ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର :- ଖେତରେ କାମ କରୁଥିବାବେଳେ ଟଳି ପଡ଼ିଲେ ଚାଷୀ, ମୃତ୍ୟୁ ପରେ ନେତ୍ରଦାନରେ ମାନବିକତାର ଉଦାହରଣ ଦେଖା ଦେଇଛି । ଏପରି ଘଟଣା ଦେଖିବାକୁ ମିଳିଛି, ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଆସନ୍ତା ମାସରେ ଝିଅର ବିବାହ ପାଇଁ ଘରେ ଚାଲିଥିବା ଖୁସିର ପ୍ରସ୍ତୁତି ମଧ୍ୟରେ ହଠାତ୍ ଶୋକର ଛାୟା ଢାଙ୍କି ଦେଇଛି ।
ଗାରେଡ଼ି ପାଞ୍ଚଣ ଗ୍ରାମର ଚାଷୀ ମନୋରଞ୍ଜନ ବାରିକ (୫୨) ଖେତରେ କାମ କରୁଥିବା ବେଳେ ଅସୁସ୍ଥ ହୋଇ ପ୍ରଣାହାନୀ ଘଟିଛି । ସକାଳୁ ମାଣିକ ପୋଖରୀ ନିକଟସ୍ଥ ପରିବା କିଆରୀରେ କାମ କରୁଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଶରୀର ଅସୁସ୍ଥ ଲାଗିବାରୁ ସେ ଘରକୁ ଫେରୁଥିବା ସମୟରେ ମୁହଁରୁ ରକ୍ତସ୍ରାବ ହୋଇ ଜଙ୍ଗଲିଆ ବଣରେ ଟଳି ପଡ଼ିଥିଲେ।
ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ଅନ୍ୟପଟେ, ଶୋକାକୁଳ ପରିବାର ମନୋରଞ୍ଜନଙ୍କ ନେତ୍ରଦାନ କରି ମାନବିକତାର ଉଚ୍ଚ ଉଦାହରଣ ସୃଷ୍ଟି କରିଛନ୍ତି—ମୃତ୍ୟୁ ପରେ ମଧ୍ୟ ସେ ଅନ୍ୟକୁ ଆଲୋକ ଦେଇଯିବେ ।
ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି । ପରିବାର ସଦସ୍ୟମାନେ ମନୋରଞ୍ଜନଙ୍କ ଅକାଳ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି । ସ୍ଥାନୀୟ ଲୋକମାନେ ମଧ୍ୟ ଏହାକୁ ଦୁଃଖଦ ଘଟଣା ବୋଲି କହିଛନ୍ତି ଓ ପ୍ରଶାସନଙ୍କୁ ପରିବାର ପାଇଁ ସହାୟତା ଯୋଗାଇବାକୁ ଅନୁରୋଧ କରାଯାଇଛି । ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରାଯାଇଛି ।















