକାଂଶରେ ସନ୍ଦେହ ଘେରରେ ଏହାକୁ ସୁଧାରିବା ଲାଗି ପ୍ରୟାସ ନ କରି ଏହାକୁ ପ୍ରାକ ବିଦ୍ୟାଳୟ ସ୍ତର ପ୍ରଥମ ଓ ୨ୟ ଶ୍ରେଣୀ ସହିତ ଯୋଗ କରି ଦେଲେ ଯେ ଏହା ସୁଧିରିଯିବ ତାହା ଭାବିବା ନିଶ୍ଚିତ ଅପପ୍ରୟାସ ମାତ୍ର। ଏହା କେବଳ ପ୍ରଶାସନିକ ଚାପ ବୃଦ୍ଧି କରାଇବ । ଜଣେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷା ବିଭାଗ ଅଧିନରେ କାମ କରୁଥିବା ବେଳେ ଅଙ୍ଗନବାଡ଼ି ଶିଶୁ ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରେ। ପ୍ରଧାନ ଶିକ୍ଷକ କାହା ପାଖରେ ଉତ୍ତରଦାୟୀ ରହିବେ। ତା’ଛଡା ଅଙ୍ଗନବାଡ଼ି କର୍ମୀ ମାନେ ମଧ୍ୟ ନିଜ କ୍ଷମତା କ୍ଷୁର୍ଣ୍ଣ ହେବା ଅନୁଭବରେ ସହଯୋଗ ଉଣା କରିବାର ଆଶଙ୍କା ରହିଛି। ପ୍ରସ୍ତୁତି ସ୍ତର ୩ୟରୁ ୫ମ ଶ୍ରେଣୀ ସମ୍ବନ୍ଧରେ କୈ।ଣସି ଟିପ୍ପଣୀ ଦେବା ଉଚିତ ହେବନି ମାତ୍ର ଆବଶ୍ୟକ ଶିକ୍ଷକ ଅଭାବ ଜନିତ ଜଟିଳତା ଯୋଗୁଁ ଏହି କୋମଳମତି ବାଳୁତମାନେ ସର୍ବଦା ଅବହେଳିତ। ମଧ୍ୟସ୍ଥଳରେ ୬ଷ୍ଠ,୭ମ ଓ ୮ମ ୩ଟି ଶ୍ରେଣୀକୁ ଅନ୍ତର୍ଭୁକ୍ତ କରିବା ବହୁ ପୂର୍ବରୁ ପରୀକ୍ଷିତ ବିଫଳତା ।
କାରଣ ମଧ୍ୟ ସ୍ତରରେ ଉପଯୁକ୍ତ ପ୍ରଶିକ୍ଷିତ ଶିକ୍ଷକ(TG) ଅଭାବରେ ଏହି ଛାତ୍ର ଛାତ୍ରୀମାନେ ସର୍ବଦା ପ୍ରବଞ୍ଚନାର ଶିକାର ହୁଅନ୍ତି। ଗଣିତ ବିଜ୍ଞାନ ଓ ଭାଷା ଶିକ୍ଷା ଲାଗି ଏହି ସ୍ତରରେ ଥିବା ଶିକ୍ଷକଗଣ ଉପଯୁକ୍ତ ନୁହଁନ୍ତି। ସରକାର ଏହି ସ୍ତରରେ ଯଥେଷ୍ଟ ବିଜ୍ଞାନ ଓ ଭାଷା ଶିକ୍ଷକ ନିଯୁକ୍ତି ନ କରି ଏମାନଙ୍କୁ ନିମ୍ନମାନର ଶିକ୍ଷା ସୁଯୋଗ ଦେଇ ଅପରାଧ କରିବେ। ସବୁଠାରୁ ଗୋଳମାଳିଆ ସ୍ଥିତି ମାଧ୍ୟମିକ ସ୍ତରକୁ ନେଇ। ହାଇସ୍କୁଲ ଗୁଡ଼ିକରେ ୫ଜଣ ଟିଜି, ସଂସ୍କୃତ, ହିନ୍ଦୀ ଓ ଖେଳଶିକ୍ଷକରେ ୯_୧୨ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟାପନା କାର୍ଯ୍ୟ ଚଳାଇବା ଯେମିତି ଅବିଶ୍ଵସନୀୟ। ସେମିତି ଜୁନିୟର କଲେଜର ଅଧ୍ୟାପନା କରୁଥିବା ଜୁନିୟର ଅଧ୍ୟାପକ ମାନେ ହାଇସ୍କୁଲମାନଙ୍କରେ ଆସି ଶିକ୍ଷାଦାନ କରିବା ମଧ୍ୟ ସେମିତି ଅଚିନ୍ତନୀୟ। ଆବଶ୍ୟକ ଭିତ୍ତିଭୂମୀ ଅଭାବରୁ ଅନେକ ଉଚ୍ଚ ବିଦ୍ୟାଳୟରେ ୯ମ ଓ ୧୦ମ ୨ଟି ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଉପଯୁକ୍ତ ସ୍ଥାନ ମିଳୁ ନ ଥିବା ବେଳେ ସେଠାରେ ପୁଣି ୧୧ଶ ଓ ୧୨ଶ ଶ୍ରେଣୀର ଆସନ୍ନ ଯୁବ ଛାତ୍ର ଛାତ୍ରଛାତ୍ରୀ ମାନଙ୍କୁ କିପରି ଥଇଥାନ କରାଯିବ ସେହି ବର୍ଗର ଛାତ୍ରଛାତ୍ରୀ ପୁଣି ଥରେ ସେହି ପୁରୁଣା ବିଦ୍ୟାଳୟରେ ପଢ଼ିବା ମନସ୍କ ହେବେ ତ ?
ବିଦ୍ୟାଳୟ ଶିକ୍ଷା ପରିସରକୁ ଦଣ୍ଡମୁକ୍ତ କରାଯାଇଥିବାରୁ ଏଠାରେ ଶୃଙ୍ଖଳା ଏକ ବଡ଼ ପ୍ରସଙ୍ଗ। କଳେଜ ଯିବାକୁ ପ୍ରସ୍ତୁତ ହେଉଥିବା ତରୁଣ ତରୁଣୀମାନେ ବରଂ ଆବାସିକ ବେସରକାରୀ ଅନୁଷ୍ଠାନରେ ଯୋଗଦେବା ଲାଗି ପ୍ରୋତ୍ସାହିତ ହେବେ। ଜୁନିୟର କଲେଜଗୁଡିକରେ ଥିବା ଭିତ୍ତିଭୂମି ଅବ୍ୟବହୃତ ହୋଇ ବିପୁଳ ଅର୍ଥ ପାଣିରେ ପଡ଼ିବ। ପ୍ରଶାସନିକ ସ୍ତରରେ ମଧ୍ୟ ବଡ଼ ବିଶୃଙ୍ଖଳାକୁ ଏହା ନିମନ୍ତ୍ରଣ କରିବ । ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୁନିୟର ଅଧ୍ୟାପକ ମାନଙ୍କୁ ନିଜ ନିୟନ୍ତ୍ରଣରେ ରଖିପାରିବେ ନାହିଁ। ଏହା ଏକ ବିଷମ ଟିମ ତିଆରି କରିବା ଯେଉଁଠାରେ ଟିମ୍ ଭାବନା ହଁ ରହିବ ନାହିଁ ।
ଏହାଛଡା ଉଚ୍ଚକାଂକ୍ଷୀ ଧନ୍ଦାମୂଳକ ଶିକ୍ଷା, କ୍ରୀଡା,ଏସ.ୟୁପିଡବ୍ଲ୍ୟୁ ଉଦ୍ଭାବନ ମନୋବୃତ୍ତି ଏସବୁ କେବଳ କାଗଜ କଲମରେ ସୀମିତ ରହି ଯେଉଁ ଭଳି ଚାଲିଛି ସେଭଳି ଚାଲିଲେ ତାହା ମଧ୍ୟ ଲାଭପ୍ରଦ ହେବ ନାହିଁ । ସର୍ବୋପରି ବିଦ୍ୟାଳୟ ଗୁଡିକୁ ରାଜନୈତିକ ନିୟନ୍ତ୍ରଣ ମଧ୍ୟରେ ଯେଉଁ ଭଳି ଶୋଷଣ କରାଯାଉଛି ସଂଖ୍ୟାଧିକ କମିଟି ମାଧ୍ୟମରେ ଯେଉଁଭଳି କିମ୍ଭୁତ କିମ୍ଭାକାର ପରିଚାଳନାଗତ ଅନିଶ୍ଚିତତା ଚାଲୁ ରହିଛି ତାହାର ନିରାକରଣ କରାଯାଇ ନାହିଁ । ଏହିପରି ଏହା ସମାଜର ଅବାଂଛିତ ବର୍ଗଙ୍କ ସ଼ହଜ ଅନୁପ୍ରବେଶକୁ ଉତ୍ସାହିତ କଲା ଭଳି ପ୍ରତୀତ ହେଉଛି । ବରଂ ବୁଦ୍ଧିଜୀବିଙ୍କ ମତରେ ୮ମ,୯ମ ଓ ୧୦ମ ପୂର୍ବ ପରି ଉଚ୍ଚବିଦ୍ୟାଳୟରେ ରଖାଯାଉ। ଯୁକ୍ତ ୨ ନାମକୁ ବାଦ ଦେଇ ଉଚ୍ଚ ମାଧ୍ୟମିକ ସ୍ତରଟିକୁ ପୃଥକ ରଖାଯାଇ ସେମାନଙ୍କର ପରିସରକୁ ସ୍ଵଚ୍ଛ ଓ ମୁକ୍ତ ରଖାଗଲେ ଉତ୍ତମ ହୋଇପାରିବ ବୋଲି ଲେଖକ ଆଶାକରେ । ( ରିପୋର୍ଟ – ପ୍ରଦୀପ କୁମାର ଗୌଡ଼ )














