– ଦୁର୍ଗମ ଜନଜାତି ବହୁଳ ଅଞ୍ଚଳରେ ପହଞ୍ଚିଛି ସ୍ୱାସ୍ଥ୍ୟ ସେବା
– ମାଗଣା ଔଷଧ ସାଙ୍ଗକୁ ଘରେ ପହଞ୍ଚୁଛି ସ୍ୱାସ୍ଥ୍ୟ ସେବା
– ୩.୨୩ ଲକ୍ଷ ଲୋକଙ୍କୁ ସେବା ଯୋଗାଇ ଦିଆଯାଇଛି
– ବୃହତ୍ ସ୍ୱାସ୍ଥ୍ୟ ସେବା ଶିବିର ସାଙ୍ଗକୁ ନିଦାନ ବ୍ୟବସ୍ଥା
ବ୍ରହ୍ମପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) ର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା (ଏମ୍ଏଚଡି) ଦକ୍ଷିଣ ଓଡ଼ିଶାର ଜନଜାତି ବହୁଳ ଅଞ୍ଚଳ ତଥା କୋରାପୁଟ, ମାଲକାନଗିରି, କନ୍ଧମାଳ ଏବଂ ରାୟଗଡ଼ା ଜିଲ୍ଲାରେ ବିଶେଷ ଭାବରେ ସହାୟକ ହୋଇ ପାରିଛି । ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଏହି ଅଞ୍ଚଳର ସମୁଦାୟଙ୍କ ପାଇଁ ଏହି ସେବା ଏକ ସଂଯୋଗ ଭଳି କାର୍ଯ୍ୟ କରୁଛି । ବହୁ ଦୁର୍ଗମ ଅଞ୍ଚଳରେ ଏହି ସେବା ଟିପିଏସ୍ଓଡିଏଲ୍ ତରଫରୁ ପ୍ରଦାନ କରାଯିବା ସହିତ ହଜାର ହଜାର ସମ୍ବେଦନଶୀଳ ପରିବାର ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯେ ଏକ ଅପହଞ୍ଚ ବାସ୍ତବତା ନୁହେଁ ତାହା କମ୍ପାନୀ ତରଫରୁ ସୁନିଶ୍ଚିତ କରାଯାଇଛି । ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟରେ ଜଣେ ଏମବିବିଏସ୍ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଏବଂ ସଚେତକ (ମୋବିଲାଇଜର) ରହିଛନ୍ତି । ଏମ୍ଏଚଡି ମାଧ୍ୟମରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଜନିତ ପରାମର୍ଶ, ଔଷଧ ଏବଂ ଘରେ ଘରେ ସ୍ୱାସ୍ଥ୍ୟ ସେବା ଶିବିର ଯୋଗାଇ ଦିଆଯାଉଛି । କମ୍ପାନୀ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିଛି । ଚାରିଟି ଜିଲ୍ଲାର ୩,୨୩,୬୭୫ ହିତାଧିକାରୀ ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି । ଗ୍ରାମୀଣ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଏବଂ ଆବଶ୍ୟକତାକୁ ପୂରା କରିବା ଦିଗରେ ଏହା ବିଶେଷ ଭାବରେ ସହାୟକ ହୋଇଛି ।
କୋରାପୁଟରେ ୧,୦୧,୭୭୭ ଜଣ, ମାଲକାନଗିରିରେ ୧,୦୬,୧୫୫, ରାୟଗଡ଼ାରେ ୫୩,୧୫୭ ଏବଂ କନ୍ଧମାଳରେ ୬୨,୫୮୬ ହିତାଧିକାରୀଙ୍କ ପାଖରେ ଏହି ସେବା ପହଞ୍ଚି ପାରିଛି । ଯାହା ଉଭୟ ବ୍ୟାପକ ଏବଂ ସ୍ଥାୟୀ ସାମୁଦାୟିକ ବିଶ୍ୱାସକୁ ସୁଦୃଢ଼ କରିବା ଦିଗରେ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ମଜଭୁତ କରିବା ପାଇଁ ଏହି କ୍ରମରେ ୧,୨୧୩ଟି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ୮୪୩ ସଚେତନତା ଅଧିବେଶନ ଏବଂ ୬୭ଟି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଛି ।
ଯେଉଁଥିରେ ପ୍ରତିଷେଧକ ସ୍ୱାସ୍ଥ୍ୟସେବା, ଶୀଘ୍ର ନିରାକରଣ ଏବଂ ସ୍ୱଚ୍ଛତା, ପରିମଳ ଓ ପୋଷଣଗତ ସଚେତନତା ଉପରେ ଧ୍ୟାନ ଦିଆଯାଇଛି ।
ଏହି ଚାରିଟି ଜିଲ୍ଲାରେ ଛଅଟି ବୃହତ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ଯେଉଁଥିରେ ସ୍ୱାସ୍ଥ୍ୟ ସେବାକୁ ଦୁର୍ଗମ ଅଞ୍ଚଳରେ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ଶିବିରଗୁଡ଼ିକ ତାଳୁ ଏବଂ ଚିକିମା (କୋରାପୁଟ), ବଣ୍ଡା ଖଟି ଅଞ୍ଚଳର ବଡଦୁରାଲ ଏବଂ ମୁଦୁଲିପଡ଼ା (ମାଲକାନଗିରି), ଶ୍ରୀରାମପୁର (କନ୍ଧମାଳ) ଏବଂ ଜି ଦେଫାଗୁଡ଼ା (ରାୟଗଡ଼ା) ଭଳି ଦୁର୍ଗମ ଅଞ୍ଚଳରେ ହୋଇଛି । ଏହି ଶିବିରଗୁଡ଼ିକ ଦ୍ୱାରା କୋରାପୁଟରେ ୧,୪୩୭, ମାଲକାନଗିରିରେ ୧,୩୧୬, କନ୍ଧମାଳରେ ୧,୭୫୦ ଏବଂ ରାୟଗଡ଼ାରେ ୬୯୪ ଜଣ ଉପକୃତ ହୋଇଛନ୍ତି।
ମୋଟ ଉପରେ ଏହି ମେଗା ସ୍ୱାସ୍ଥ୍ୟ ସେବା ଶିବିରରୁ ୫,୧୯୭ଜଣ ହିତାଧିକାରୀ ଉପକୃତ ହୋଇ ପାରିଛନ୍ତି । ଏହି ସ୍ୱାସ୍ଥ୍ୟ ସେବା ଶିବିରଗୁଡ଼ିକ ଉଭୟ ତୁରନ୍ତ ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ସମାଧାନ କରୁଛି । ଏଥିରେ ସାଧାରଣ ଡାକ୍ତରଙ୍କ ପରାମର୍ଶ, ଦନ୍ତ ପରୀକ୍ଷା, ଚକ୍ଷୁ ପରୀକ୍ଷା, ମାତୃ ଏବଂ ବୃଦ୍ଧ ଯତ୍ନ ସେବା ଏବଂ ସାଧାରଣ ରୋଗ ପାଇଁ ସ୍କ୍ରିନିଂ ଆଦି ଅନ୍ତର୍ଭୁକ୍ତ ରହିଛି । ଏହାବ୍ୟତୀତ ହିତାଧିକାରୀମାନଙ୍କୁ ମାଗଣା ଔଷଧ ଯୋଗାଇ ଦିଆଯାଉଥିବା ବେଳେ ରକ୍ତ ପରୀକ୍ଷା ଏବଂ ସ୍ୱାସ୍ଥ୍ୟ ସ୍କ୍ରିନିଂ ଭଳି ସେବା ସେହି ସ୍ଥାନରେ ନିଦାନ ସେବା ବିଶେଷ କରି କୋରାପୁଟରେ ଲ୍ୟାବ-ଅନ୍-ହ୍ୱିଲ ସୁବିଧା ମାଧ୍ୟମରେ ଯୋଗାଇ ଦିଆଯାଉଛି । ଏହି ଅଞ୍ଚଳରେ ରୋଗର ଶୀଘ୍ର ଚିହ୍ନଟ ଏବଂ ସମୟୋଚିତ ଚିକିତ୍ସାକୁ ସୁନିଶ୍ଚିତ କରିବା, ଯାହା ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସୀମିତ ଉପଲବ୍ଧତା ତଥା ଦୁର୍ଗମ ଅଞ୍ଚଳ ମାନଙ୍କରେ ଗୁରୁତ୍ୱପୂର୍ଣ୍ଣ ଅଟେ ।
ଏଥିରେ ବରିଷ୍ଠ ନାଗରିକଙ୍କ ଯତ୍ନ ସହିତ ପୁଷ୍ଟିକର ଖାଦ୍ୟ, ସ୍ୱଚ୍ଛତା ଅଭ୍ୟାସ, ସଂକ୍ରାମକ ରୋଗ ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ଯାହା ଏକ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ଫଳାଫଳରେ ଉନ୍ନତି ଆଣିବା ଦିଗରେ ସହାୟକ ହେବ । ଏଥିସହିତ ସମୁଦାୟକୁ ସଶକ୍ତ କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହି ଅଭିଯାନ ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ଆମର ଏମ୍ଏଚଡି ସେବା ମାଧ୍ୟମରେ ଆମେ ସେବା ଯୋଗାଉଥିବା ଦୁର୍ଗମ ଅଞ୍ଚଳର ସମୁଦାୟ ତଥା ଜନଜାତିଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରତିଶ୍ରୁତିବଦ୍ଧ ।
ଆଜି ଆମେ ଯେଉଁ ପ୍ରଭାବ ଦେଖୁଛୁ ତାହା ହେଉଛି ସୁଗମ ତଥା ପ୍ରତିଷେଧକ ସ୍ୱାସ୍ଥ୍ୟସେବା ମାଧ୍ୟମରେ ସୁସ୍ଥ, ଅଧିକ ସୁଦୃଢ଼ ସମୁଦାୟ ଗଠନ ଦିଗରେ ଥିବା ଆମର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି” । ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା (ଏମ୍ଏଚଡି) କାର୍ଯ୍ୟକ୍ରମ, ସମାବେଶୀ ବିକାଶ ପାଇଁ ଟିପିଏସ୍ଓଡିଏଲର ଥିବା ପ୍ରତିବଦ୍ଧତାର ଏକ ପ୍ରମାଣ ଭାବରେ ଛିଡା ହୋଇଛି । ଯାହା ନିଶ୍ଚିତ କରେ ଯେ ଅତି ଦୁର୍ଗମ ଜନଜାତି ସମୁଦାୟ ମଧ୍ୟ ଭରସାଯୋଗ୍ୟ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇପାରିବେ । ଏହା ମଧ୍ୟ ସ୍ୱାସ୍ଥ୍ୟସେବା ପେସାଦାର, କ୍ଷେତ୍ରୀୟ ଦଳ ଏବଂ ସ୍ଥାନୀୟ ଅଂଶୀଦାରଙ୍କ ମିଳିତ ପ୍ରୟାସକୁ ଦର୍ଶାଉଛି ଯାହା ଓଡ଼ିଶାର ଜନଜାତି ବହୁଳ ଅଞ୍ଚଳରେ ଏକ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରୁଛି ।














