ନୟାଗଡ଼ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ସାମଗ୍ରିକ ବିକାଶ ତଥା ଉତ୍କର୍ଷର ପ୍ରତିଫଳନ ଲକ୍ଷ୍ୟ ନେଇ ସ୍ଥାନୀୟ ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜ ପରିସରରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଅଛି | ଛାତ୍ର ସଂସଦ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ମଧୁସ୍ମିତା ମହାପାତ୍ର, ଡକ୍ଟର ପ୍ରକାଶ କୁମାର ସାହୁ, ଡକ୍ଟର ଅନୀୟ କୁମାର ସାମନ୍ତରା, ବିଜୟ କୁମାର ସାହୁଙ୍କ ସୁପରିଚାଳନାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା |

ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | ସଭାକାର୍ଯ୍ୟ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ବଳନ ସହ ଆନୁଷ୍ଠାନିକ ଭାବେ ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା |

୨୦୨୪-୨୫ ଶିକ୍ଷାବର୍ଷର ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ ଶୁଭସ୍ମିତା ମହାନ୍ତି ‘ଶ୍ରେଷ୍ଠ ସ୍ନାତକ’ ଟ୍ରଫି ସହିତ ଦୁଇ ହଜାର ଟଙ୍କା ନଗଦ ରାଶି ପୁରସ୍କାର ଓ ‘ଶ୍ରେଷ୍ଠ ଲିଟେରାରୀ ପୁରସ୍କାର’ ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରୀ ସସ୍ମିତା ପ୍ରଧାନ ଗ୍ରହଣ କରିଥିଲେ | ଅନ୍ୟତମ ଅତିଥି ଭାବେ ଶ୍ରୀ ଗୌରମୋହନ ସାହୁ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ |















