ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କୃଷକମାନଙ୍କ ଉତ୍ପାଦ ପାଇଁ ସୁନିଶ୍ଚିତ ବଜାର ସଂଯୋଗ ସୃଷ୍ଟି କରିବା ଓ ନ୍ୟାୟସଙ୍ଗତ ମୂଲ୍ୟ ଯୋଗାଇବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ)ପକ୍ଷରୁ ଏକ ବିଶେଷ ବଜାର ସଂଯୋଗ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପେକ୍ଷୀରେ ସ୍ୱୟଂସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ଗଞ୍ଜାମ, କଟକ, ଅନୁଗୁଳ, ଝାରସୁଗୁଡ଼ା ଓ ଜଗତସିଂହପୁର ଜିଲ୍ଲାରୁ ଟମାଟୋ ସଂଗ୍ରହ କରାଯାଉଛି ।

୨୪ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଏହି ପଦକ୍ଷେପ ଅନ୍ତର୍ଗତ ମୋଟ ୧୨୮.୩୦ ମେଟ୍ରିକ ଟନ ଟମାଟୋ ସଂଗ୍ରହ ହୋଇଛି । ଏଥିରେ କଟକ ଜିଲ୍ଲାରୁ ୫୩.୦୦ ମେଟ୍ରିକ ଟନ, ଗଞ୍ଜାମରୁ ୩୩.୮୦ ମେଟ୍ରିକ ଟନ, ଅନୁଗୁଳରୁ ୨୦.୦୦ ମେଟ୍ରିକ ଟନ ଓ ଝାରସୁଗୁଡ଼ାରୁ ୧୮.୦୦ ମେଟ୍ରିକ ଟନ ଟମାଟୋ ଭାରତ ମସଲା ଦ୍ୱାରା କ୍ରୟ କରାଯାଇଛି । ଏହା ସହିତ ଜଗତସିଂହପୁର ଜିଲ୍ଲାରୁ ୩.୫୦ ମେଟ୍ରିକ ଟନ ଟମାଟୋ ମଧ୍ୟ ଭାରତ ମସଲାକୁ ପଠାଯାଇଛି ।














