କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଆଜି କେନ୍ଦ୍ରାପଡା଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାମୂହିକ ବିବାହ ଆୟୋଜିତ ହୋଇଛି । କେନ୍ଦ୍ରାପଡ଼ା ସହର ସ୍ଥିତ ସାନ୍ତସାହି ଶ୍ରୀ ବଳଦେବଜୀଉ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଅବସରରେ ମୋଟ ୩୩ ଜଣ କନ୍ୟାଙ୍କ ସାମୂହିକ ବିବାହ ଶୃଙ୍ଖଳା, ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ସଫଳତାର ସହିତ ସମ୍ପନ୍ନ ହୋଇଛି ।

ଉଲ୍ଲେଖନୀୟ ଯେ, ଏହି ୩୩ ଜଣ କନ୍ୟାଙ୍କ ମଧ୍ୟରୁ ୨ ଜଣ ଇସଲାମ ଧର୍ମା ବଲମ୍ବୀ ଥିବାରୁ ସମାଜର ସମାନତା, ସାମ୍ପ୍ରଦାୟିକ ସମ୍ମିଳନ ଓ ସାମାଜିକ ସଂହତିର ଏକ ସୁନ୍ଦର ଉଦାହରଣ ପ୍ରତିଷ୍ଠିତ ହୋଇଛି ।ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର ଓ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ନିଜେ ଦୁଇ ଜଣ କନ୍ୟାଙ୍କ ବାପାର ଭୂମିକା ଗ୍ରହଣ କରି କନ୍ୟାଦାନ କରିଥିବାରୁ ସମାଜ ପାଇଁ ଏକ ଉତ୍କୃଷ୍ଟ ଓ ପ୍ରେରଣାଦାୟକ ଦୃଷ୍ଟାନ୍ତ ସୃଷ୍ଟି ହୋଇଛି । ରାଜ୍ୟସ୍ତରରେ ଆଜି କେନ୍ଦ୍ରାପଡ଼ା ସହିତ ମୋଟ ୨୭ଟି ଜିଲ୍ଲାରେ ୧,୦୦୦ ରୁ ଅଧିକ କନ୍ୟାଙ୍କ ସାମୂହିଜ ବିବାହ ସଫଳତାର ସହ ଆୟୋଜିତ ହୋଇଥିବା ସୂଚନା ମିଳିଛି ।

ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ମାନ୍ୟବର ବିଧାୟକ ଶ୍ରୀ ଗଣେଶ୍ବର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, କେନ୍ଦ୍ରାପଡ଼ା ମୁନିସିପାଲିଟି ଅଧ୍ଯକ୍ଷା ସରିତା ସାହୁ, ପୂର୍ବତନ ସାଂସଦ ଅର୍ଜନା ନାୟକ,ପୂର୍ବତନ ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଅର୍ବାନ ବ୍ୟାଙ୍କ ମ୍ୟାନେଜର ଭାଗ୍ୟଲକ୍ଷ୍ମୀ ପଣ୍ଡା ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବର୍ଗ, ବିଭିନ୍ନ ବିଭାଗର ଅଧୁକାରୀ, ସ୍ଥାନୀୟ ପ୍ରତିନିଧ ଓ ସାଧାରଣ ଜନସାଧାରଣ ବିପୁଳ ସଂଖ୍ୟାରେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଆର୍ଥିକ ସହାୟତା ନୁହେଁ, ବରଂ ସାମାଜିକ ସୁରକ୍ଷା ଓ ନାରୀ ସଶକ୍ତକରଣ ଦିଗରେ ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ । ଏହି ଯୋଜନା ବାଲ୍ୟ ବିବାହ ଓ ଯୌତୁକ ପ୍ରଥାକୁ ରୋଜିବା ସହିତ ସମାଜକୁ ସ୍ପଷ୍ଟ ବାର୍ତା ଦେଉଛି ଯେ – ଝିଅମାନେ ପରିବାର ପାଇଁ ବୋଝ ନୁହନ୍ତି, ସେମାନେ ଆମ ପରିବାର ପାଇଁ ଆଶୀର୍ବାଦ । ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ମୋଟ ୬୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଉଛି ।

ସେଥୁରୁ ୪୫,୦୦୦ ସିଧାସଳଖ କନ୍ୟାଙ୍କ ବ୍ୟାଙ୍କ ଖାତାକୁ ଜମା ହେଉଥିବା ବେଳେ ୧୫,୦୦୦ ବିବାହ ସମ୍ପାଦନ ଖର୍ଚ ପାଇଁ ବ୍ୟୟ କରାଯାଉଛି । ଯୋଗ୍ୟତା ଅନୁଯାୟୀ କନ୍ୟାଙ୍କ ବୟସ ୧୮-୩୫ ବର୍ଷ ଓ ବରଙ୍କ ବୟସ ୨୧–୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ । ବିଧବା ପୁନଃବିବାହ, ଅନୁସୂଚିତ ଜାତି, ଜନଜାତି ଓ ଦିବ୍ୟାଙ୍ଗ ଦମ୍ପତିଙ୍କୁ ପ୍ରାଥମିକତା ଦିଆଯାଉଛି । ସାମୂହିକ ବାହ କାର୍ଯ୍ୟକ୍ରମ ରେ ଅର୍ବାନ ବ୍ୟାଙ୍କ ପକ୍ଷରୁ ସମସ୍ତ ଦମ୍ପତିଙ୍କୁ କିଟ ପ୍ରଦାନ କରାଯାଇଥିଲା ।













