ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଅଶୋକ ନଗରରେ ଅଠାଇଶ ଜଣ ହକରଙ୍କ ଉପରେ ହୋଇଥିବା ଅନ୍ୟାୟ ଉଚ୍ଛେଦ ଓ ଦୋକାନ ଭଙ୍ଗା ବିରୋଧରେ ଏଆଇଟିୟୁସି ଓ ଏଆଇସିସିଟିୟୁ ପକ୍ଷରୁ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନଙ୍କ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ସୁର ଜେନା ଓ ମହେନ୍ଦ୍ର ପରିଡ଼ାଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗତ ୧୧ ଏପ୍ରିଲ୍ ସକାଳ ସମୟରେ ବିଏମ୍ସି ଓ ବିଡିଏର ମିଳିତ ଭାବେ ୨୮ଟି ଦୋକାନକୁ କୌଣସି ପୁର୍ବ ସୂଚନା ନଦେଇ ଅଗଣତାନ୍ତ୍ରିକ ଭାବେ ଭଙ୍ଗାଯାଇଥିଲା ।

ସୂଚନା ନଥିବାରୁ ଦୋକାନୀମାନଙ୍କର ପ୍ରାୟ ୧୬ଲକ୍ଷ ୧ହଜାର ଟଙ୍କାର ସାମଗ୍ରୀ ନଷ୍ଟ କରିବା ସହ ଦୋକାନକୁ ସମ୍ପର୍ଣ୍ଣ ଭାବେ ଧୂଳିସାତ କରିଦେଇଛନ୍ତି । ସମ୍ପୃକ୍ତ ଉଠାଦୋକାନୀମାନେ ଦୀର୍ଘ ୪୦ବର୍ଷ ହେବ ବ୍ୟବସାୟ କରି ପରିବାର ପୋଷର କରିଆସୁଥିବାବେଳେ ବିଏମ୍ସି କର୍ତ୍ତୃପକ୍ଷ ସୁପ୍ରିମକୋର୍ଟର ୨୦୨୪ ମସିହାରେ ପ୍ରଣିତ ଆଇନ୍ ଯଥା ଉଠାଦୋକାନୀଙ୍କୁ ସର୍ବନିମ୍ନ ବଞ୍ଚବାର ସୁରକ୍ଷା ଆଇନ୍ ୨୦୧୪ ଅନୁସାରେ ଦେଇଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ନାହାନ୍ତି । ପ୍ରକାଶ ଥାଉକି ଉଠାଦୋକାନୀମାନେ ବ୍ୟବସାୟ କରିଥିବା ସ୍ଥାନ ସାଧାରଣ ଜନଗଣ କିମ୍ବା ଯାତାୟତ ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରୁନଥିବାବେଳେ ବିଏମ୍ସି ଓ ବିଡିଏର ଏତାଦୃଶ କାର୍ଯ୍ୟ ସମ୍ବିଧାନର ଧାରା ୨୧ ଅନୁସାରେ ଜୀବନ ଓ ଜୀବିକାର ଅଧିକାରକୁ ଲଂଘନ କରିଛି ।
ମାନବାଧିକାର କମିଶନଙ୍କ ଅଧ୍ୟକ୍ଷ ପ୍ରତିନିଧି ଦଳର ଅଭିଯୋଗକୁ ଗୁରୁତ୍ୱ ସହକାରେ ଶୁଣିଥିଲେ ଓ ଏହି ଘଟଣାରେ ମାମଲା ରୁଜୁ କରି ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ । ତତ୍ ସହିତ ଏଆଇଟିୟୁସି ଓ ଏଆଇସିସିଟିୟୁ ତରଫରୁ ପୀଡିତ ହକରମାନଙ୍କୁ ତୁରନ୍ତ କ୍ଷତିପୂରଣ, ପୁନର୍ବାସ ଓ ସ୍ଥାୟୀ ଜୀବିକାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଏହି ପ୍ରତିନିଧିମଣ୍ଡଳିରେ ଦେବେନ୍ଦ୍ର ସାହୁ, ରାକେଶ ପଣ୍ଡା, ଅର୍ଜୁନ ସେଠୀ, ଧନେଶ୍ୱର ବେହେରା, ଜଗା ପ୍ରଧାନ, ଅଭୟ ପଣ୍ଡା, ବିଜୁ ସ୍ୱାଇଁ ଓ ରମେଶ ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ ।














