No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ସିଏସ୍ଆଇଆର -ଆଇଏମ୍ଏମଟି, ଭୁବନେଶ୍ୱରରେ ଡକ୍ଟର ବି. ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଗଭୀର ଶ୍ରଦ୍ଧା ଓ ଉତ୍ସାହ ସହ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦୦ ଜଣ ଅଂଶଗ୍ରହଣ କରିଥିଲେ, ଯାହାମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟର ପ୍ରାୟ ୧୦୦ ଛାତ୍ରଛାତ୍ରୀ ଥିଲେ । କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ଆମ୍ବେଦକର ଉଦ୍ୟାନ ଉଦ୍ଘାଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ, ଯାହାକି ମୁଖ୍ୟ ଅତିଥି ଓ ସିଏସ୍ଆଇଆର -ଆଇଏମ୍ଏମଟି ନିର୍ଦ୍ଦେଶକଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ଏହା ସସ୍ୟତା ଓ ସାମାଜିକ ଦାୟିତ୍ୱ ପ୍ରତି ସମୁହୀୟ ପ୍ରତିବଦ୍ଧତାର ପ୍ରତୀକ ଭାବେ ପ୍ରକାଶ ପାଇଥିଲା ।

ଔପଚାରିକ ଅଧିବେଶନର ଆରମ୍ଭ ହୋଇଥିଲା ସିଏସ୍ଆଇଆର -ଆଇଏମ୍ଏମଟି ନିର୍ଦ୍ଦେଶକ ଡ଼ା. ରାମାନୁଜ ନାରାୟଣଙ୍କ ଉଦ୍ବୋଧନରୁ, ଯେଉଁଥିରେ ସେ ଡ଼ା. ଆମ୍ବେଦକରଙ୍କ ସମାନତାମୂଳକ ଓ ନ୍ୟାୟଭିତ୍ତିକ ସମାଜ ଗଠନରେ ଅବଦାନକୁ ଉଲ୍ଲେଖ କରିଥିଲେ। ଡ଼ା. ଆର୍. ସକ୍ତିଭେଲ, ଉତ୍ସବ କମିଟିର ଉପାଧ୍ୟକ୍ଷ, ସମସ୍ତ ଅତିଥି ଓ ଅଂଶଗ୍ରାହୀଙ୍କୁ ସ୍ୱାଗତ ଜଣାଇଥିଲେ।
ମୁଖ୍ୟ ଅତିଥି ଶ୍ରୀ ସତୀଶ କୁମାର ଗଜଭିଏ, ଆଇ.ପି.ଏସ, ଇନ୍ସପେକ୍ଟର ଜେନେରାଲ ଅଫ ପୋଲିସ (ସ୍ପେସିଆଲ ଆର୍ମ୍ଡ ପୋଲିସ), ଓଡିଶା ସରକାର, ତାଙ୍କ ଉଦ୍ବୋଧନରେ ଡ଼ା. ଆମ୍ବେଦକରଙ୍କ ଜୀବନ, ଆଦର୍ଶ ଓ ଭାରତୀୟ ସମାଜ ପ୍ରତି ତାଙ୍କର ଅବଦାନ ବିଷୟରେ ଆଲୋକ ପାତ କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ସମାନତା ଓ ସଶକ୍ତିକରଣର ପଥକୁ ଅନୁସରଣ କରିବାକୁ ପ୍ରେରିତ କରିଥିଲେ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ତଦୁପରି, ଆରଆରଏଲ ପ୍ରୋଜେକ୍ଟ ୟୁ.ପି. ସ୍କୁଲ, ଆଦୃତା ଚିଲ୍ଡ୍ରେନ୍ସ ହୋମ ଓ ଅନ୍ୟାନ୍ୟ ସଂସ୍ଥାର ଛାତ୍ରଛାତ୍ରୀଙ୍କୁ ୮୦ଟି ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଥିଲା, ଯାହା ଶିକ୍ଷା ଓ ସାମାଜିକ ସେବା ପ୍ରତି ସଂସ୍ଥାର ପ୍ରତିବଦ୍ଧତାକୁ ପୁନରୁଚ୍ଚାର କରିଥିଲା । ଏହି କାର୍ଯ୍ୟକ୍ରମଟି କୋମଳମତି ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ଏବଂ ସମାବେଶୀତା, ନ୍ୟାୟ ତଥା ସଶକ୍ତିକରଣର ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ଏକ ଅର୍ଥପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥିଲା।।
କାର୍ଯ୍ୟକ୍ରମର କମିଟିର ଆବାହକ ତଥା ବୈଜ୍ଞାନିକ ‘ଏଫ୍’ ଡକ୍ଟର ସନ୍ତୋଷ କୁମାର ବେହେରାଙ୍କ ଦ୍ୱାରା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା। ସେ ଏହି ଅବସରରେ ସମସ୍ତ ଅତିଥି, ଅଂଶଗ୍ରହଣକାରୀ ଏବଂ ଆୟୋଜକ ମଣ୍ଡଳୀଙ୍କ ସହଯୋଗ ପାଇଁ ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଏକ ସାନ୍ଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ପେସାଦାର କଳାକାର ଏବଂ ଆଇଏମଏମଟି ସଙ୍ଗୀତ କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ପରିବେଷଣ କରାଯାଇଥିଲା। ଏହା ପରେ ସୈାଜନ୍ୟମୂଳକ ରାତ୍ରି ଭୋଜନର ବ୍ୟବସ୍ଥା କରାଯାଇଥିଲା ।

No Result
View All Result