ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମୟୂରଝାଲିଆ ଗାଁର ଯୁବ ଚାଷୀ ବେଲେଶ୍ୱର କଳସ ।ନିଜ ଇଛା ଶକ୍ତି ବଳରେ ଫଳାଇଛନ୍ତି ସୁନାର ଫସଲ । ଚାକିରି ପଛରେ ନପଡ଼ି ପ୍ରଥମେ ଅଧା ଏକର ଜମିରେ ମକା ଚାଷ ଆରମ୍ଭ କରିଥିଲେ । ଏଥରୁ ଭଲ ଲାଭ ମିଳୁଥିବା ବେଳେ ସ୍ଥାନୀୟ ଅଂଚଳରେ ଏବେ ସେ ଜଣେ ସଫଳ ଚାଷୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ନିଜେ ୧. ୫ଲକ୍ଷ ରୁ ୨ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାଷରୁ ବର୍ଷକୁ ପାଖାପାଖୁ ୫ରୁ ୬ ଲକ୍ଷ ଟଙ୍କାର ରୋଜଗାର କରିପାରୁଛନ୍ତି । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ୭ଟି ପରିବାରକୁ ସେ ରୋଜଗାର ଦେଇପାରୁଛନ୍ତି ।

ଏବେ ସେ ୪ଏକର ଜମିରେ ଉନ୍ନତ ଜ୍ଞାନ କୌଶଳରେ , କାକୁଡ଼ି, ଫୁଲକୋବି, ବନ୍ଧା କୋବି,ବୋଦୀ, ,କଖାରୁ ଓ ମକା ଚାଷ କରିଛନ୍ତି । ତାଙ୍କ ଜମିରୁ ଉତ୍ପାଦିତ ହେଉଥିବା ପନିପରିବା ସେ ସ୍ଥାନୀୟ ବଜାର ସହ ଅନ୍ୟ ଅଞ୍ଚଳକୁ ମଧ୍ୟ ପଠାଉଛନ୍ତି । ତାଙ୍କ ଜମିରେ ୭ରୁ ୮ଜଣ ଶ୍ରମିକ କାମ କରି ରୋଜଗାର କରିପାରୁଛନ୍ତି । ପୂର୍ବରୁ ଏହି ଶ୍ରମିକମାନଙ୍କୁ ରୋଜଗାର କରିବା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡୁଥିଲା । ବେଲେଶ୍ୱରଙ୍କ ଜମିରେ କାମ କରି ରୋଜଗାର କରିପାରୁଥିବାରୁ ସେମାନେ ଖୁସି ପ୍ରକାଶ କରିଛନ୍ତି ।ନିଜ ପୁଅର ସଫଳତା ଦେଖି ବେଶ ଖୁସି ଅଛନ୍ତି ବେଲେଶ୍ୱର କଳାସଙ୍କ ମାଆ ।















